ବାରିଜଙ୍ଗ ଗ୍ରାମରେ ମହିଳାଙ୍କ ମୃତ୍ୟୁ, ୭ ପଜିଟିଭ, ଗାଁ ସିଲ

ବାରିଜଙ୍ଗ ଗ୍ରାମରେ ମହିଳାଙ୍କ ମୃତ୍ୟୁ, ୭ ପଜିଟିଭ, ଗାଁ ସିଲ

Sambad

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ପୁରୋହିତପୁର ପଞ୍ଚାୟତ ଅଧୀନ ବାରିଜଙ୍ଗ ଗ୍ରାମରେ କରୋନା ଜଣେ ଗୃହିଣୀ ମହିଳାଙ୍କ ମୁଣ୍ଡ ନେଇଛି। ତାଙ୍କ ବୟସ ୫୦ ବର୍ଷ ମଧ୍ୟରେ ହେବ। ଗତକାଲି ରାତିରେ ଭୁବନେଶ୍ବରର ଏକ ଘରୋଇ କୋଭିଡ଼ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ସଂସ୍ପର୍ଶରେ ଆସି ଉକ୍ତ ପରିବାରର ଅନ୍ୟ ୫ ଜଣ ସଦସ୍ୟ ଅସୁସ୍ଥ ହୋଇପଡ଼ିଛନ୍ତି। ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କୁ ଜଗନ୍ନାଥ ପଞ୍ଚାୟତ ସ୍ଥିତ ଅସ୍ଥାୟୀ ମେଡ଼ିକାଲ କ୍ୟାମ୍ପ (ଟିଏମ୍ସି‌)ରେ ସଂଗରୋଧରେ ରଖାଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ସରପଞ୍ଚ କବିତା ମାଝୀଙ୍କ ଅନୁରୋଧକ୍ରମେ ଉପଜିଲ୍ଲାପାଳ ଗତ ୨ ତାରିଖରୁ ଆସନ୍ତା ୭ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଉକ୍ତ ଗାଁକୁ ସିଲ କରିାଯାଇଥିବା ଜଣାପଡ଼ିଛି।

ତେଣୁ ଏହି ସମୟ ମଧ୍ୟରେ ଗ୍ରାମର କୌଣସି ଲୋକ ବାହାରକୁ ଯାଇ ପାରିବେ ନାହିଁ କିମ୍ବା ବାହାର ଗାଁର କୌଣସି ଲୋକ ଗାଁ ଭିତରକୁ ପଶିପାରିବେ ନାହିଁ ସେନେଇ ମୁଖ୍ୟ ରାସ୍ତାରେ ବାଉଁଶ ଧଡ଼ା ବନ୍ଧା ଯାଇଛି। ବଡ଼ କଥା ହେଉଛି, ଉକ୍ତ ଗ୍ରାମରେ କୋଭିଡ଼ି ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ବେଳେ ପ୍ରଶାସନ ଗାଁ ବିଶୋଧନ ଦିଗରେ କୌଣସି ପଦକ୍ଷେପ ନେଇ ନାହିଁ। ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବବର୍ଷ ଭଳି ତୃଣମୂଳସ୍ତରରେ ସତର୍କତା ଓ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରରାଯାଉ ନଥିବା ଅଭିଯୋଗ ହେଉଛି। ବାରିଜଙ୍ଗ ମହିଳାଙ୍କ କୋଭିଡ଼ ମୃତ୍ୟୁକୁ ମିଶାଇ ବାଲିଅନ୍ତା ବ୍ଲକ ଅଞ୍ଚଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe