ରାଉରକେଲା: ସହରରେ ମାତିଛନ୍ତି ଜମି ମାଫିଆ ଗ୍ୟାଙ୍ଗ। ଏମାନଙ୍କ ଟାର୍ଗେଟରେ ରହିଛି ଅବ୍ୟବହୃ୍ତ ମୂଲ୍ୟବାନ ସରକାରୀ ଜମି। ରାତିରାତି ପ୍ଲଟିଂ କରି ଅନ୍ୟମାନଙ୍କୁ ଡେସିମଲ୍ ପିଛା ୫ରୁ ୭ ଲକ୍ଷ ଟଙ୍କାରେ ବିକି ଦେଉଛନ୍ତି। ଯେଉଁଠି ରାତାରାତି ଗଢ଼ି ଉଠୁଛି ଘର ଓ ବ୍ୟବସାୟିକ ଅନୁଷ୍ଠାନ। ଓଡ଼ିଶା ପାୱାର ଟ୍ରାନ୍ସମିସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଟିସିଏଲ୍) ୫୩ ଏକର ମୂଲ୍ୟବାନ ଜାଗାରୁ ଏବେ ମାଫିଆଙ୍କ କବ୍ଜାରେ ରହିଛି ପ୍ରାୟ ୩୦ ଏକର ଅଧିକ ଜାଗା। କିଛି ଜାଗାରେ ଘର ତିଆରି ହୋଇଛି। ଆଉ କିଛି ଜାଗାରେ ଘର ନିର୍ମାଣ ଚାଲିଛି। ଅବଶିଷ୍ଟ ଜାଗାକୁ ପ୍ଲଟିଂ କରି ୫ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଜବରଦଖଲକାରୀଙ୍କୁ ହଟାଇବା ଓ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଓପିଟିସିଏଲ୍ ପକ୍ଷରୁ ବାରମ୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ବିଦ୍ୟୁତ୍ ବିଭାଗର କର୍ମଚାରୀ ଓ ଅଧିକାରୀଙ୍କ ଅବହେଳାରୁ ବହୁମୂଲ୍ୟବାନ ଜାଗା ମାଫିଆଙ୍କ କବ୍ଜାକୁ ଚାଲିଯାଇଛି। ତରକେରା ବିଦ୍ୟୁତ୍ କଲୋନିର ଏକ ବସ୍ତିର କିଛି ଜମି ଦଲାଲ ଓ ଅସାମାଜିକ ବ୍ୟକ୍ତିଙ୍କ ଜରିଆରେ ଓପିଟିସିଏଲ୍ ବିଦ୍ୟୁତ୍ ବିଭାଗର ଜମିକୁ ବିକ୍ରି କରାଯାଉଛି। କିଛି ଜାଗାରେ ଝୁମ୍ପୁଡ଼ି ଘରର ତ ଦୂରର କଥା, କୋଠା ନିର୍ମାଣ ହୋଇଛି। ଯାହାକୁ ମାଫିଆମାନେ ଅନ୍ୟମାନଙ୍କୁ ବିକ୍ରି କରି ଦେଉଛନ୍ତି। କେବଳ ଏତିକି ନୁହେଁ ଓପିଟିସିଏଲ୍ ବିଦ୍ୟୁତ୍ କଲୋନିରେ କିଛି କର୍ମଚାରୀ କ୍ବାର୍ଟର୍ସଗୁଡ଼ିକୁ ଜବରଦସ୍ତ ମାଡ଼ିବସି ଅନ୍ୟମାନଙ୍କୁ ଭଡାସୂତ୍ରରେ ଦେଇଛନ୍ତି। କିଛି ଅବସରପ୍ରାପ୍ତ କର୍ମଚାରୀ ଜୋରଜବରଦସ୍ତ ରହିବା ସହ ଅନ୍ୟମାନଙ୍କୁ ଭଡାରେ ଲଗାଇଛନ୍ତି ମାସକୁ ମାସ ମୋଟା ଅଙ୍କର ରୋଜଗାର କରୁଛନ୍ତି। ବିଭାଗୀୟ ଅଧିକାରୀ ସବୁ ଜାଣୁଥିଲେ ହେଁ, ନୀରବଦ୍ରଷ୍ଟା ସାଜିଛନ୍ତି। ମିଳିଥିବା ସୂଚନା ମୁତାବକ ତରକେରା ବିଦ୍ୟୁତ୍ କଲୋନି ବିଦ୍ୟାଳୟ ପାର୍ଶ୍ବରେ ରାଜ୍ୟ ସରକାର ଓପିଟିସିଏଲ୍କୁ ଟ୍ରାନ୍ସଫର୍ମର ଓ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ୫୩ ଏକର ଜମି ଯୋଗାଇ ଦେଇଥିଲେ। ଏହି ଜାଗାରେ ବିଦ୍ୟୁତ୍ କର୍ମଚାରୀଙ୍କ ପାଇଁ କ୍ବାର୍ଟର୍ସ ନିର୍ମାଣ ହୋଇଛି। କିଛି ଜାଗାରେ ସବ୍ଷ୍ଟେସନ ସ୍ଥାପନ କରାଯାଇଛି। ଆସନ୍ତା ଦିନରେ ପ୍ରାୟ ୧୦ ଏକର ଜାଗାରେ ସୌରଚାଳିତ ବିଦ୍ୟୁତ୍ ପ୍ରକଳ୍ପ ହେବାର ପ୍ରସ୍ତାବ ରହିଛି। ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ସୁରକ୍ଷା କର୍ମଚାରୀଙ୍କ ଢ଼ିଲାପଣ ଯୋଗୁ ପ୍ରାୟ ୩୦ ଏକର ଜାଗା ଜବରଦଖଲକାରୀଙ୍କ କବ୍ଜାକୁ ଚାଲିଯାଇଛି। ଜିଲ୍ଲା ପ୍ରଶାସନ ଖାଲି ନକଲେ ଓପିଟିସିଏଲ୍ ପ୍ରକଳ୍ପଗୁଡ଼ିକ ହୋଇପାରିବ ନାହିଁ। ଓପିଟିସିଏଲ୍ର ଉପ ମହାପ୍ରବନ୍ଧକ ଡି.କେ. ମହାନ୍ତ କହିଛନ୍ତି, ଓପିଟିସିଏଲ୍ର ମାତ୍ର ୮ ଜଣ କର୍ମଚାରୀ ଅଛନ୍ତି। ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ଏଭଳି ସମସ୍ୟା ଉପୁଜିଛି। ଜବରଦଖଲକାରୀଙ୍କୁ ହଟାଇବାକୁ ଗତ ୨୦୨୩ରେ ତହସିଲଦାରଙ୍କୁ ଚିଠି କରିଥିଲୁ। ଗତ ମାସକ ତଳେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଚିଠି ଦେଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ମାଫିଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us