ବଦଳିବ କି କୋଟପାଡ ଓ ଲକ୍ଷ୍ମୀପୁର ଭୋଟରଙ୍କ ଭାଗ୍ୟ !

Advertisment
ବଦଳିବ କି କୋଟପାଡ ଓ ଲକ୍ଷ୍ମୀପୁର ଭୋଟରଙ୍କ ଭାଗ୍ୟ !

କୋରାପୁଟ: ଆଉ ମାସ କେଇଟାରେ ପରେ ହେବ ପଞ୍ଚାୟତ ନିର୍ବାଚନ । ଯେଉଁ ଦଳ ଯେଉଁଠି ପଛରେ ରହିଛି ସେହି ଦଳ ସେଠାରେ ଚଳାଇଛି ରାଜନୈତିକ ଗୋଟି । ଅନ୍ୟଦଳରୁ ନେତାଙ୍କୁ ଆଣି ବିଜେଡି ହାତ ମୁଠାକୁ ଟାଣ କରୁଥିବାବେଳେ କୋରାପୁଟରେ ପଞ୍ଚାୟତ ନିର୍ବାଚନ ବାଜିମାତ କରିବାକୁ ଦଳ ପ୍ରସ୍ତୁତ କରିଛି ବ୍ଲୁପ୍ରିଣ୍ଟ । ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ସବୁ ଦଳ କଠୋର ପ୍ରୟାସ କରାଯାଉଥିବାବେଳେ ସବୁଠୁ ଆଗରେ ରହିଛି କୋରାପୁଟ ବିଜେଡି । କଂଗ୍ରେସ ଘାଟାରେ ପଡିଥିବାବେଳେ ବିଜେପି ଦଳୀୟ କନ୍ଦଳ ଦେଇ ଗତି କରୁଛି । ପଞ୍ଚାୟତ ନିର୍ବାଚନ ପାଇଁ ସବୁ ଦଳ ନିଜକୁ ତୟାର କରୁଥିବାବେଳେ ବିଜେଡି ପଛରେ ପଡିନି । କୋରାପୁଟ ଜିଲ୍ଲାର କୋଟପାଡ ନିର୍ବାଚନ ମଣ୍ଡଳୀ ଓ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ରହୁଥିବା ଭୋଟରକୁ ହାତେଇବାକୁ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ ।

୨୦୧୯ ନିର୍ବାଚନରେ କୋଟପାଡ ଓ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଅଳ୍ପକେ ଜିତିଥିଲା ବିଜେଡି । ତେଣୁ ଏହି ଦୁଇ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ପ୍ରାର୍ଥୀଙ୍କୁ ନିଜ ଆଡକୁ ଟାଣି ନେଇ କଂଗ୍ରେସ ବିରୋଧରେ ବ୍ୟବହାର କରିବା ଆଶା କରାଯାଉଛି । ୨୦୨୪ ପୂର୍ବରୁ ପଞ୍ଚାୟତ ଓ ପୌର ନିର୍ବାଚନ ରହିଥିବାରୁ କଂଗ୍ରେସକୁ ତୁଣମୂଳସ୍ତରରେ ଉପାଡିବାକୁ ସଫଳ ହେବା ଆଶା କରାଯାଉଛି । ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା ୨୦୧୪ରୁ ୨୦୧୯ ଯାଏ କଂଗ୍ରେସରୁ ଟିକେଟ ପାଇ ବିଧାୟକ ରହିଥିଲେ। ଏହି ସମୟରେ ସେ ୫୩ ହଜାର ୨୪୯ ଭୋଟପାଇଥିବାବେଳେ ବିଜେଡିର ହେମା ଗମାଙ୍ଗୋେ ପାଇଥିଲେ ୩୦୯୫୬ ଭୋଟ। ସେ ହେମାଙ୍କୁ ୨୨୩୫୦ ଭୋଟରେ ପରାଜିତ କରି ବିଧାୟକ ହୋଇଥିଲେ। ଏହାପରେ ୨୦୧୯ ନିର୍ବାଚନରେ ସେ କଂଗ୍ରେସରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିଥିଲେ। କିନ୍ତୁ ତାଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡିଥିଲା। ମୋଟ ଭୋଟ ୧ଲକ୍ଷ ୫୭ ହଜାର ୮୬୨ରୁ କୈଳାଶ ୪୪ ହଜାର ୯୮୨ଟି ଭୋଟ ପାଇଥିବାବେଳେ ବିଜେଡିର ପ୍ରଭୁ ଜାନି ୪୫ ହଜାର ୨୧୧ଟି ଭୋଟ ପାଇ ବିଜୟୀ ହୋଇଥିଲେ।

ମାତ୍ର ୨୨୯ଟି ଭୋଟରେ ସେ ପରାଜିତ ହୋଇଥିଲେ। ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ରହିଥିବା ଲକ୍ଷ୍ମୀପୁର, ବନ୍ଧୁଗାଁ, ନରାୟଣ ପାଟଣା ଓ ଦଶମନ୍ତପୁର ବ୍ଲକକୁ ହାତେଇବାକୁ ଯୋଜନା କରିଛି ବିଜେଡି । ସେହିପରି କୋଟପାଡ ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୬୭ ହଜାର ୮୧୯ ଖଣ୍ଡ ଭୋଟ ପଡିଥିବାବେଳେ ବିଜେଡିର ପଦ୍ମୀନି ଦିଆନ୍ ୬୨ ହଜାର ୨୪୮ ଭୋଟ ପାଇଥିବାବେଳେ କଂଗ୍ରେସର ଚନ୍ଦ୍ରଶେଖର ମାଝି ୫୯ହଜାର ୧୬୯ ପାଇଥିଲେ । ଏହି କଂଗ୍ରେସକୁ କେହି ଭାଙ୍ଗି ପାରୁ ନଥିବାବେଳେ ୨୦୧୯ରେ ଭାଙ୍ଗିଥିଲା ବିଜେଡି । ଏବେ ପଞ୍ଚାୟତ ନିର୍ବାଚନରେ କୋଟପାଡ ନିର୍ବାଚନ ମଣ୍ଡଳୀ ଅଧିନରେ ରହୁଥିବା କୋଟପାଡ ଓ କୁନ୍ଦୁରା ବ୍‌କକୁ ହାତେଇବାକୁ ଯୋଜନା କରିଛି ବିଜେଡି । ବିଜେପିରେ ଗୋଷ୍ଟୀ କନ୍ଦଳ ଓ କଂଗ୍ରେସର ନେତୃତ୍ୱ ହୀନ ରାଜନୀତି ହେତୁ ବିଜେଡି ପଞ୍ଚାୟତ ନିର୍ବାଚନର ବୈତରଣୀକୁ ପାର ହେବାକୁ ଚେଷ୍ଟା ଜାରି ରଖିଛି । ଏନେଇ ବିଜେଡି ଜିଲ୍ଲା ସଭାପତି ଇଶ୍ୱର ପାଣିଗ୍ରାହୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ସ୍ୱର୍ଚ୍ଛ ଶାସନ ଓ ବିକାଶ ଧାରାକୁ ଦେଖି ଲୋକେ ସ୍ୱତପ୍ରବୃତ ଭାବେ ଯୋଗ ଦେଉଛନ୍ତି । ବିଜେଡିର ତୃଣମୂଳରେ ଲୋକଙ୍କ ସହ ରହିଛି, ଆଗକୁ ଲୋଙ୍କର ହିଁ ବିଜୟ ହେବ ବୋଲି ସେ କହିଛନ୍ତି ।

ଏନେଇ ଡିସିସି ସଭାପତି ମୀନାକ୍ଷୀ ବାହିନିପତି କହିଛନ୍ତି ଯେ ଦଳରୁ ନେତା ଗଲେ ଭୋଟରଙ୍କୁ ପ୍ରଭାବିତ କରିପାରିବ ନାହିଁ । କଂଗ୍ରେସ ଦଳ ଏକ ମହାଦ୍ରୁମ ଏଥିରେ ପତ୍ରଟିଏ ଚାଲି ଗଲେ ଗଛ ଭାଙ୍ଗିପଡିବ ନାହିଁ । ନୂଆ ନେତୃତ୍ୱ ସୃଷ୍ଟି ହୋଇସାରିଛନ୍ତି । ତାଙ୍କ ନେତୃତ୍ୱରେ ଦଳ ପଞ୍ଚାୟତ ନିର୍ବାଚନରେ ଭଲ କରିବ ବୋଲି ସେ କହିଛନ୍ତି । ଏନେଇ ବିଜେପି ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ କହିଛନ୍ତି ଯେ କିଏ କୁଆଡେ ଗଲା, ଆସିଲା ତାହା ସହ ବିଜେପିର କିଛି ଦେଣନେଣ ନାହିଁ । ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଦଳ ମଇଦାନକୁ ଓହ୍ଲେଇବ । ସମୟ ଥିଲା ଆମର ବୁଥ ସ୍ତରରେ ଲୋକ ନ ଥିଲେ । ସେ ସମୟ ଯାଇଛି ଏବେ ବିକାଶ ହିଁ ପ୍ରମୁଖ ପ୍ରସଙ୍ଗ ହେବ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe