ଅର୍ଥ ଅଭାବରୁ ପାଠପଢ଼ା ସ୍ବପ୍ନ, ଜୀବନ-ଜୀବିକା ପାଇଁ ସଂଘର୍ଷ କରୁଛନ୍ତି ମେଧାବୀ ଛାତ୍ରୀ ଲକ୍ଷ୍ମୀପ୍ରିୟା

ସାଲେପୁର: ରାଜ୍ୟ ସରକାର ଶିକ୍ଷା, ଶିକ୍ଷାୟତନ ଓ ଛାତ୍ରଛାତ୍ରୀଙ୍କର ଉନ୍ନତି ପାଇଁ ଅନେକ ଯୋଜନା କରୁଛନ୍ତି। କିନ୍ତୁ, ସାଲେପୁର ବ୍ଲକ୍‌ ବାଲିସାହି ଦେହୁରୀସାହିର ଲକ୍ଷ୍ମୀପ୍ରିୟା ଦେହୁରୀଙ୍କ ପାଇଁ ସରକାରଙ୍କ ସମସ୍ତ ଯୋଜନା ଅପହଞ୍ଚ ହୋଇଯାଇଥିବା ପରଲକ୍ଷିତ ହୋଇଛି। ମାଟ୍ରିକ୍‌ ପରୀକ୍ଷାରେ ୭୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଏହି ଛାତ୍ରୀଙ୍କ ଉଚ୍ଚଶିକ୍ଷା ଆଶା ସ୍ବପ୍ନରେ ପରିଣତ ହୋଇଛି। ପାଠପଢ଼ା ଛାଡ଼ି ଏବେ ସେ ଜୀବନ-ଜୀବିକା ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ବାଲିସାହି ଦେହୁରୀସାହିର ସୁକାନ୍ତ ଦେହୁରୀ ଓ କୁନି ଦେହୁରୀଙ୍କ ବଡ଼ ଝିଅ ଲକ୍ଷ୍ମୀପ୍ରିୟା ଏକ ନୂଆଣିଆ ଚାଳଛପର ଘରେ ପରିବାର ସହ ରହୁଛନ୍ତି। ଅସୁସ୍ଥ ବାପା ମୂଲମଜୁରୀ ପାଇଁ ଯାଇପାରନ୍ତି ନାହିଁ। ମା’ ମୂଲ ଲାଗି ଆଣିଲେ ପରିବାର ଚଳେ। ପରିବାରର ଆର୍ଥିକ ଅନଟନ ସତ୍ତ୍ବେ ଲକ୍ଷ୍ମୀପ୍ରିୟା ବିନା ଟ୍ୟୁସନ୍‌ରେ କେବଳ ବିଦ୍ୟାଳୟରେ ଅଧ୍ୟୟନ କରି ୨୦୨୧ ମାଟ୍ରିକ ପରୀକ୍ଷାରେ ୭୦ ପ୍ରତିଶତରୁ ଅଧିକ ନମ୍ବର ରଖି ବି-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିଲେ। ଆଶା ରଖିଥିଲେ, ସାଙ୍ଗମାନଙ୍କ ସହ କଲେଜରେ ପାଠ ପଢ଼ିବେ। ପାଠପଢ଼ି ଆଦର୍ଶ ମଣିଷ ଭାବେ ସମାଜରେ ପରିଚୟ ସୃଷ୍ଟି କରିବେ।

ଦୁଇ ସାନ ଭାଇଭଉଣୀଙ୍କୁ ଉଚ୍ଚଶିକ୍ଷିତ କରିବେ ବୋଲି ମଧ୍ୟ ସେ ଲକ୍ଷ୍ୟ ରଖିଥିଲେ। ହେଲେ, ତାହା ସମ୍ଭବପର ହୋଇପାରିଲା ନାହିଁ। ପରିବାରର ଆର୍ଥିକ ଦୁରବସ୍ଥା ଯୋଗୁଁ ପାଠପଢ଼ା ସ୍ବପ୍ନ ମାଟିରେ ମିଶିଗଲା। ବହିରେ ଡୋରି ବାନ୍ଧି ଦୁଇଓଳି ଦୁଇମୁଠା ଦାନା ଗଣ୍ଡାକ ପାଇଁ ଏବେ ସଂଘର୍ଷ ଆରମ୍ଭ କରିଛନ୍ତି ଲକ୍ଷ୍ମୀପ୍ରିୟା। ବର୍ତ୍ତମାନ ଲକ୍ଷ୍ମୀପ୍ରିୟା ଘର କାମ କରିବା ସହ ଛେଳି ଚରାଇବାକୁ ଯାଉଛନ୍ତି। ଛେଳି ଚରାଇବାକୁ ଯିବା ସମୟରେ ବେଳେ ବେଳେ ନେଇଯା’ନ୍ତି ପୁରୁଣା ପାଠ୍ୟପୁସ୍ତକ। ଘରେ ମାଟ୍ରିକ୍‌ ପ୍ରମାଣପତ୍ର ରହିଛି। କିନ୍ତୁ, ସେ ଆଉ ଆଗକୁ ପଢ଼ିପାରିବେ ନାହିଁ ବୋଲି କୁହନ୍ତି ଲକ୍ଷ୍ମୀପ୍ରିୟା। ଆର୍ଥିକ ଅନଟନ ଯୋଗୁଁ ଝିଅର ପାଠ ପଢ଼ାରେ ଡୋର ବନ୍ଧା ହୋଇଗଲା। ଦଇବ ଗରିବଙ୍କ ଉପରେ ଦାଉ ସାଧନ୍ତି। ବୃନ୍ଦାବତିଙ୍କ ପାଖରେ ଯେତେ ମୁଣ୍ଡ ପିଟିଲେ, କି’ ଆଖିରୁ ଲୁହ ଗଡ଼ାଇଲେ କ’ଣ ବା ଲାଭ ବୋଲି କହିଛନ୍ତି ଲକ୍ଷ୍ମୀପ୍ରିୟାଙ୍କ ମା’ କୁନି। ଏ ସମ୍ପର୍କରେ ସିଡିପିଓଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ଏହାର ତଦନ୍ତ କରି ଲକ୍ଷ୍ମୀପ୍ରିୟାଙ୍କ ପାଠପଢ଼ା ପାଇଁ ସରକାରୀସ୍ତରରେ ବ୍ୟବସ୍ଥା କରିବା ଲାଗି ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe