ଶିକ୍ଷକଙ୍କୁ ପୋଡ଼ି ହତ୍ୟା ଘଟଣା:ହାତ ବାନ୍ଧି ବସିଛି ପୁଲିସ

ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିନି: ଥାନା ଅଧିକାରୀ:

ଶିକ୍ଷକଙ୍କୁ ପୋଡ଼ି ହତ୍ୟା ଘଟଣା:ହାତ ବାନ୍ଧି ବସିଛି ପୁଲିସ

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ରାଣିଗଡ ନିକଟସ୍ଥ ଡଙ୍ଗରା ଆମ୍ବ ତୋଟାରେ (ଆଞ୍ଚଳିକ ଶିକ୍ଷା ସଂଯୋଜକ) ଶିକ୍ଷକ ସନ୍ଦୀପ ସିଲଙ୍କ ଦରପୋଡା ଶବ ମିଳିବା ଘଟଣାକୁ ୧୦ ଦିନ ବିତିଛି। ତାଙ୍କୁ ହତ୍ୟା କରି ପୋଡି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ତେବେ ଏହି ଘଟଣାରେ ପୁଲିସର ତଦନ୍ତ ଇଞ୍ଚେ ବି ଆଗେଇ ପାରିନି। ପୁଲିସର ତଦନ୍ତ କେବଳ ମୋବାଇଲ୍‌ କଲ୍‌ ରେକର୍ଡ ଯାଞ୍ଚ ମଧ୍ୟରେ ସୀମିତ ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିଲେ ତଦନ୍ତ ଆଗକୁ ବଢ଼ିବ ବୋଲି ପୁଲିସ କହୁଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ କିନ୍ତୁ ତିନି ଦିନ ହେଲା ବ୍ୟବଚ୍ଛେଦ ରିପୋର୍ଟ ପୁଲିସକୁ ପ୍ରଦାନ କରାଯାଇଥିବା କହୁଛନ୍ତି।

ପୁଲିସ ଏବଂ ମେଡିକାଲ କର୍ତ୍ତୃପକ୍ଷଙ୍କ କଥାରେ ତାଳମେଳ ରହୁ ନଥିବାରୁ ଏହି ବୀଭତ୍ସ ହତ୍ୟା ଘଟଣା ଉପରୁ ପରଦା ହଟିପାରି ନାହିଁ।
ଜଣେ ଶିକ୍ଷକଙ୍କୁ ଆମ୍ବ ବଗିଚାରେ ପୋଡି ମାରିଦିଆଯିବା ଘଟଣାକୁ ନେଇ ବୋରିଗୁମ୍ମା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଘଟଣାଟି ଅତି ସ୍ପର୍ଶର୍କାତର ହୋଇଥିବାରୁ ଏହାର ବିଭିନ୍ନ ଦିଗକୁ ଦୃଷ୍ଟି ଦେଇ ତଦନ୍ତ କରିବାକୁ କୋରାପୁଟ ଏସପି ନିର୍ଦ୍ଦେଶ ଦେଇଥିଲେ। ତେବେ ପୁଲିସର ତଦନ୍ତ ଆଗକୁ ବଢ଼ୁ ନଥିବାରୁ କିଏ କାହିଁକି ଜଣେ ଶିକ୍ଷକଙ୍କୁ ଏଭଳି ବୀଭତ୍ସ ଭାବେ ହତ୍ୟା କଲା ତାହା ରହସ୍ୟାବୃତ୍ତ ହୋଇରହିଛି।
ଏ ସଂପର୍କରେ ବୋରିଗୁମ୍ମା ଆଇଆଇସି ଉତ୍ତମ ମହାନ୍ତି କହିଛନ୍ତି ଯେ ତଦନ୍ତ ଜାରି ରହିଛି। ମୃତ ଶିକ୍ଷକଙ୍କ ପରିବାର ବର୍ଗଙ୍କୁ ପଚାରଉଚୁରା କରାଯାଇଛି। ପାରିବାରିକ କଳହ ଓ ଅର୍ଥ ଦେଣନେଣ ସମସ୍ୟା ଥିଲା। ପ୍ରେମ ବ୍ୟାପରକୁ ନେଇ ସେ ଚିନ୍ତାରେ ଥିଲେ ବୋଲି ପୁଲିସ କହିଛି। ଏହାସହ ପରିବାରର ଫଟୋ ଭାଇରାଲ କରିଥିବା କିଛି ଯୁବକଙ୍କୁ ମଧ୍ୟ ଡାକି ପଚରାଉଚୁରା କରାଯାଇଛି। ତେବେ ଏ ଯାଏଁ ଶବ ବ୍ୟବଚ୍ଛେଦ ରିପୋର୍ଟ ମେଡିକାଲରୁ ମିଳି ନଥିବାରୁ ତଦନ୍ତ ଗତିଶୀଳ ହୋଇପାରି ନଥିବା ଶ୍ରୀ ମହାନ୍ତି କହିଛନ୍ତି।
ଏନେଇ ଏସଡିଏମଓ ଦଧିବାମନ ତ୍ରିପାଠୀଙ୍କୁ ପଚରାଯିବାରୁ ଶିକ୍ଷକଙ୍କ ଶବ ବ୍ୟବଚ୍ଛେଦ କରିବା ଦାୟିତ୍ୱ ଡା.ଭବାନୀ ସାହୁଙ୍କୁ ଦିଆଯାଇଥିଲା। ଏ ସଂପର୍କିତ ରିପୋର୍ଟ ସେ ୩ ଦିନ ପୂର୍ବରୁ ଦେଇସାରିଛନ୍ତି। ଏହି ଘଟଣା ଅତି ସ୍ପର୍ଶକାତର ହୋଇଥିବାରୁ ଭଲଭାବେ ପରୀକ୍ଷା କରାଯାଇ ରିପୋର୍ଟ ଦିଆଯାଇଛି ବୋଲି ଡା. ତ୍ରିପାଠୀ କହିଛନ୍ତି। ଅପରପକ୍ଷରେ ମୃତ ଶିକ୍ଷକଙ୍କ ସଂପର୍କୀୟ ଦେବରାଜ ଶିଲ କହିଛନ୍ତି ଯେ ଘଟଣାକୁ ୧୦ ଦିନ ବିତିଥିଲେ ମଧ୍ୟ ପୁଲିସ ପକ୍ଷରୁ ସେପରି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନି। ପୁଲିସ ଏହି ଘଟଣାରେ କାହାରିକୁ ଗିରଫ କରିବା ଛାଡ ପଚରାଉଚୁରା ମଧ୍ୟ କରୁ ନ ଥିବା ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe