ପୁଣି କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ଶୁଣାଣି ଆରମ୍ଭ ହେବ; ସହା‌ୟତା ଯୋଗାଇଲା ଜିଲ୍ଲା ଆଇନ ସେବା ପ୍ରାଧିକରଣ

Advertisment
ପୁଣି କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ଶୁଣାଣି ଆରମ୍ଭ ହେବ; ସହା‌ୟତା ଯୋଗାଇଲା ଜିଲ୍ଲା ଆଇନ ସେବା ପ୍ରାଧିକରଣ

Sambad

ଜୟପୁର: ବହୁ ଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ଶୁଣାଣି ପୁଣି ହେବ। ମୃତ ପୀଡ଼ିତାଙ୍କ ପରିବାର ପକ୍ଷରୁ ଏହି ମାମଲା ଲଢ଼ିବେ ବରିଷ୍ଠ ଆଇନଜୀବୀ ବଳରାମ ଖରା। ତାଙ୍କୁ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ନିୟୋଜିତ କରାଯାଇଛି ବୋଲି କହିଛନ୍ତି ଜିଲ୍ଲା ଆଇନସେବା ପ୍ରାଧିକରଣ ପ୍ରଣ୍ଟ ଅଫିସ ରିଟେନର ତଥା ଆଇନଜୀବୀ କେ.ଦିବାକର ରାଓ।ପ୍ରାଧିକରଣ ପକ୍ଷରୁ ନିୟୋଜିତ କରାଯାଇଥିବା ଚିଠି ପାଇଥିବା କହିଛନ୍ତି ବରିଷ୍ଠ ଆଇନଜୀବୀ ଶ୍ରୀ ଖରା। ସେ ଏହି ମାମଲାର ସମସ୍ତ କାଗଜପତ୍ରର ନକଲ ପାଇଁ ସାର୍ଟିଫାଏଡ଼୍‌ କଫିର ଆବେଦନ ଆସନ୍ତାକାଲି କରିବେ।

ପରିବାରବର୍ଗ ସହ ଆଲୋଚନା କରି କୋଟରେ ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିବେ। ପ୍ରୋଟେଷ୍ଟ ପିଟିସନ୍ ଦାଖଲ ପରେ ମାମଲାର ସାକ୍ଷ୍ୟ ପ୍ରମାଣ ଗ୍ରହଣ ଆରମ୍ଭ ହେବ। ପୀଡ଼ିତାଙ୍କ ପରିବାରବର୍ଗ ସହ ଅନ୍ୟ କିଛି ସାକ୍ଷ୍ୟଙ୍କର ବି ପ୍ରମାଣ ନିଆଯିବ ବୋଲି କହିଛନ୍ତି ଆଇନଜୀବୀ ଶ୍ରୀ ଖରା। ସୂଚନା ଯୋଗ୍ୟ, ଗତ ତିନି ମାସ ତଳେ କୋରାପୁଟ ଜିଲ୍ଲାର ବହୁଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା ପୁଣି ଭିନ୍ନମୋଡ଼ ନେଇଥିଲା। ମୃତ ନାବାଳିକାଙ୍କ ମା’, ଖୁଡ଼ୀ ଓ ବଡ଼ଭାଇ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ଉପସ୍ଥିତ ରହି ପୁଲିସର ତଦନ୍ତରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହିତ, ଆଇନଗତ ସହାୟତା ପ୍ରଦାନ କରିବାକୁ ଆବେଦନ କରିଥିଲେ। ଏହାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଗ୍ରହଣ କରିଥି‌ଲା। କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ମାମଲାରେ ପଟ୍ଟାଙ୍ଗି ପୁଲିସ ତଦନ୍ତ କରି କୋର୍ଟରେ ଫାଇନାଲ ଫର୍ମ ଦାଖଲ କରିସାରିଛି।

ଏହି ମାମଲାରେ ‘ନୋ କ୍ଲୁ’ (ପ୍ରମାଣ ନାହିଁ) ଓ ‘ମି‌ଷ୍ଟେକ୍ ଅଫ୍ ଫ୍ୟାକ୍ଟସ୍’ (ତଥ୍ୟଗତ ତ୍ରୁଟି) ବୋଲି ଉଲ୍ଲେଖ କରିବା ସହ ମାମଲାକୁ ଖାରଜ କରିବାକୁ କୋର୍ଟକୁ ଅନୁରୋଧ କରିଛି। ପୁଲିସ ପକ୍ଷରୁ କୋର୍ଟରେ ଫାଇନାଲ ଫର୍ମ ଦାଖଲ ହୋଇଥିବାବେଳେ ଅଭିଯୋଗକାରୀ ପରିବାରବର୍ଗ ଏହି ମାମଲାକୁ ନେଇ ପୁଣି ଲଢ଼ିବା ପାଇଁ ଆବେଦନ କରିଥିଲେ। ପୁଲିସର ଚୂଡ଼ାନ୍ତ ଫର୍ମରେ ଦିଆଯାଇଥିବା ସୂଚନା ଠିକ୍‌ କି ବୋଲି କୋର୍ଟ ସଂପୃକ୍ତ ପରିବାରବର୍ଗକୁ ପଚାରିଥିଲେ। ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ପୁଲିସ୍‌ ସଠିକ୍‌ ଢଙ୍ଗରେ ମାମଲାର ପରିଚାଳନା ନକରି ଖାରଜ କରିବା ପାଇଁ ଆବେଦନ କରିଛି। ତେଣୁ, ଆଗାମୀ ଦିନରେ ସେମାନେ ବେସରକାରୀ ଓକିଲଙ୍କ ସହାୟତାରେ ମାମଲା ଲଢ଼ିବେ ବୋଲି ଜଣାଇବା ସହିତ ଆଇନଗତ ସହାୟତା ପାଇଁ ଆବେଦନ କରିଥିଲେ।

ପ୍ରକାଶଥା‌ଉକି, ଏହି ମାମଲାରେ ଏସ୍‌ଆଇଟି ପକ୍ଷରୁ ହୋଇଥିବା ତଦନ୍ତର ରିପୋର୍ଟ କୋର୍ଟରେ ଦାଖଲ ହୋଇଛି। ଏହାସହ ରାଜ୍ୟ ସରକାର ପକ୍ଷରୁ କରାଯାଇଥିବା କମିଶନଙ୍କ ରିପୋର୍ଟ ବି କୋର୍ଟରେ ଦାଖଲ ହୋଇସାରିଛି। ଏଥିରେ ୧୫ଜଣ ସରକାରୀ କର୍ମଚାରୀ, ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ସମେତ ୧୯ଜଣ ସାକ୍ଷୀଙ୍କ ବୟାନ ଓ ସତ୍ୟପାଠ ଦାଖଲ କରାଯାଇଥିଲା। ପୁଲିସ ଏହି ମାମଲାରେ କୋର୍ଟକୁ ଫାଇନାଲ ଫର୍ମ ଦେଇଥିବାବେଳେ ପୀଡ଼ିତା ପରିବାରବର୍ଗ ପୁଲିସ ତଦନ୍ତରେ ଅସନ୍ତୋଷ ଥିବା ଦର୍ଶାଇବା ଘଟଣା ଏବଂ ପୁଣି ଏହି ମାମଲାର ଶୁଣାଣି ଆରମ୍ଭ ହେବା ଘଟଣାଏହି ମାମଲାକୁ ନୂଆ ମୋଡ଼ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe