ପରମ୍ପରା ଭାଙ୍ଗିଦେଲା କରୋନା, ବିନା ଭକ୍ତରେ ମା’ ଅନ୍ଧାରୀଙ୍କ ପୂଜା

ପରମ୍ପରା ଭାଙ୍ଗିଦେଲା କରୋନା, ବିନା ଭକ୍ତରେ ମା’ ଅନ୍ଧାରୀଙ୍କ ପୂଜା

ଲଇକେରା: କରୋନା ଭାଙ୍ଗିଦେଲା ଦୀର୍ଘ ୨୭ ବର୍ଷର ପରମ୍ପରା। ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ପାକେଲଖୋଲ-କୁଅଁରମାଲ ସ୍ଥିତ ଅନ୍ଧାରୀ ପାହାଡ଼ ଶିଖରରେ ଅବସ୍ଥାପିତ ମା’ ବନଦୁର୍ଗାଙ୍କ ପୂଜାଉତ୍ସବ ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି।

ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ବରଗଡ଼ ଏବଂ ପଡ଼ୋଶୀ ଛତିଶଗଡ଼ ଅଞ୍ଚଳର ଏକ ପ୍ରମୁଖ ଆଞ୍ଚଳିକ ପର୍ବ ହେଉଛି ଅନ୍ଧାରୀ ପାହାଡ଼ ଯାତ୍ରା। ଅନ୍ୟଦିନ ହୋଇଥିଲେ ଅଞ୍ଚଳ ଉତ୍ସବମୁଖର ହୋଇ ଉଠିଥାନ୍ତା। ଦୋକାନ ବଜାରରେ ଲୋକଙ୍କ ଭିଡ଼ ଜମିଥାନ୍ତା। କିନ୍ତୁ ଚଳିତ ବର୍ଷ କରୋନା ସବୁକିଛି ଓଲଟପାଲଟ କରି ଦେଇଛି। ବିନା ଭକ୍ତରେ ଏଥର ମା’ ଅନ୍ଧାରୀଙ୍କ ପୂଜା ଅନୁଷ୍ଠିତ ହୋଇଛି।

୨୭ ବର୍ଷ ଧରି ହେଉଥିବା ପାହାଡ଼ ଚଢା ଯାତ୍ରା ଆଜି ବନ୍ଦ ରହିଛି। ଖାଁ ଖାଁ ଲାଗୁଛି ଅନ୍ଧାରୀ ଘଞ୍ଚ ଜଙ୍ଗଲ। ପୁଲିସ ପ୍ରଶାସନ ପର୍ବତ ଶିଖରକୁ ଚଢ଼ିବାକୁ ଥିବା ସମସ୍ତ ରାସ୍ତାକୁ ସିଲ୍ କରି ଦେଇଛି। କେବଳ ହାତ ଗଣତି କେଇଜଣ ପୂଜା କମିଟିର ସଦସ୍ୟ, କର୍ତା ଓ ପୂଜକଙ୍କୁ ନେଇ ହୋଇଛି ମା’ଙ୍କ ପୂଜାର୍ଚ୍ଚନା। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଲଇକେରା ଥାନା ଅଧିକାରୀ ପ୍ରବୀର କେଶରୀ ତ୍ରିପାଠୀଙ୍କ ନେତୃତ୍ବରେ ପୁଲିସ ଫୋର୍ସ ମୁତୟନ ହୋଇଛି।

ଆଜିର ପର୍ବତ ଶିଖର ମା’ ଅନ୍ଧାରୀ ଦେବୀଙ୍କ ପୂଜାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ତଥା ଅନ୍ଧାରୀ ପୂଜା କମିଟିର ସଭାପତି ଡ଼. ଧ୍ରୁବରାଜ ନାଏକଙ୍କ ପୁତୁରା ଆବିଷ୍କାର ନାଏକ ଓ ବୋହୂ ପ୍ରୀତି ନାଏକ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ଦ୍ଵାରିକା ପ୍ରସାଦ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ।

ସୂଚନାଯୋଗ୍ୟ ଯେ ମା’ଙ୍କ ପ୍ରତି ଥିବା ଆସ୍ଥା ଓ ସ୍ଥାନୀୟ ଲୋକଙ୍କ ମୌଳିକ ଚିନ୍ତାଧାରା ପାହାଡ଼ ଉପରେ ପ୍ରାକୃତିକ ଶୋଭାରାଜିକୁ ବଞ୍ଚାଇ ରଖିଛି। ପ୍ରାୟ ୨୭ ବର୍ଷ ତଳୁ ଆରମ୍ଭ ହୋଇଥିବା ଏହି ଉତ୍ସବ ବର୍ତ୍ତମାନ ଏହି ଅଞ୍ଚଳରେ ବନ ସୁରକ୍ଷାର ଅଭିଯାନ ପାଲଟିଛି। ସ୍ଥାନୀୟ ଲୋକମାନେ କୁହନ୍ତି ମା’ଙ୍କ ପ୍ରତି ଆସ୍ଥା ଅଛି ବୋଲି ଆମେ ଗଛ ଲଗାଇ ପାହାଡ଼ ସୁରକ୍ଷା କରୁଛୁ। ଏହି ଉତ୍ସବ ରବିବାର ଅଁଳା ଅଷ୍ଟମୀ ଅବସରରେ ଶେଷ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe