ବନ୍ଧୁଗାଁ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ବଡସରପଲ୍ଲୀ ପଞ୍ଚାୟତ ଅଧିନସ୍ତ ଏଲଙ୍ଗାବାଲସା ଗ୍ରାମରେ ଜଣେ ବୃଦ୍ଧଙ୍କୁ ସୋମବାର ଦିନ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ଉଦ୍ୟମ କରାଯାଇଥିଲା। ଆକ୍ରମଣରେ ବୃଦ୍ଧ ଜଣକ କୋରାପୁଟ ଜିଲ୍ଲା ବଡ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ବନ୍ଧୁଗାଁ ଥାନାରେ ନିଜର ପୁଅ କେଶିବ କାଡ୍ରାକା ଲିଖିତ ଭାବେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ତରଫରୁ ତଦନ୍ତ କରାଯାଇଥିଲା। ସେହି ସମୟରେ ୪ ଜଣ ଆକ୍ରମଣକାରୀ ଫେରାର ହୋଇଯାଇଥିଲେ। ଆଜି ପୁଲିସ ସେହି ୪ ଜଣ ଆକ୍ରମଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
ସୂଚନା ଅନୁଯାୟୀ, ଏଲଙ୍ଗାବାଲସା ଗ୍ରାମର ଆଚା କାଡ୍ରାକା ଗତ ବର୍ଷ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇଥିଲେ। ସେଠାରେ ଜ୍ଵର ହେବାରୁ ଆଚା ନିଜ ଘରକୁ ଫେରି ଆସିଥିଲେ। ଜ୍ଵର ନ କମିବାରୁ ଆଚା ଚେରମୂଳି ଔଷଧ ଖାଉଥିଲେ । ଜ୍ଵର ଓ କାଶ ଲାଗି ରହିବାରୁ ଗାଁ ର ଆଶା ଦିଦି ଲୀଳା କୁମାରୀ ଗୌଡ ଆଚାଙ୍କୁ ବନ୍ଧୁଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କଫ ନମୁନା ପରୀକ୍ଷାପରେ ଆଚାକୁ ଯକ୍ଷ୍ମା ହୋଇଥିବା ଜଣାପଡ଼ିଥିଲା। ପରେ ଆଶା ଦିଦି ଜଣକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଔଷଧ ଆଣି ଆଚାଙ୍କୁ ଖାଇବାକୁ ଦେଇଥିଲେ। କିନ୍ତୁ ଆଚା ଔଷଧ ନ ଖାଇ ଚେରମୂଳି ଖାଇବା ସହିତ କୁୱାକ ନିକଟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ସ୍ୱାସ୍ଥ୍ୟ ପରୀକ୍ଷାରେ ଟାଏଫଏଡ ହୋଇଥିବା ଜଣାପଡ଼ିଥିଲା। ପୁଣି ଥରେ ଆଲମଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ରକ୍ତ ପରୀକ୍ଷା କରିବା ପରେ ଜଣ୍ଡିସ ହୋଇଥିବା ଜଣାପଡ଼ିଥିଲା। ସେ ଡାକ୍ତର ଦେଇଥିବା ଔଷଧ ବ୍ୟବହାର କରି ଆସୁଥିଲେ । ଔଷଧ ଖାଇବା ପରେ ମଧ୍ୟ ସୁସ୍ଥ ନ ହେବାରୁ ଗାଁର ବୃଦ୍ଧ ମାଲି କାଡ୍ରାକା ଗୁଣି ଗାରେଡ଼ି କରିଥିବା ସନ୍ଦେହ କରିଥିଲେ।
ପରେ ପରିବାର ଲୋକେ ମାଲିଙ୍କୁ ଭେଟି ଗୁଣି ଗାରେଡ଼ି କରିଥିବା କହି ଧମକ ଦେଇ ଫେରି ଆସିଥିଲେ। ସୋମବାର ଦିନ ଅପରାହ୍ନ ୨ ଟା ସମୟରେ ଆଚାଙ୍କ ସମ୍ପର୍କୀୟ ଭାଇ ଆଦମା କାଡ୍ରାକା, ଲାଚା କାଡ୍ରାକା, ଉଦେଶ କାଡ୍ରାକା ଓ ବତି କାଡ୍ରାକା ମିଳିତ ଭାବେ ମାଲିଙ୍କ କୁଡ଼ିଆ ଘରକୁ ଯାଇ ମାଲିଙ୍କୁ ଗାଁଆ ଦାଣ୍ଡକୁ ନେଇ ଆସିଥିଲେ।
ପରେ ମାଲିଙ୍କୁ ପାଖ ଜଙ୍ଗଲକୁ ଫାଶୀ ଦେବା ପାଇଁ ଉଠେଇ ନେଇ ବେକରେ ଦୌଡ଼ି ଦେଇଥିଲେ। ଏ ନେଇ ବନ୍ଧୁଗାଁ ଥାନା ଆଇଆଇସି ପ୍ରସନ୍ନ କୁମାର ମିଶ୍ର ଖବର ପାଇବା ପରେ ଏଏସଆଇ ବି ଟି ସାଧୁ ଓ ପୁଲିସ ଟିମ ପହଞ୍ଚି ମାଲିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବନ୍ଧୁଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ। ଆକ୍ରମଣକାରୀ ୪ ଜଣ ଫେରାର ହୋଇ ଯାଇଥିଲେ। ଗତକାଲି ଆଇଆଇସି ପ୍ରସନ୍ନ କୁମାର ମିଶ୍ର ଓ ପୁଲିସ ଟିମ ଗାଁରେ ପହଞ୍ଚି ୪ ଜଣ ଆକ୍ରମଣକାରୀଙ୍କୁ ଗିରଫ କରିବା ସହିତ ଆକ୍ରମଣ କରିବା ବେଳେ ବ୍ୟବହୃତ ଠେଙ୍ଗା, ଅସ୍ତ୍ର ଓ ପୋଷାକ ଆଦିକୁ ଜବତ କରି ଆଜି କୋର୍ଟ ଚାଲାଣ କରିଛନ୍ତି।
Follow Us