ପଲିଥିନ୍ ତଳେ କଟୁଛି ଜୀବନ, ମିଳୁନି ବିଧବା ଭତ୍ତା

Advertisment
ପଲିଥିନ୍ ତଳେ କଟୁଛି ଜୀବନ, ମିଳୁନି ବିଧବା ଭତ୍ତା

Odisha Bytes

ତାରପୁର: ସରକାର ଗରିବ ଲୋକଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେଉଛନ୍ତି। ବିଧବାମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଭତ୍ତା ଯୋଗାଇ ଦିଆଯାଉଛି। ତେବେ କିଛି ସରକାରୀ ଅଧିକାରୀଙ୍କ ଅବହେଳା ଯୋଗୁଁ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ନିଶ୍ଚିନ୍ତକୋଇଲି ବ୍ଲକ୍ ଉତ୍ତରକୂଳ ପଞ୍ଚାୟତ ୯ ନମ୍ବର ୱାର୍ଡର ମୋନାଲିସା ବେହେରାଙ୍କ କ୍ଷେତ୍ରରେ ଏପରି ଘଟିଛି। ମୋନାଲିସାଙ୍କ ସ୍ବାମୀ ମୁନା ଦାସଙ୍କ ଦୁଇଟି ଯାକ କିଡ୍‌ନି ଖରାପ ହୋଇଯାଇଥିଲା। ମାତ୍ର ୩୦ ବର୍ଷ ବୟସରେ ଗତ ବର୍ଷ ଡିସେମ୍ବରରେ ତାଙ୍କର ମୃତ୍ୟୁ ଘଟିଥିଲା। ଘରେ ତାଙ୍କର ପତ୍ନୀ ଓ ୫ ବର୍ଷର ପୁଅଟିଏ ଅଛି। ମୋନାଲିସାଙ୍କ ସ୍ବାମୀ ମୂଲ ଲାଗି ପରିବାର ଚଳାଉଥିଲେ। ମୁଣ୍ତ ଗୁଞ୍ଜିବାକୁ ଭଲ ଘର ଖଣ୍ଡେ ନାହିଁ। ଝାଟିମାଟି ଘରେ ପଲିଥିନ୍‌ ପକାଇ ରହୁଛନ୍ତି। ଆବାସ ଯୋଜନାରେ ଘର ପାଇବାକୁ ମୋନାଲିସା ଅନେକ ଥର ଆବେଦନ କରିଥିଲେ ବି ଏ ପର୍ଯ୍ୟନ୍ତ ମିଳିପାରିନାହିଁ।

publive-image Sambad

ସେହିପରି ବିଧବା ଭତ୍ତା ପାଇଁ ସେ ବାରମ୍ବାର ଆବେଦନ କରିଥିଲେ ବି ତାଙ୍କୁ ଏଯାଏ ମିଳିନାହିଁ। ଏଥିପାଇଁ ସେ ପଞ୍ଚାୟତରୁ ବ୍ଲକ୍ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡ଼ିଲେଣି। ଏପରିକି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ଜନ ଶୁଣାଣି ଶିବିରରେ ଆବେଦନ କରିଥିଲେ ବି ତାଙ୍କୁ ଏପର୍ଯ୍ୟନ୍ତ ବିଧବା ଭତ୍ତା ମିଳିନଥିବା ଦୁଃଖର ସହ ପ୍ରକାଶ କରିଛନ୍ତି। ନିଜର ଘର କିମ୍ବା ଜମି ବାଡ଼ି ନଥିବାରୁ ୫ ବର୍ଷର ପୁଅକୁ ନେଇ ଚଳିବା କଷ୍ଟକର ହୋଇପଡ଼ୁଛି। ତାଙ୍କୁ ଅଗ୍ରାଧିକାର ଭିତ୍ତିରେ ଆବାସ ଯୋଜନାରେ ଘର ଓ ବିଧବା ଭତ୍ତା ଯୋଗାଇ ଦେବାକୁ ଉତ୍ତରକୂଳ ସରପଞ୍ଚ ସୁବାସିନୀ ବେହେରା, ନାଏବ ସରପଞ୍ଚ ନିର୍ମଳ ମହାପାତ୍ର, ୱାର୍ଡ ସଭ୍ୟ ସନ୍ଧ୍ୟାରାଣୀ ସ୍ବାଇଁ, ସୁବାସ ମଲିକ, ଖଗେଶ୍ବର ବେହେରା, ପ୍ରଭାତ ମଲିକ, ଅଭୟ ମହାନ୍ତି, ନାରାୟଣ ଦାସ, ଅର୍ଜୁନ ରାଉତ, ଦୀପକ କୁମାର ଦାସ, ପ୍ରଭାତ ବେହେରା ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe