ସଫଳ କାହାଣୀ: ସୃଜନଶୀଳତାର ଭିନ୍ନ ପରିଚୟ, ଜୀବିକା ଯୋଗାଉଛି ଟେରାକୋଟା

Advertisment
ସଫଳ କାହାଣୀ: ସୃଜନଶୀଳତାର ଭିନ୍ନ ପରିଚୟ, ଜୀବିକା ଯୋଗାଉଛି ଟେରାକୋଟା

ଆଳି: ଆଳି ବ୍ଲକ ଭରତପୁର ଗ୍ରାମର ୧୫ରୁ ଉର୍ଦ୍ଧ୍ବ ମହିଳା ଗଢିଛନ୍ତି ବନଦୁର୍ଗା ସ୍ବୟଂ ସହାୟିକା ଗୋଷ୍ଠୀ। ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ରରୁ ଟେରାକୋଟାରେ ନେଇଛନ୍ତି ତାଲିମ। ଏହି ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ସବିତା ବେହେରା, ମିନତୀ ସାହୁ, ମଂଜୁଲତା ସାହୁ, କୈକେୟୀ ବେହେରା, ଶଶୀକଳା ସାହୁ, ସ୍ନେହଲତା ସାହୁ, ଅନସୂୟା ସାହୁ, ମୋହିନୀ ସାହୁ, ସଂଜୁଲତା ସାହୁ, ସସ୍ମିତା ସାହୁ, ରଂଜିତା ବେହେରା, କଳ୍ପନା ସାହୁ ପ୍ରମୁଖ ନିଜ ଯାଦୁକରୀ ହାତର ସ୍ପର୍ଶରେ ଶୁଖିଲା ମାଟିକୁ ଜୀବନ କରି ଗଢି ତୋ‌ଳୁଛନ୍ତି। ସେମାନେ ସୃଜନଶୀଳତାର ନୂଆ ପରିଚୟ ରଖିଛନ୍ତି। ମାଟି‌ରେ ଗଢୁଛନ୍ତି ଭଳିକି ଭଳି ମୂର୍ତ୍ତି। ହାତୀ, ଘୋଡା ସାଙ୍ଗକୁ ଅନେକ କିଛି। ମୂର୍ତ୍ତିକୁ ସତେ ଯେପରି ଜୀବନ୍ତ କରି ସେମାନଙ୍କ ମୁହଁରେ ଫୁଟାଉଛନ୍ତି ହସ। ପୁଣି ଘର ସଜେଇବା ପାଇଁ ଗଢି ଚାଲୁଛନ୍ତି ବୋଇତ, କଳସୀ, ଫୁଲଦାନୀ, ଦୀପ, କଖାରୁ, ବାଇଗଣ, ଭେଣ୍ଡି, କଲରା ଆଦି କେତେ କ’ଣ। ପ୍ରତିଦିନ ଏହି ମହିଳାମାନେ ଘର କାମ ସାରିବା ପରେ ବଳକା ସମୟର ଉପଯୋଗ ପାଇଁ ଏକାଠି ହୋଇ ଟେରାକୋଟା କାମ କରିଥାନ୍ତି। ମାଟି, କାଦୁଅରୁ ପ୍ରସ୍ତୁତ ସାମଗ୍ରୀକୁ ଖରାରେ ଶୁଖାଇବା ପରେ ନିଆଁରେ ପୋଡ଼ି ରଙ୍ଗ ଦେଉଛନ୍ତି।

ତା’ପରେ ପ୍ରସ୍ତୃତ ହୋଇଯାଉଛି ଭଳିକିଭଳି ରଙ୍ଗବେରଙ୍ଗର ଟେରାକୋଟା ସାମଗ୍ରୀ। ଏସବୁ ଟେରାକୋଟା ସାମଗ୍ରୀ ଦେଖିବାକୁ ଯେତିକି ସୁନ୍ଦର, ସେତିକି ଆକର୍ଷଣୀୟ। ବନଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀର ନେତୃତ୍ୱ ନେଉଥିବା ମିନତୀ, ରଂଜିତା, ସସ୍ମିତା ଓ ଶଶୀକଳା ପ୍ରମୁଖ କୁହନ୍ତି, ‘ଆମେ ଘରର ଯାବତୀୟ କାମ ପରେ ଏସବୁ କାମ କରିଥାଉ। ଏଇ କାମରୁ ମାନସିକ ଶାନ୍ତି ପାଇବା ସହିତ  ଟେରା କୋଟା ସାମ ଗ୍ରୀ ଗୁଡିକୁ ଜିଲ୍ଲା ଓ ଜିଲ୍ଲା ବାହା ରେ ବିକ୍ରୟ କରି ଭଲ ଦୁଇ ପଇସା ରୋଜଗାର କରୁଛୁ। ନିଜ ନିଜର ପରିବାର ଚଳାଇବାରେ ସହାୟକ ହୋଇପାରୁଛୁ। ଆମକୁ ଅଧିକ ସରକାରୀ ସହାୟତା ମିଳି ପାରିଲେ ଆଗକୁ ଆହୁରି ଅନେକ କିଛି ନୂଆ କରିବା ପାଇଁ ଲକ୍ଷ୍ୟ ରଖିଛୁ।’ ଏହି ସ୍ବାବଲମ୍ବୀ ମହିଳାମାନେ ନିଜର ବଳକା ସମୟକୁ ନଷ୍ଟ ନ କରି ରୋଜଗାରର ମାଧ୍ୟମ କରିବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe