କୋରାପୁଟ ଜିଲ୍ଲାରେ ହାଇଆଲର୍ଟ; ଦୁଇଦିନ ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ସମ୍ଭାବ୍ୟ ଭୂସ୍ଖଳନ ଓ ବନ୍ୟା ପାଇଁ ସଜାଗ ପ୍ରଶାସନ

Advertisment
ବଙ୍ଗୋପସାଗରରେ ଗଭୀର ଅବପାତ ପାଲଟିଲା ଅବପାତ; ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାରେ ବାତ୍ୟା ସତର୍କ ସୂଚନା ଜାରି

କୋରାପୁଟ: କେନ୍ଦ୍ରୀୟ ବଙ୍ଗୋପସାରରେ ସୃଷ୍ଟି ଲଘୁଚାପ ଆସନ୍ତା କିଛି ଘଣ୍ଟା ମଧ୍ୟରେ ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ରେ ପରିଣତ ହେବ। ଏହା କଳିଙ୍ଗପାଟନମ୍‌ ଓ ଗୋପାଳପୁର ମଧ୍ୟରେ ମାଡ ହେବାକୁ ରହିଥିବାରୁ ଏହାର ପ୍ରଭାବରେ କୋରାପୁଟ ଜିଲ୍ଲାକୁ ରେଡଆଲର୍ଟ ଜାରି କରାଯାଇଛି। ଏହାସହ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଜିଲ୍ଲାରେ ହୋଇପାରେ ଭୂ-ସ୍ଖଳନ। ଏଥିପାଇଁ ଜିଲ୍ଲାର ସମସ୍ତ ବିଡିଓ, ତହଲସିଲଦାର, ଏସ୍‌ପି, ଥାନାଧିକାରୀ ଓ ସରପଞ୍ଚଙ୍କୁ ସଜାଗ ରହିଥିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଦଶମନ୍ତପୁର, ନାରାୟଣପାଟଣା, ସେମିଳିଗୁଡା, ଲମତାପୁଟ, ନନ୍ଦପୁର ଓ ପଟାଙ୍ଗୀ ବ୍ଲକ ଭୂସ୍ଖଳନ ପ୍ରବଣ ଅଞ୍ଚଳ ରହିଥିବାରୁ ବିଡିଓ ଓ ତହସିଲଦାରଙ୍କୁ ସଜାଗ ରହିବାକୁ କୁାହାଯାଇଛି। ଏହିଠାରେ ରହିଥିବା ଗର୍ଭବତୀ ଓ ବୃଦ୍ଧବ୍ୟକ୍ତିଙ୍କୁ ସୁରକ୍ଷିତ ସ୍ତାନକୁ ଅଣାଯାଇଛି। ଏହାସହ ଜୟପୁର ଉପଖଣ୍ଡର ବୋରିଗୁମ୍ମା, ବୈପାରିଗୁଡା, କୋଟପାଡ ଓ ଜୟପୁର ତଳିଆ ଅଞ୍ଚଳରେ ରହିଥିବା ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ରଖାଯାଇଛି। ଏହାସହ ଜିଲ୍ଲାସ୍ତରରେ ହେଲ୍ପଲାଇନ ଜାରି କରାଯାଇଥିବାବେଳେ ସମସ୍ତ ସରକାରୀ କର୍ମଚାରୀଙ୍କର ଛୁଟି (୨୬-୯-୨୦୨୧ ରୁ ୨୮-୯-୨୦୨୧) ଯାଏ ବାତିଲ କରାଯାଇଛି। ବିନା ଅନୁମତିରେ କୌଣସି କର୍ମଚାରୀ ଛୁଟିରେ ରହିପାରିବେ ନାହିଁ ‌ବୋଲି ଜିଲ୍ଲାପାଳ ଜଣାଇଛନ୍ତି। ଆଜି ଜିଲ୍ଲାର ଏସ୍‌ପି, ସମସ୍ତ ଉପଜିଲ୍ଲାପାଳ, ବିଡିଓ, ତହସିଲଦାର, ଥାନାଧିକାରୀଙ୍କୁ ନେଇ ପ୍ରସ୍ତୁତି ବୈଠକ କରାଯାଇଥିବାବେଳେ ସମସ୍ତଙ୍କୁ ସଜାଗ ରହିବାକୁ କୁହାଯାଇଛି। ତେବେ ଜିଲ୍ଲାର ୧୪ଟି ବ୍ଲକରେ ୨୮୮ ବର୍ଗ କିଲୋମିଟର ଅଞ୍ଚଳରେ ୧୧୭ ଟି ଗାଁ/ୱାର୍ଡ ଭୂ-ସ୍ଖଳନ ପ୍ରବଣ ଅଞ୍ଚଳ ଭାବେ ଗଣାଯାଏ।

ସେଥିମଧ୍ୟରେ ୪୬୮୦୦ ଲୋକ ପ୍ରଭାବିତ ହେବାକୁ ରହିଥିବାବେଳେ ୫୭୬୦ ଘର, ୧୭୫ଟି ସ୍କୁଲ/ଅଙ୍ଗନବାଡି କେନ୍ଦ୍ର, ୧୭ଟି ହସ୍ପିଟାଲ, ୪୩୨ କିମି ରାସ୍ତା ପ୍ରଭାବିତ ‌ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେହିପରି କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରେ ୪୪ଟି ଗ୍ରାମପଞ୍ଚାୟତର ୨୮୦ଟି ଗାଁ ବନ୍ୟା ପ୍ରଭାବିତ ହେବାର ଆଶଙ୍କା ରହିଛି। ପ୍ରାୟ ୧ଲକ୍ଷ ୮୫ ହଜାର ୮ ଜଣ ଏହା ଦ୍ବାରା ପ୍ରଭାବିତ ହେବା ଆଶଙ୍କା ରହିଥିବାରୁ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ତାନାନ୍ତର କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏନେଇ ଏଡିଏମ ରାଜେନ୍ଦ୍ର କୁମାର ମାଝୀ କହିଛନ୍ତି ଯେ ସମ୍ଭାବ୍ୟ ଭୂସ୍ଖଳନ ଓ ବନ୍ୟା ପାଇଁ ସଜାଗ ରହିବାକୁ ସମସ୍ତ ବିଡିଓ, ତହସିଲଦାରଙ୍କୁ କୁହାଯାଇଛି। ଏହାସହ ଜିଲ୍ଲାରେ ରହିଥିବା ଡ୍ୟାମ୍‌ ମଧ୍ୟକୁ ଡଙ୍ଗା ନେଇ ନ ଯିବାକୁ ଜିଲ୍ଲା ପକ୍ଷରୁ ବାରଣ କରାଯାଇଛି। ଏନେଇ ସମ୍ପୃକ୍ତ ଥାନା ଅଧିକାରୀ ଓ ବିଡିଓଙ୍କୁ କୁହାଯାଇଛି। ସବୁ ଅପ୍ରତିକର ପରିସ୍ଥିତିକୁ ଏଡେଇବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe