କୋଭିଡ୍ ବର୍ଜ୍ୟବସ୍ତୁ ଯାଉଛି କୁଆଡ଼େ?

Advertisment
କୋଭିଡ୍ ବର୍ଜ୍ୟବସ୍ତୁ ଯାଉଛି କୁଆଡ଼େ?

ଜୟପୁର: କୋଭିଡ୍ ସଂକ୍ରମିତଙ୍କ ବର୍ଜ୍ୟ, ସଂକ୍ରମଣର ବାହାକ। ସଂକ୍ରମିତ ବ୍ୟବହାର କରୁଥିବା ଗ୍ଲୋଭସ୍ , ମାସ୍କ, ଅନ୍ୟାନ୍ୟ ସାମଗ୍ରୀରେ ଭୁତାଣୁ ବ୍ୟାପିବାର ସମ୍ଭାବନା ଅଧିକା। ଖାସ୍ ଏଇଥିପାଇଁ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟାର(ସିସିସି)ରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ବ୍ୟବସ୍ଥିତ ଡ଼ଙ୍ଗରେ ନଷ୍ଟ କରାଯାଉଛି। ଏଥିପାଇଁ ବହୁ ଟଙ୍କା ବି ଖର୍ଚ୍ଚ କରାଯାଉଛି।

ଜୟପୁର କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟାରରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ଏହାରି ପରିସର ମଧ୍ୟରେ ବଡ଼ ବଡ଼ ପିଟ୍ (ଗାତ ଖୋଳି) କେମିକାଲ ସହ ପକାଯାଉଛି। ଏହା ଦିନକରୁ ଦୁଇ ଦିନ ମଧ୍ୟରେ ନଷ୍ଟ ହେଉଥିବା କହିଛନ୍ତି କୋଭିଡ୍ ହସ୍ପିଟାଲ ଏଏମଓ ଡ.ଆଶିଷ ରଂଜନ ପାଣିଗ୍ରାହୀ ଓ ସିସିସି ଏମଏଓ ଡ.ଦୂର୍ଗା ପ୍ରସାଦ ପାତ୍ର।

ଅନ୍ୟ ପକ୍ଷରେ ସଂଗରୋଧରେ ୧୫୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ରହିଥିବା ବେଳେ ଏମାନଙ୍କ ବର୍ଜ୍ୟବସ୍ତୁ ଯାଉଛି କୁଆଡେ ଏବେ ଏହାକୁ ନେଇ ପ୍ରଶ୍ନ ଉଠିଛି। ସବୁଠାରୁ ବଡ଼ କଥା ହେଲା ସଂକ୍ରମିତମାନେ ବର୍ଜ୍ୟବସ୍ତୁକୁ ସୁରକ୍ଷିତ ଭାବେ କେଉଁଟି କେମିତି ନଷ୍ଟ କରିବେ, ଏନେଇ ସଂକ୍ରମିତ ସଂପୁର୍ଣ୍ଣ ଅଜ୍ଞ। ପ୍ରଶାସନ ପକ୍ଷରୁ ଏହି ବର୍ଜ୍ୟବସ୍ତୁକୁ କେଉଁଟି ବିଘଟନ କରିବେ ସେ ନେଇ ବି ସଚେତନ କରିବା ନଜିର ନାହିଁ। ଫଳରେ ସଂକ୍ରମିତମାନେ ନାନା ଦ୍ବନ୍ଦରେ ରହି ଏହି ବର୍ଜ୍ୟକୁ ଏଣେ ତେଣେ ଫୋପାଡୁଛନ୍ତି।

କେହି କେହି ଏହି ବର୍ଜ୍ୟବସ୍ତୁକୁ କେନାଲ ପାଣିରେ କିମ୍ବା ଆଳିଆଗଦାରେ ଫୋପାଡିଲେଣି। ଆଉ କେହି କେହି ନିଆଁ ଲଗାଉଥିବା ଦେଖିବାକୁ ମିଳିଛି। ଅଧିକାଂଶ ଖୋଲାମେଲାରେ ସହରର ବିଭିନ୍ନ ଆଳିଆଗଦାରେ ଦୀର୍ଘ ସମୟ ଧରି ପଡ଼ିରହୁଥିବାରୁ ଏହାର ସଂସ୍ପର୍ଶରେ ଆସୁଥିବା ମଣିଷ ଓ ପଶୁ ବି ସଂକ୍ରମିତ ହେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ଦିନକୁ ଦିନ ଜୟପୁର ସହରରେ ସଂକ୍ରମଣ ହାର ବଢ଼ୁଥିବା ବେଳେ ଏହା ବି ଏକ କାରଣ ହୋଇ ପାରେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ସଂକ୍ରମିତଙ୍କ ବର୍ଜ୍ୟବସ୍ତୁକୁ ସୁରକ୍ଷିତ ଭାବେ ନଷ୍ଟ କରିବାକୁ ସ୍ବତନ୍ତ୍ର ସରକାରୀ ଗାଇଡଲାଇନ୍ ରହିଛି। କୋଭିଡ୍ ବର୍ଜ୍ୟକୁ ସାନିଟାଇଜ୍ କରିବା ପରେ ସଂକ୍ରମିତ ବର୍ଜ ପରିଚାଳନା କରୁଥିବା ସଂସ୍ଥାକୁ ଯୋଗାଯୋଗ କଲେ ସେମାନେ ବର୍ଜ୍ୟବସ୍ତୁ ଉଠାଇବେ। ନଚେତ ସଂକ୍ରମିତ ମାନେ ମାଟିରେ ଗାତ ଖୋଳି ସେଥିରେ ବ୍ଲିଚିଂ ପାଣିରେ ୧୨ଘଣ୍ଟା ଧରି ବୁଢ଼ାଇ ରଖି ପୋତିଦେଲେ ତାହା ନଷ୍ଟ ହେବ। ଏସଂପର୍କରେ ଜନ ସଚେତନତା ସୃଷ୍ଟି କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe