ପାଲସିନିମା ଗାଁକୁ ଆଜି ବି ନାହିଁ ପକ୍କା ରାସ୍ତା, ଘରଡିହ ପଟ୍ଟା ନଥିବାରୁ ସରକାରୀ ଯୋଜନାରୁ ବଞ୍ଚିତ ଗ୍ରାମବାସୀ

Advertisment
ପାଲସିନିମା ଗାଁକୁ ଆଜି ବି ନାହିଁ ପକ୍କା ରାସ୍ତା, ଘରଡିହ ପଟ୍ଟା ନଥିବାରୁ ସରକାରୀ ଯୋଜନାରୁ ବଞ୍ଚିତ ଗ୍ରାମବାସୀ

Sambad

ରାୟଗଡା: ବନ ବିଭାଗର ସରଂକ୍ଷିତ ଜଙ୍ଗଲ ଅଞ୍ଚଳରେ ରହିଛି ଗାଁ। ଯାହାଫଳରେ ନିର୍ମାଣ ହେଇ ପାରୁନାହିଁ ପକ୍କା ରାସ୍ତା ଆଉ ଘରଡ଼ିହ ପଟ୍ଟା ପାଇବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ। ଏଭଳି ସମସ୍ୟାର ସମାଧାନ ପାଇଁ ଆଜି ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ସ୍ଵଧାଦେବ ସିଂହଙ୍କୁ ଭେଟି ଦାବିପତ୍ର ପ୍ରଦାନ କାରି ଅନୁରୋଧ କରିଛନ୍ତି ରାୟଗଡା ଜିଲ୍ଲା ସଦର ବ୍ଲକର ଗୁମ୍ମା ପଂଚାୟତ ଅନ୍ତର୍ଗତ ପାଲସିନିମା ଗ୍ରାମବାସୀ। ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଗାଁକୁ ପକ୍କା ରାସ୍ତା ହୋଇପାରୁ ନାହିଁ। ସରକାର ଗାଁକୁ ରାସ୍ତା ମହିଳାଙ୍କୁ ସମ୍ମାନ ଭଳି ଡିଣ୍ଡିମ ପିଟୁଛି। କିନ୍ତୁ ରାୟଗଡା ଜିଲ୍ଲାରେ କିନ୍ତୁ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। ରାୟଗଡା ବନାଞ୍ଚଳର ଗୁମ୍ମା ସେକ୍ସନ ଅଧିନସ୍ଥ ସରଂକ୍ଷିତ ଜଙ୍ଗଲ ଅଞ୍ଚଳରେ ପାଲସିନିମା ଗ୍ରାମ ଅବସ୍ଥିତ। ଏଠାରେ ୨୨ ପରିବାର ବସବାସ କରି ଆସୁଛନ୍ତି। ତେବେ ଗାଁ ଯିବାକୁ କେବଳ ଏକ ମାତ୍ର ମାଟି ରାସ୍ତା ରହିଥିବା ବେଳେ ଏହାର ଶୋଚନୀୟ ଅବସ୍ଥା ଯୋଗୁଁ ଗ୍ରାମବାସୀ ଯାତାୟତକୁ ନେଇ ନାହିଁ ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଦିନ ଆସିଲେ ଖାଲ ଢିପ ଭରା ଏହି ରାସ୍ତାଟିରେ ଏମାନଙ୍କ ଯାତାୟାତ ଦୁଃଖ ଆହୁରି ଦ୍ବିଗୁଣିତ ହୋଇଯାଏ ବୋଲି ଗ୍ରାମର ଭୀଷ୍ମ ବେନିଆ, ଜୟଶନ ଖୋସଲା, ସମୀର ଗାଣ୍ଟା, ରାଜୁ ବେନିଆ, ଲକ୍ଷ୍ମଣ ବେନିଆ ପ୍ରମୁଖ ପ୍ରକାଶ କରିଛନ୍ତି।

publive-image Sambad

ବର୍ଷା ଯୋଗୁଁ ଏହି ରାସ୍ତାଟି କାଦୁଅ ପଚ ପଚ ହୋଇ ଯାଇଥାଏ। ଫଳରେ ଗାଁକୁ ଆମ୍ବୁଲାନ୍ସ ସେବା ମଧ୍ୟ ଉପଲବ୍ଧ ହୋଇ ପାରେ ନାହିଁ। ଏଥିସହ ଚାଲି ଚାଲି ଯିବା ପାଇଁ ମଧ୍ୟ ଯାତାୟତ ଉପଯୋଗୀ ହେଇ ପାରୁ ନାହିଁ ଗାଁକୁ ଯାଉଥିବା ଏହି ରାସ୍ତା। ବାରମ୍ବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ନିର୍ମାଣ ପାଇଁ ଦାବି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଗ୍ରାମର ଯୁବକ ସଙ୍ଘ ପ୍ରକାଶ କରିଛନ୍ତି। ସେହିପରି ଗାଁରେ ଥିବା ୨୨ଘର ପରିବାରକୁ ଆଜି ଯାଏଁ ଘରଡ଼ିହ ପଟ୍ଟା ମିଳି ନ ଥିବାରୁ ଗ୍ରାମବାସୀ ଆଜି ବି ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ପୂର୍ତ୍ତ ବିଭାଗ ରାସ୍ତା ଠାରୁ ତିଲରୀ ଭାୟା ପାଲସିନିମା ଗାଁ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe