ଭଗ୍ନ ଅବସ୍ଥାରେ ଐତିହାସିକ ସ୍ମାରକୀ ଲବଣ କୋଠି, ପୁନରୁଦ୍ଧାର କେବେ?

Advertisment
ଭଗ୍ନ ଅବସ୍ଥାରେ ଐତିହାସିକ ସ୍ମାରକୀ ଲବଣ କୋଠି, ପୁନରୁଦ୍ଧାର କେବେ?

Sa,mbad

ଏରସମା: ଏରସମା ବ୍ଲକର ଜାନକାଦେଇପୁର ପଞ୍ଚାୟତର ନରସିଂହପୁର ଗ୍ରାମରେ ଅବହେଳିତ ଅବସ୍ଥାରେ ପଡ଼ି ରହିଛି ଜିଲ୍ଲାର ବ୍ରିଟିସ୍‌ ଅମଳର ଐତିହାସିକ ସ୍ମାରକୀ ଲବଣ କୋଠି। ଅଳକା ନଦୀ କୂଳରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ଏହି ଲବଣ କୋଠିର ପୁନରୁଦ୍ଧାର ଦିଗରେ କୌଣସି ଉଦ୍ୟମ ହେଉ ନଥିବାରୁ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଦେଶ ସ୍ବାଧୀନତା ପାଇବା ପୁର୍ବରୁ ଏହି କୋଠିରେ ବ୍ରିଟିସ ସରକାରଙ୍କ ପକ୍ଷରୁ ସିପାହୀମାନେ କ୍ୟାମ୍ପ୍‌ ପକାଇ ରହୁଥିଲେ। ସେ ସମୟରେ ଏହି ଅଂଚଳରେ ଅଞ୍ଚଳବାସୀଙ୍କୁ ଲୁଣା ମାରିବାକୁ ସୁଯୋଗ ଦିଆଯାଉ ନଥିଲା। ଇଂଲଣ୍ତରୁ ଲୁଣ ଆଣି ଏଠାରେ ବିକ୍ରି କରାଯାଉଥିଲା। ବ୍ରିଟିସ୍‌ ନିର୍ଦ୍ଦେଶକୁ ଅବମାନନା କରି ସମୁଦ୍ରରୁ ଲୁଣ ମାରୁଥିବା ଅବା ବିଦେଶୀ ଲୁଣ ବ୍ୟବହାର କରୁ ନଥିବା ବ୍ୟକ୍ତିଙ୍କୁ ନେଇ ଏହି କୋଠିରେ ଶାରୀରିକ ଓ ମାନସିକ ଦଣ୍ଡ ଦିଆଯାଉଥିଲା। ଏହା ସତ୍ତ୍ବେ ଆଖପାଖ ଅଂଚଳରେ କେତେକ ଲୋକ ସମୁଦ୍ରରୁ ଲୁଣ ମାରି ଗାଁ ଗାଁରେ ବିକ୍ରି କରି ପରିବାରର ପ୍ରତିପୋଷଣ କରୁଥିଲେ। ମାତ୍ର ବିଟ୍ରିସ ସରକାରଙ୍କ ସିପାହୀମାନେ ସେମାନଙ୍କୁ ଧରିଆଣି ସେହି କୋଠିରେ ରଖି ବର୍ଷବର୍ଷ ଧରି ନିର୍ଯାତନା ଦେଉଥିଲେ। ଶେଷରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ବରେ ଲବଣ ସତ୍ୟାଗ୍ରହ ଆରମ୍ଭ ହେବାରୁ ବ୍ରିଟିସ ସରକାରଙ୍କ ଦଣ୍ତକୁ ଖାତିର ନକରି ହଜାର ହଜାର ସଂଖ୍ୟାରେ ସତ୍ୟାଗ୍ରହରେ ଝାସ ଦେଇଥିଲେ।

ଗାଁ ଗାଁରେ ଅଂହିସା ଆନ୍ଦୋଳନ ଫଳରେ ବ୍ରିଟିସ୍‌ ସାମ୍ରାଜ୍ୟ ଥରହର ହୋଇଥିଲା। ୧୯୪୨ ମସିହା ସେପ୍ଟେମ୍ବର ୬ ତାରିଖ ଦିନ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଗୌରୀଶ୍ୟାମ ନାୟକଙ୍କ ନେତୃତ୍ବରେ ଶାନ୍ତିସେବକ ଗଠନ କରାଯାଇ ଗାଁ ଗାଁରେ ଏହି ଅହିଂସା ଆନ୍ଦୋଳନ ଆଗକୁ ବଢ଼ାଇଥିଲେ। ଏପରିକି ହଜାର ହଜାର ସ୍ବାଧୀନତା ସଂଗ୍ରାମୀମାନେ ଏରସମା ଥାନା, ନରସିଂହପୁର ଲବଣ କୋଠି, ଜଗନ୍ନାଥପୁର ବଂଗଳାକୁ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ସେହି ସମୟରେ ଇଂରେଜମାନେ ସେମାନଙ୍କୁ ବାନ୍ଧି ନେଇ ଜେଲରେ ରଖିଥିଲେ। ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖ ଦିନ ଦେଶ ସ୍ବାଧୀନ ହୋଇଥିଲା। ପରେ ସେମାନେ ଜେଲରୁ ମୁକୁଳିଥିଲେ। ଆଉ କେତେକ ଜେଲ୍‌ ଭିତରେ ହିଁ ପ୍ରାଣତ୍ୟାଗ କରି ସାରିଥିଲେ। ଏହି ୭୫ବର୍ଷ ଧରି ବ୍ରିଟିସ ଲବଣ କୋଠି ସବୁ ନିର୍ଯାତନାର ମୂକସାକ୍ଷୀ ଭାବେ ପଡ଼ି ରହିଛି। ତେଣୁ ଐତିହାସିକ ଗୁରୁତ୍ବ ବହନ କରୁଥିବା ଏହି କୋଠିର ପୁନରୁଦ୍ଧାର କରାଯାଇ ଇତିହାସ ବିଷୟରେ ଉତ୍ତରପିଢ଼ିଙ୍କୁ ଅବଗତ କରାଯିବା ନିମନ୍ତେ ଉଦ୍ୟମ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe