ଲାଞ୍ଚୁଆ ମହିଳା ଏସ୍‌ଆଇଙ୍କୁ ୨ ବର୍ଷ ଜେଲ୍‌, ୫ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ

Advertisment
୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ରାଉରକେଲା: ଉଚ୍ଚ ନ୍ୟାୟାଳୟରୁ ଅନ୍ତରୀଣ ଜାମିନ ନିର୍ଦ୍ଦେଶ ମିଳି ସାରିଥିଲେ ମଧ୍ୟ ରିଲିଜ୍‌ ନ କରି ଲାଞ୍ଚ ମାଗିବା ମାମଲାର ଆଜି ଫଇସଲା ହୋଇଛି। ଲାଞ୍ଚୁଆ ମହିଳା ପୁଲିସ ସବ୍‌ଇନ୍ସପେକ୍ଟର ବୁଧୁନୀ ମିଞ୍ଜଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଓ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ହୋଇଛି। ଅନାଦେୟ ଅଧିକ ୩ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ। ସଂପୃକ୍ତ ଲାଞ୍ଚୁଆ ପୁଲିସ କର୍ମଚାରୀ ବର୍ତ୍ତମାନ କେନ୍ଦୁଝର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ। ସୁନ୍ଦରଗଡ଼ ଭିଜିଲାନ୍ସ୍‌ କୋର୍ଟର ସ୍ବତନ୍ତ୍ର ଜଜ୍‌ ଅଶ୍ବିନୀ କୁମାର ନାଏକ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ବିଚାରକୁ ନେଇ ଏହି ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଧର୍ମେଶ କୁମାର ପଟେଲ ମାମଲା ପରିଚାଳନା କରିଥିଲେ।

୨୦୦୭ ମସିହାର ଘଟଣା। ଜଣେ ଦଂପତ୍ତି ପାରିବାରିକ ମାମଲାରେ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ଜୀବନ କାଟୁଥିଲେ। ବୃଦ୍ଧ ପିତାମାତାଙ୍କୁ ଜାମିନ ପାଇଁ ସନ୍ତୋଷ କୁମାର ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ମାମଲାକୁ ବିଚାରକୁ ନେଇ ଉଚ୍ଚ ନ୍ୟାୟାଳୟ ଜାମିନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ନିର୍ଦ୍ଦେଶାନାମାକୁ ଧରି ଅଭିଯୋଗକାରୀ ୨୦୦୭ ମସିହା ଜାନୁଆରି ୭ ତାରିଖରେ ରାଉରକେଲା ମହିଳା ଥାନାରେ ପହଞ୍ଚିଥିଲେ। ଜାମିନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଥାନାଧିକାରୀ ନିରଞ୍ଜନ ପରିଡ଼ାକୁ ଅନୁରୋଧ କରିଥିଲେ। ତେବେ ଶ୍ରୀ ପରିଡ଼ା ୧୦ ହଜାର ଟଙ୍କା ଲାଞ୍ଚ ନ ଦେଲେ ଜାମିନ ମିଳିବନି ବୋଲି ସିଧାସଳଖ ଶୁଣାଇ ଦେଇଥିଲେ।

ଅଭିଯୋଗକାରୀ କାକୁତିମିନତୀ କରିଥିଲେ ମଧ୍ୟ ଥାନାଧିକାରୀ କିଛି ନଶୁଣିବାରୁ ସେ ନିରାଶ ହୋଇ ଫେରି ଆସିଥିଲେ। ତା’ ପରଦିନ ପୁନର୍ବାର ଅଭିଯୋଗକାରୀ ଥାନାରେ ପହଞ୍ଚି ନେହୁରା ହେବାରୁ ଥାନାଧିକାରୀ ୫ ହଜାର ଟଙ୍କାରେ ସମ୍ମତି ପ୍ରକାଶ କରିଥିଲେ। ତେବେ ଲାଞ୍ଚ ଦେବାକୁ ଅସମର୍ଥ ଅଭିଯୋଗକାରୀ ଭିଜିଲାନ୍ସ ପାଖରେ ପହଞ୍ଚି ଏତଲା ଦେଇଥିଲେ। ପରେ ଅଭିଯୁକ୍ତକୁ କାବୁ କରିବାକୁ ଭିଜିଲାନ୍ସ ଯୋଜନା କରିଥିଲା।

ଯୋଜନା ମୁତାବକ ଅଭିଯୋଗକାରୀ ୨୦୦୭ ମସିହା ଜାନୁଆରୀ ୯ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ୩୫ ମିନିଟ୍‌ରେ ମହିଳା ଥାନାରେ ପହଞ୍ଚିଥିଲେ।‌ ସେତେବେଳେ ଶ୍ରୀ ପରିଡ଼ା ଥାନାରେ ଅନୁପସ୍ଥିତି ଥିଲେ। ତେବେ ଫୋନ୍‌ ମାଧ୍ୟମରେ ଲାଞ୍ଚ ବାବଦକୁ ୫ ହଜାର ଟଙ୍କା ରଖିବାକୁ ଏଏସ୍‌ଆଇ ବୁଧୁନୀ ମିଞ୍ଜକୁ ନିର୍ଦ୍ଦେଶ ଦେଇଥିଲେ। କିଛି ସମୟ ପରେ ଶ୍ରୀମତୀ ମିଞ୍ଜ ଲାଞ୍ଚ ଅର୍ଥ ଗ୍ରହଣ କରିଥିବା ସମୟରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରି ନେଇଥିଲେ। ଏନେଇ ଦୁଇ ଅଭିଯୁକ୍ତ ଥାନାଧିକାରୀ ଶ୍ରୀ ପରିଡ଼ା ଓ ଏଏସ୍‌ଆଇ ଶ୍ରୀମତୀ ମିଞ୍ଜ୍‌ଙ୍କ ନାଁରେ ଭିଜିଲାନ୍ସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାମଲା ତଦନ୍ତାଧୀନ ସମୟରେ ଅଭିଯୁକ୍ତ ଥାନାଧିକାରୀ ଶ୍ରୀ ପରିଡ଼ାଙ୍କର ପରଲୋକ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe