ଚିତ୍ରକର ସାଜି ପରିବାରର ବୋଝ ବୋହୁଛି କାହ୍ନୁ: ମିଳୁନି କାମ, ଭୋକ ଉପବାସରେ କଟୁଛି ଦିନ 

ଚିତ୍ରକର ସାଜି ପରିବାରର ବୋଝ ବୋହୁଛି କାହ୍ନୁ: ମିଳୁନି କାମ, ଭୋକ ଉପବାସରେ କଟୁଛି ଦିନ 

ଜୟପୁର: ଜୟପୁର ବ୍ଲକ ପାମ୍ପୁଣୀର ୨୧ବର୍ଷର କାହ୍ନୁ ପ୍ରଧାନଙ୍କ କାନ୍ଧ ଉପରେ ପଡ଼ିଛି ୫ଜଣିଆ ପରିବାରର ବୋଝ। ଯେଉଁ ସମୟରେ ଖେଳକୁଦ, କଲେଜ ଯାଇ ପାଠ ପଢ଼ି ନିଜର ସ୍ବପ୍ନ ଓ ଲକ୍ଷ୍ୟ ହାସଲ କରିବା କଥାସେ ସମୟରେ ଚିତ୍ରକର ଆଙ୍କି ପରିବାର ଚଳାଉଛନ୍ତି କାହ୍ନୁ। ତେବେ କରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆସିବା ପର ଠାରୁ କାହ୍ନୁଙ୍କୁ ମିଳିନି ଚିତ୍ର ଆଙ୍କିବା କାମ। ଯାହା ସଂଚୟ କରି ରଖିଥିଲେ ସବୁ ସରିଗଲାଣି। ପରିବାରର ସଦସ୍ୟ ମାନେ ଏବେ ଓଳିଏ ଖାଇଲେ ଓଳିଏ ଉପବାସରେ।

କାହ୍ନୁଙ୍କ ବାପା ତ୍ରିନାଥ ପ୍ରଧାନ ଗତ ୩ବର୍ଷ ତଳେ ଗାଁକୁ ଗାଁ ସାଇକେଲରେ ରୁଟି, ମିକ୍ସଚର, ଚକଲେଟ୍, ବିସ୍କୁଟ ଆଦି ନେଇ ବିକ୍ରି କରି ପରିବାର ଚଳାଉଥିଲେ। ତିନୋଟି ଝିଅ , ପତ୍ନୀ ଓ କାହ୍ନୁଙ୍କ ନେଇ ରହିଥିଲା ତ୍ରିନାଥଙ୍କ ପରିବାର। କାହ୍ନୁ ୨୦୧୫-୧୬ମସିହାରେ କୁନ୍ଦ୍ରା ବିଜୁ ପଟ୍ଟନାୟକ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ିଥିଲେ। ଯୁକ୍ତ ୨ ପାସ୍ କରିବା ପରେ ଚିତ୍ରକଳାରେ ସେ ଖଲିକୋଟ କିମ୍ବା ବାଲେଶ୍ବର ଆର୍ଟ ଡିଗ୍ରି କଲେଜରେ ପଢ଼ିବେ ଏବଂ ଦେଶର ଜଣେ ସ୍ବନାମଧନ୍ୟ ଚିତ୍ରକର ହେବାର ଲକ୍ଷ୍ୟ ଓ ସ୍ବପ୍ନ ଦେଖିଥିଲେ।

publive-imageଘରର ଆର୍ଥିକସ୍ଥିତି ଭଲ ନଥିବାରୁ କାହ୍ନୁ ପାଠ ପଢ଼ାରେ ଡୋରି ବାନ୍ଧିଥିଲେ। ଏହି ସ୍ଥିତିରେ ସାନ ଦୁଇ ଭଉଣୀବି ୧୦ମ ପରେ ଆଉ ପଢ଼ୁ ନାହାନ୍ତି ପାଠ । ତ୍ରିନାଥ ଧାର ଉଧାର କରି ବଡ଼ ଝିଅକୁ ବାହା କରିଥିଲେ। ଗତ କିଛି ବର୍ଷ ହେବ ତ୍ରିନାଥଙ୍କ ବୟସଅଧିକା ଏବଂ ଅସୁସ୍ଥ ହେବା ପରେ ଆଉ ସାଇକେଲ ଚଳାଇ ବୁଲି ନ ପାରି ଘରେ ସେଭଳି ପଡ଼ି ରହୁଛନ୍ତି। ଏହା ପର ଠାରୁ କାହ୍ନୁ ଆଉ ନିଜ ଲକ୍ଷ୍ୟ ଓ ସ୍ବପ୍ନ ପୁରଣକୁ ପରିବାର ପାଇଁ ଜଳାଞ୍ଜଳି ଦେଇ ପରିବାରର ପ୍ରତିପୋଷଣ କରିବାକୁ ଅଣ୍ଟା ଭିଡ଼ିଥିଲେ।

ସଂପର୍କୀୟ ଚିତ୍ରକର ସୌଭାଗ୍ୟ ମଣ୍ଡଳଙ୍କ ସହ ପ୍ରଥମେ ବୁଲି କାମ ଶିଖିଥିଲେ। ଦିନକୁ ସେ ୫୦ରୁ ୬୦ଟଙ୍କା ଦେଉଥିଲେ। ନିଜ ଇଛା ଶକ୍ତି, ଲୁକ୍କାୟିତ କଳାକୁ ପରିସ୍ପୁଟିତ କରି ବିନା ଗୁରୁରେ ନିଜ ବୁଦ୍ଧି ବଳରେ ସେ ଥ୍ରିଡି ୱାଲ୍ ପେଣ୍ଟିଙ୍ଗ, ପେନ୍ , ପେନସିଲ୍ ଆର୍ଟ, ୱାଟର କଲର, ସଫ୍ଟ ପେଷ୍ଟ ଆର୍ଟ, ଟ୍ରାଇବଲ୍ ଆର୍ଟ ସହ ବିଭିନ୍ନ ପୂଜା ପାଇଁ ମୂର୍ତ୍ତୀ ଓ ମୁକୁଟ ନିର୍ମାଣ ଶିଖିବା ସହ ଏହାକୁ ଏବେ ବଞ୍ଚିବା ପାଇଁ ପେସା କରିଛନ୍ତି। ଜୟପୁର ସହର ଠାରୁ ପାମ୍ପୁଣୀ ଅଂଚଳର ବିଭିନ୍ନ ସ୍କୁଲ, ଅଙ୍ଗନୱାଡୀ କେନ୍ଦ୍ର ଓ ଲୋକଙ୍କ ବରାଦି ଅନୁଯାୟୀ ସେ ଚିତ୍ର ଆଙ୍କୁଥିଲେ। ଯାହା କିଛି ଏଥିରୁ ମିଳୁଥିଲା ପରିବାର କଷ୍ଟମଷ୍ଟେ ଚଳୁଥିଲେ। ଗତ ୪ମାସ ହେବ ଭୋକ ଉପବାସରେ ଦିନ କଟିଛି , ମହରଗ ଯୁଗରେ ପରିବାରକୁ ପ୍ରତିପୋଷଣ କରିବା ବହୁ କଷ୍ଟ। ଆଉ କେତେ ଦିନ ଏଭଳି ଦୁଃଖ ଦେଖିବାକୁ ପଡ଼ିବ ବୋଲି କହିଛନ୍ତି କାହ୍ନୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe