ବୈପାରିଗୁଡା/ଜୟପୁର: ସ୍ବାଧୀନତା ସଂଗ୍ରାମୀ ତଥା ଆଦିବାସୀ ନେତା ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ଜନ୍ମପୀଠ ତେନ୍ତୁଳିଗୁମ୍ମା ଠାରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ବେଦବର ପ୍ରଧାନ, ଆଦିବାସୀ ଉନ୍ନୟନ ଅଧିକାରୀ ଜଗନ୍ନାଥ ସାରକା, କୋରାପୁଟ ଏସଡିସି ଚେୟାରମେନ ଚନ୍ଦ୍ର ଶେଖର ମାଝୀ, ବୈପାରିଗୁଡା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତ ଅତିଥି ସହିଦଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବିଡ଼ିଓ ଶ୍ରୀ ଶତପଥୀ ସଭାପତିତ୍ବ କରିବା ସହ ସହିଦଙ୍କ ବଳିଦାନ ସଂପର୍କରେ ଆଲୋଚନା କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ଲକ୍ଷ୍ମଣ ନାୟକଙ୍କ ଦେଶପ୍ରେମ ଏବଂ ସ୍ବାଧିନତା ଆନ୍ଦୋଳନରେ ତାଙ୍କ ପ୍ରମୁଖ ଭୂମିକା ସଂପର୍କରେ ସ୍ମରଣ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏସଡିସି ଚେୟାରମେନ ଶ୍ରୀ ମାଝୀ ଲକ୍ଷ୍ମଣ ନାୟକଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ସମ୍ମାନୀୟ ଅତିଥି ଜଗନ୍ନାଥ ସାରକା ନିଜ ବକ୍ତବ୍ୟରେ ସହିଦ୍ ମାଟିରେ ପହଞ୍ଚି ପାରିଥିବାରୁ ଆତ୍ମତୃପ୍ତି ଲାଭ କରିଥିବା ପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଛାତ୍ରାବାସରେ ପାଠ୍ୟ ପୁସ୍ତକରେ ସହିଦ୍ ଲକ୍ଷ୍ମଣ ନାୟକଙ୍କ ଦେଶପ୍ରେମ ସଂପର୍କରେ ପଢିଥିଲେ ମଧ୍ୟ ଆଜି ଏଠାରେ ପହଞ୍ଚି ସେହି ମହାନ୍ ଦେଶପ୍ରେମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୁଯୋଗ ପାଇଥିବାରୁ ଗର୍ବ ଅନୁଭବ କରୁଥିବା ପ୍ରକାଶ କରିଥିଲେ। ସଭାରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସହିଦ୍ ଲକ୍ଷ୍ମଣ ନାୟକଙ୍କ ଭଳି ଜଣେ ଜଣେ ଦେଶପ୍ରେମୀ ହେବା ସହ ଜନ୍ମଭୂମିର ସେବା କରିବା ପାଇଁ ଆହ୍ବାନ ଦେଇଥିଲେ। ଅତିଥି ମାନଙ୍କ ମଧ୍ୟରେ ବିଏସଏଫ ଯବାନ, ସମିତି ସଭ୍ୟ ତ୍ରିଲୋଚନ ଜେନାଙ୍କ ସମେତ, ସ୍ଥାନୀୟ ସରପଞ୍ଚ, ସମିତି, ଓ୍ବାର୍ଡ ମେମ୍ବର,ପିଇଓ ଏବଂ ଜିଆରଏସ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
ସେହିପରି ସହିଦ ଲକ୍ଷ୍ମଣ ନାୟକ ସ୍ମୃତି ସମିତି ପକ୍ଷରୁ ଗୁପ୍ତେଶ୍ବର କଂପ୍ଲେକ୍ସ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତି ନିକଟରେ ୮୧ତମ ପାଶୀ ଦିବସ ପାଳିତ ହୋଇଯାଇଛି। ସଭାପତି ଆଇନଜୀବୀ ମଦନ ମୋହନ ନାୟକ ସଭାପତିତ୍ବ କରିଥିଲେ। ଏଥିରେ ଅତିଥି ଭାବେ ଉପଜିଲ୍ଲାପାଳ ବେଦବର ପ୍ରଧାନ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଏସଡିପିଆରଓ ଯଶୋଦା ଗାଧବା, ଜିଲ୍ଲା ଓକିଲ ସଂଘ ସଭାପତି ବିରେଶ ପଟ୍ଟନାୟକ, ବିନୋଦ ମହାପାତ୍ର, ବିରେନ ପଟ୍ଟନାୟକ, ରାଜେନ୍ଦ୍ର କୁମାର ଗୌଡ ପ୍ରମୁଖ ଯୋଗ ଦେଇ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଏହି ଉତ୍ସବରେ ସମ୍ପାଦକ ମାଧବ ଚୌଧୁରୀ, ଉପସଭାପତି ଗୌରବ ଭତ୍ରା, କୃଷ୍ଣ ଚନ୍ଦ୍ର ହୋତା, ସୁରେନ୍ଦ୍ର ଖରା, ବାସୁ ନାୟକ, ସହସଂପାଦକ ଭିଆର ପଟ୍ଟନାୟକଙ୍କ ସହ ବିଭିନ୍ନ ବିଦ୍ୟାଳୟ ଓଏଏନଏମ୍ ପ୍ରଶିକ୍ଷଣ କେନ୍ଦ୍ରର ପ୍ରଶିକ୍ଷାର୍ଥୀ ଛାତ୍ରୀ ମାନେ ଭାଗ ନେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଆୟୋଜିତ ବୈଠକରେ ଶହିଦ ଲକ୍ଷ୍ମଣନାୟକଙ୍କୁ ଭାରତରତ୍ନ ଉପାଧି ଦେବା, ଦିନକ ସରକାରୀ ଛୁଟି ଘୋଷଣାକରିବା, ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ଶହିଦ ଲକ୍ଷ୍ମଣନାୟକଙ୍କ ଜୀବନୀକୁ ସାମିଲ କରିବା ଆଦି ଦାବିକୁ ନେଇ ସ୍ମୃତି ସମିତି ପକ୍ଷରୁ ରାଜ୍ୟସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମତ ପ୍ରକାଶ ପାଇଥିଲା। ପ୍ରଶିକ୍ଷାର୍ଥିନୀ ଛାତ୍ରୀ ମାମା ଭୁମିଆ ଶହିଦଙ୍କ ଜୀବନୀ ସଂପର୍କରେ ସାମ୍ୟକ୍ ସୂଚନା ଦେଇଥିବା ବେଳେ କୃଷ୍ଣ ଚନ୍ଦ୍ର ଭତରା କବିତା ପାଠ କରିଥିଲେ। ଶେଷରେ ସାଧାରଣ ସଂପାଦକ ମାଧବ ଚୌଧୁରୀ ଧନ୍ୟବାଦ ଦେଇଥିଲେ।
ସେଭଳି ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପାଳିତ ଉତ୍ସବରେ ଉପଜିଲ୍ଲାପାଳ ବେଦବର ପ୍ରଧାନ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଏସଡିପିଆରଓ ଯଶୋଦା ଗାଧବା ପ୍ରମୁଖ ଯୋଗ ଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
Follow Us