ମାଡ଼ି ଆସୁଛି ଲମ୍ପିସ୍କିନ୍‌ ରୋଗ, ସୀମାନ୍ତରେ ସତର୍କତା ପାଇଁ ସରକାରଙ୍କ ନିର୍ଦ୍ଦେଶ

ଏକାଧିକ ପ୍ରାଣି ଚିକିତ୍ସକ ଓ ଏଲ୍‌ଆଇ ପଦବି ଖାଲି

ମାଡ଼ି ଆସୁଛି ଲମ୍ପିସ୍କିନ୍‌ ରୋଗ, ସୀମାନ୍ତରେ ସତର୍କତା ପାଇଁ ସରକାରଙ୍କ ନିର୍ଦ୍ଦେଶ

Sambad

ଝାରସୁଗୁଡ଼ା: ରାଜସ୍ଥାନ ଓ ଗୁଜରାଟରେ ଲମ୍ପିସ୍କିନ୍‌ ରୋଗ ଉଗ୍ରରୂପ ଧାରଣ କରୁଛି। ଏହି ରୋଗରେ ଗୋରୁଗାଈ, ମଇଁଷି ଓ ଛେଳିମେଣ୍ଢା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି। ଏହି ରୋଗ ଭୟଙ୍କର ଭାବରେ ସଂକ୍ରମିତ ହେଉଥିବାରୁ ରାଜ୍ୟ ସରକାର ଏଥିପାଇଁ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅବଶ୍ୟ ଏହି ରୋଗ ନୂଆ ନୁହେଁ ବୋଲି ପ୍ରାଣୀ ଚିକିତ୍ସକ ମାନେ କହିଛନ୍ତି। ଏହି ରୋଗକୁ ସ୍ଥାନୀୟ ଭାଷାରେ ଚର୍ମବିଣ୍ଡି ରୋଗ କୁହାଯାଏ। ଏହା ଗୋରୁ ଗାଈ ମାନଙ୍କ ଦେହରେ ଫୋଟକା ପଡ଼ି ସଂପୂର୍ଣ୍ଣ ଶରୀରକୁ ସଂକ୍ରମିତ କରିଥାଏ। ବୃହତ ଓ କ୍ଷୁଦ୍ର ଉଭୟ ପ୍ରାଣୀଙ୍କକୁ ଏହି ରୋଗ ସଂକ୍ରମିତ କରୁଥିବା ଦୃଷ୍ଟିରୁ ସରକାର ରାଜ୍ୟରେ ଥିବା ୧୪ ଗୋଟି ସୀମାନ୍ତ ଜିଲ୍ଲାରେ ପ୍ରଥମେ ସତର୍କ ରହିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଭିନ୍ନ ରାଜ୍ୟକୁ ଏହା ସଂକ୍ରମିତ ହେଉଥିବାରୁ ଓଡ଼ିଶାକୁ ଲାଗିଥିବା ସୀମାନ୍ତ ଜିଲ୍ଲା ଗୁଡ଼ିକରେ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାରଙ୍କ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ସଚିବ ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶନାମ‌ା ଜାରି କରିଛନ୍ତି। ଏଥିରେ ଝାରସୁଗୁଡ଼ା ସମେତ, ବରଗଡ଼, ବାଲେଶ୍ବର, କେନ୍ଦୁଝର, ମୟୁରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି, ନୂଆପଡା, ସୁନ୍ଦରଗଡ, କଳାହାଣ୍ଡି, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ସତର୍କ ରହିବା ପାଇଁ ଜଣାଇ ଦିଆଯାଇଛି। ଏଥିପାଇଁ ପ୍ରାଣୀ ସଂପଦ ବିଭାଗ ସ୍ୱତନ୍ତ୍ର ମାର୍ଗଦର୍ଶୀକା ଜାରି କରିଛି। ଏଥିରେ ନିର୍ଦ୍ଦେଶ ଦିଆଯାଇଛି ଯେ, ସୀମାନ୍ତ ଜିଲ୍ଲା ଗୁଡିକର ବ୍ଲକ ଓ ଗ୍ରାମ ଗୁଡିକୁ ଚିହ୍ନଟ କରି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ସହ ୫ କିମି ପରିଧି ଉପରେ ନଜର ରଖିବା, ଆବଶ୍ୟକ ପରିମାଣର ଔଷଧ ମହଜୁଦ ରଖିବା, ଅନ୍ତରାଜ୍ୟ ଗୋ ମଇଁଷି ପରିବହନ ଉପରେ କଟକଣା, ପ୍ରାଣୀମେଳା ଓ ପ୍ରଦର୍ଶନୀ ଉପରେ ରୋକ, ଗୋ ମଇଁଷି ରହୁଥିବା ସ୍ଥାନରେ ନିୟମିତ ବିଶୋଧନ କରିବାକୁ ପରାମର୍ଶ, ଏହି ରୋଗ ଦେଖା ଦେଲେ ବା ଚିହ୍ନଟ ହେଲେ ଗୋରୁକୁ ପୃଥକବାସରେ ରଖିବା, ନମୂନା ସଂଗ୍ରହ କରି ପରୀକ୍ଷା କରାଇ ନେବାକୁ ଏହି ନିର୍ଦ୍ଦେଶନାମରେ ପରାମର୍ଶ ଦିଆଯାଇଛି।

ଏନେଇ ଆସନ୍ତା କାଲି ରାଜ୍ୟ ସରକାର ଭିସି ମାଧ୍ୟମରେ ସମସ୍ତ ଜିଲ୍ଲାର ପ୍ରାଣୀ ଚିକିତ୍ସା ବିଭାଗକୁ ଉପଯୁକ୍ତ ପରାମର୍ଶ ଦେବେ ବୋଲି ଜଣାଯାଇଛି। ଗ୍ରାଉଣ୍ଡ ଜିରୋ ତଥ୍ୟ ଅନୁଯାୟୀ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ପ୍ରାଣୀ ଚିକତ୍ସା ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଗୋରୁଗାଈ ରଖିଥିବା ଚାଷୀ ପ୍ରାଣୀ ଚିକିତ୍ସା ସେବା ପାଇଁ ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସରକାରୀ ବ୍ୟବସ୍ଥାରେ ତାଙ୍କୁ ଉପଯୁକ୍ତ ସୁବିଧା ମିଳୁନଥିବା ଯୋଗୁଁ ଘରୋଇ ବ୍ୟବସ୍ଥା ଉପରେ ବହୁ ଚାଷୀ ନିର୍ଭର କରୁଛନ୍ତି ଓ ସେହି ଅନୁଯାୟୀ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେଉଥିବା ଅଭିଯୋଗ ହୋଇଛି। ପ୍ରାଣୀ ଚିକତ୍ସା ପାଇଁ ଜିଲ୍ଲାରେ ଯଥେଷ୍ଟ ସଂଖ୍ୟକ ଡାକ୍ତର ଓ ଏଲ୍‌ଆଇ ନଥିବାରୁ ପ୍ରାଣୀ ଚିକିତ୍ସାରେ ଗୁରୁତର ସମସ୍ୟା ଦେଖା ଦେଇଛି। ଯଦି ଲମ୍ପିସ୍କିନ୍‌ ରୋଗ ସଂକ୍ରମିତ ହୁଏ ତେବେ ପ୍ରାଣୀ ଚିକତ୍ସା ବିଭାଗ ଏହାକୁ କିଭଳି ସାମ୍ନା କରିବ ତାହା ସନ୍ଦେହ ସୃଷ୍ଟି କରିଛି। ଏହି ରୋଗ ପାଇଁ ସେପରି କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବା ବେଳେ ଗୋଟଫକ୍ସ ଭେକ୍ସିନ ଗୋରୁ ମଇଁଷିଙ୍କୁ ଦିଆଯାଇ ଥାଏ।

ଜିଲ୍ଲାର ସୀମାନ୍ତରେ ଗୋରୁ ଗଣନା ଅନୁଯାୟୀ ଗୋରୁଗାଈଙ୍କ ସଂଖ୍ୟା ପ୍ରାୟ ଏକ ଲକ୍ଷ ଓ ଛେଳିମେଣ୍ଢାଙ୍କ ସଂଖ୍ୟା ୫୦ ହଜାର ଥିବା ସିଡିଭିଓ ଡଃ. ପବିତ୍ର ପରିଜାଙ୍କ ଠାରୁ ସୂଚନା ମିଳିଛି। ସୀମାନ୍ତରେ ଏହି ରୋଗ ନେଇ ସଚେତନତା ସୃଷ୍ଟି କରାଯାଉଥିବା ଡଃ. ପରିଜା କହିଛନ୍ତି। ‌ଏହା ଉପରେ ଏଲ୍‌ଆଇ ମାନେ ତୀକ୍ଷ୍ଣ ଦୃଷ୍ଟି ରଖିବା ପାଇଁ କୁହାଯାଇଥିବା ସେ ସୂଚନା ଦେଇଛନ୍ତି। ତେବେ ଝାରସୁଗୁଡ଼ା ଜିଲ୍ଲାରେ ଏବେ ମଧ୍ୟ ୩ ପ୍ରାଣୀ ଚିକତ୍ସକ ଓ ୧୪ ଜଣ ଏଲ୍‌ଆଇ ପଦବୀ ଖାଲି ରହିଛି। ବ୍ରଜରାଜନଗର, ମୁଖ୍ୟାଳୟରେ ୩ ଗୋଟି ଚିକିତ୍ସକ ପଦବୀ ଖାଲି ଥିବା ବେଳେ ୩୨ ଜଣ ଏଲଆଇ ସ୍ଥାନରେ ଏବେ ମାତ୍ର ୧୮ ଜଣ ଅଛନ୍ତି। ଏହି ରୋଗ ୨୦୧୯ ମସିହାରେ ମଧ୍ୟ ଦେଖା ଦେଇଥିଲା ତେବେ ସେତେବେଳେ ଏହା ସାମାନ୍ୟ ସଂକ୍ରମିତ ହେଉଥିଲା। କିନ୍ତୁ ଏବେ ଦେଖା ଦେଇଥିବା ରୋଗ ଭୟଙ୍କର ଓ ଶକ୍ତିଶାଳୀ ହୋଇ ଥିବାରୁ ଚାଷୀଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe