Sambad
ଖୋର୍ଦ୍ଧା: ଖୋର୍ଦ୍ଧା ତାଲୁକ ଆଇନସେବା ସମିତି ପକ୍ଷରୁ ଆଜି ଫୌଜଦାରି ବିଧି ବ୍ୟବସ୍ଥାରେ ଏତଲା, ଜାମିନ ଆଦି ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିବାର ଅଦାଲତ ଜଜ୍ ରାଶେଜ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସୁରେନ୍ଦ୍ର କୁମାର ପାଢ଼ୀ, ମୁଖ୍ୟବକ୍ତା ଭାବେ ପ୍ରଥମଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ରାକେଶ ବେହେରା ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ବିଜୟ କୁମାର ସାମନ୍ତସିଂହାର, ଅଶୋକ କୁମାର ମହାପାତ୍ର, ମୁରଲିଧର ସାମନ୍ତରାୟ, ଶିବପ୍ରସାଦ ତ୍ରିପାଠୀ, ବିକ୍ରମ କେଶରୀ ଚମ୍ପତି ପ୍ରମୁଖ ଯୋଗ ଦେଇଥିଲେ।
ଫୌଜଦାରୀ ଆଇନରେ ଏତଲା କିଭଳି ଦିଆଯାଏ, କେଉଁ ପରିସ୍ଥିତିରେ ଓ କିଭଳି ଜାମିନ ଆବେଦନ କରାଯାଏ, ୱାରେଂଟ୍, ପ୍ରତିନିଧିତ୍ୱ ଆଇନ, ଅପିଲ୍, ବିଭିନ୍ନ କୋର୍ଟ ଫିଜ୍ ଆଦି ବାବଦରେ ଆଲୋଚନା କରିଥିଲେ। ଏଥିରେ ଅଙ୍ଗନବାଡ଼ି କର୍ମୀ, ଶିକ୍ଷୟିତ୍ରୀ ଓ ଆଶାକର୍ମୀ ପ୍ରମୁଖ ଯୋଗ ଦେଇଥିଲେ। ତାଲୁକ ଆଇନ ସେବା ସମିତିର ସମ୍ପାଦକ ବସନ୍ତ କୁମାର ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସିଡିପିଓ ମଞ୍ଜୁମଣି ନାୟକ ଧନ୍ୟବାଦ ଦେଇଥିଲେ।
Follow Us