iStock
ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ ସିରିଙ୍ଗିଆ ନିକଟସ୍ଥ ମହାନୁଙ୍ଗୀ ଗ୍ରାମରେ ‘ବସୁଧା’ ଯୋଜନାରେ ନିର୍ମାଣାଧୀନ ପାଣିଟାଙ୍କି ଉପରୁ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କନ୍ଧ ନୂଆପାଲି ଗ୍ରାମର ରମେଶ ଚନ୍ଦ୍ର ରାଉତ ବୟସ (୨୭)। ଉକ୍ତ ବ୍ୟକ୍ତି ଜଣକ ଠିକାଦାର ମାଧ୍ୟମରେ କାମକରିବା ନିମନ୍ତେ ଆସିଥିଲେ। ଶୁକ୍ରବାର କାମ କରିବା ପାଇଁ ଟାଙ୍କି ଉପରକୁ ଚଢିବା ସମୟରେ ତଳକୁ ଖସିପଡି ଥିଲେ। ସଂଗେ ସଂଗେ ସ୍ଥାନୀୟ ବାସିନ୍ଦା ଏବଂ ଅନ୍ୟ ଶ୍ରମିକମାନେ ସାରଙ୍ଗଡ଼ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଏବଂ ସେଠାରେ ରମେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ସୂଚନା ପାଇ ସାରଙ୍ଗଡ଼ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବାଲିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପଠାଇଛି। ସାରଙ୍ଗଡ଼ ଥାନାରେ ଏକ ଅପମୃତୁ ମାମଲା ରୁଜୁ କରି-ତଦନ୍ତ କରାଯାଇଥିବା ଜଣାପଡ଼ିଛି। ଶ୍ରମିକ ଜଣକ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଠିକାଦାର ତରଫରୁ ତାଙ୍କ ପରିବାରକୁ କିଛି ଆର୍ଥିକ ସାହାଯ୍ୟ ପ୍ରଦାନ ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି।
Follow Us