୧୫ରୁ କମ୍ ପିଲା ଥିବା ସ୍କୁଲ ମିଶ୍ରଣ କାର୍ଯ୍ୟକାରୀ ହେଲେ ଜୟପୁର ବ୍ଲକର ୩ଟି ସ୍କୁଲ ବନ୍ଦ ହେବ

Advertisment

୨୦ରୁ କମ୍ ପିଲା ଥିବା ଜୟପୁର ପୌରାଂଚଳର ୨, ବ୍ଲକର ୧୧ସ୍କୁଲ ମିଶ୍ରଣ ହେଲାଣି

୨୦ରୁ କମ୍ ପିଲା ଥିବା ଜୟପୁର ପୌରାଂଚଳର ୨, ବ୍ଲକର ୧୧ସ୍କୁଲ ମିଶ୍ରଣ ହେଲାଣି

୧୫ରୁ କମ୍ ପିଲା ଥିବା ସ୍କୁଲ ମିଶ୍ରଣ କାର୍ଯ୍ୟକାରୀ ହେଲେ ଜୟପୁର ବ୍ଲକର ୩ଟି ସ୍କୁଲ ବନ୍ଦ ହେବ

newindianexpress ( Representational)

ଜୟପୁର: କୌଣସି ସ୍କୁଲକୁ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରାଯିବ ନାହିଁ । ଗୁଣାତ୍ମକ ଶିକ୍ଷା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏଥିପାଇଁ ସିଡ୍ୟୁଲ୍ଡ ଏରିଆ(ଅଧିସୂଚିତ ଅଂଚଳ)ରେ ୧୫ରୁ କମ୍ ଓ ନନ୍ସିଡ୍ୟୁଲ୍ଡ ଏରିଆରେ ୨୦ରୁ କମ ପିଲାଥିବା ସ୍କୁଲକୁ ଅନ୍ୟ ସ୍କୁଲରେ ମିଶ୍ରଣ କରାଯିବ ବୋଲି ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ତେବେ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ କିଛି ଚିଠି ଏବେ ପର୍ଯ୍ୟନ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କିମ୍ବା ଜିଲ୍ଲାପ୍ରଶାସନ ନିକଟକୁ ପହଚିଂନି।

ପୂର୍ବରୁ ଆସିଥିବା ଚିଠି ମୁତାବକ ଜୟପୁର ବ୍ଲକରେ ୧୩ଟି ଓ ପୌରାଂଚଳରେ ୨ଟି ବିଦ୍ୟାଳୟ ୨୦ରୁ କମ୍ ପିଲା ଥିବାରୁ ମିଶ୍ରଣ ପ୍ରକ୍ରିୟା ଶେଷ ହୋଇଥିଲା। ତେବେ କୋଟା ଏବଂ ମାଣ୍ଡିକୋଟା ଦୁର୍ଗମ ଏବଂ ପାହାଡ ଉପରେ ରହିଥିବାରୁ ଏହି ଦୁଇ ଗାଁର ଲୋକେ ସ୍କୁଲକୁ ପରିବର୍ତ୍ତନ ନ କରିବା ପାଇଁ ଦାବି ଜଣାଇ ଗଣଶିକ୍ଷା ବିଭାଗର ଅଭିଯୋଗ ଶୁଣାଣିରେ ଜଣାଇଛନ୍ତି ବୋଲି କହିଛନ୍ତି ଜୟପୁର ବିଇଓ ସୁରେନ୍ଦ୍ର ପଟ୍ଟନାୟକ। ଏହା ସହ ବ୍ଲକ ଶିକ୍ଷାଅଧିକାରୀଙ୍କ ପକ୍ଷରୁ ଦୁର୍ଗମ ପାହାଡ ଉପରେ ଥିବା ରାମଗଡ ଏବଂ ସହର ମଧ୍ୟରେ ବିପଦସଂକୁଳ ଶ୍ରେଣୀଗୃହ ଥିବା ଲାଲ ସାହିସ୍କୁଲ ଏଭଳି ୪ଟି ସ୍କୁଲକୁ ମିଶ୍ରଣରୁ ବାଦ୍ ଦେବାକୁ ରାଜ୍ୟ ଗଣଶିକ୍ଷା ବିଭାଗକୁ ଜଣାଇଥିଲେ ବିଇଓ। ତେବେ ରାଜ୍ୟ ଗଣଶିକ୍ଷାବିଭାଗ କୋଟା ଏବଂ ମାଣ୍ଡିକୋଟାକୁ ବିଚାରରେ ରଖିଛି। ଅନ୍ୟ ୨ଟି ସ୍କୁଲକୁ ମିଶ୍ରଣ କରିବାକୁ ଚିଠି ଆସି ସାରିଛି। ଜୟପୁର ସହର ମଧ୍ୟରେ ଥିବା ବିକ୍ରମନଗର ସ୍କୁଲ ଲାଲ ସାହି ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ ହୋଇଛି। ତେବେ ଲାଲସାହି ସ୍କୁଲର ଅନୁସଙ୍ଗିକ ଭିତ୍ତିଭୁମି ଠିକ୍ ନଥିବାରୁ ବିକ୍ରମନଗର ସ୍କୁଲକୁ ହିଁ ମୁଖ୍ୟ ସ୍କୁଲ କରାଯାଉ ବୋଲି ବିଇଓ ପ୍ରସ୍ତାବ ଦେଇଥିଲେ। ତେବେ ସରକାର ଏହାକୁ ନାକଚ କରିଛନ୍ତି। ସେଭଳି ସାନ୍ତରା ସାହି ସ୍କୁଲ ସାଉଥ ୟୁପି ସ୍କୁଲରେ ମିଶ୍ରଣ ହୋଇଛି। ଜୟପୁର ବ୍ଲକର ଆମକୋଟଗୁଡା, ବାଲିଗୁଡା, କୋଟା,କୁମ୍ଭାରଗୁଡା, ମାଝିଗୁଡା, ମୁଦୁଲିଗୁଡା, ରାମଗଡ, ରଙ୍ଗଣିଗୁଡା, ଏସନାକଟିଗୁଡା, ଭାଲୁଗୁଡା, ସିଙ୍ଗିବନ୍ଦ ଏଭଳି ୧୧ଟି ସ୍କୁଲ ଗୁଡିକ ମିଶ୍ରଣ ହୋଇ ସାରିଥିବା କହିଛନ୍ତି ବିଇଓ ।

ଅନ୍ୟ ପକ୍ଷରେ ରାଜ୍ୟ ଗଣଶିକ୍ଷା ବିଭାଗ ଯଦି ବିଧାନସଭାରେ ଗଣଶିକ୍ଷାମନ୍ତ୍ରୀ ଦେଇଥିବା ବୟାନ ମୁତାବକ ଯଦି ପୁଣି ଚିଠି ପଠାନ୍ତି ତେବେ ଜୟପୁର ବ୍ଲକର ୩ଟି ବିଦ୍ୟାଳୟ ବାଲିଗୁଡା(୧୫), ମାଣ୍ଡିକୋଟା (୧୨),ରଙ୍ଗଣିଗୁଡ଼ା (୧୩) ଜଣ ଲେଖା ପିଲା ଥିବାରୁ ହିଁ ମିଶ୍ରଣ ହେବ ବୋଲି କହିଛନ୍ତି ବିଇଓ। ରାଜ୍ୟ ସରକାର ସବୁ ପିଲାଙ୍କୁ ମାଗଣାରେ ଏବଂ ବାଧ୍ୟତାମୂଳକ ଶିକ୍ଷା ଯୋଜନାରେ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ପାଇଁ ଦୂର୍ଗମ ଅଞ୍ଚଳରେ ଥିବା ପ୍ରତି ଗାଁ ଗଣ୍ଡାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସ୍କୁଲ ସ୍ଥାପନ କରିଥିଲେ। ଅନ୍ୟ ପକ୍ଷରେ ଏବେ ଘଡିକେ ଘଡିଏ ନୂଆ ନିୟମ ହେଉଥିବାରୁ କେତେ ବେଳେ କେଉଁ ସ୍କୁଲ ବନ୍ଦ ହେବ ତାହା କହିବା ମୁସ୍କିଲ ହୋଇପଡିଛି। ତେବେ ନୂଆ ନିଷ୍ପତିର ଚିଠିକୁ ହିଁ ଅପେକ୍ଷା କରି ରହିଛନ୍ତି ଶିକ୍ଷାବିଭାଗ ଏବଂ ୧୫ଟି ଯାକ ସ୍କୁଲର ଅଭିଭାବକ ଏବଂ ଛାତ୍ରଛାତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe