ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ବଡ଼ପିଛୁଳା ପଞ୍ଚାୟତ ଝାରବେଡ଼ା ଗ୍ରାମରେ ୨୦-୨୧ ଆର୍ଥିକ ବର୍ଷରେ କେନ୍ଦୁଝର ଜିଲ୍ଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ମନରେଗା ଯୋଜନାରେ ୧୦ରୁ ଊର୍ଦ୍ଧ୍ବ ଚାଷୀଙ୍କ ଜମିରେ ଲେମନଗ୍ରସ ଚାଷ କରାଯାଇଥିଲା। ଫସଲ ଅମଳ ଅପେକ୍ଷାରେ ରହିଛି। ହେଲେ ବିଭାଗ ପକ୍ଷରୁ ଏହି ଲେମନଗ୍ରାସ୍କୁ କିପରି କଟାଯାଇ ସେଥିରୁ ତେଲ ବାହାର କରାଯିବ, ସେନେଇ ଚାଷୀଙ୍କୁ ପରାମର୍ଶ ଦିଆଯାଉ ନାହିଁ। ଫଳରେ ଲେମନଗ୍ରାସ ଚାଷ କରି ଚାଷୀ ହଟହଟା ହେଉଛନ୍ତି। ଏଥିପାଇଁ ଖର୍ଚ୍ଚ ହୋଇଥିବା ୫ ଲକ୍ଷ ୯୦ ହଜାର ଟଙ୍କା ପାଣିରେ ପଡ଼ିଛି।
ଲେମନଗ୍ରାସ୍ ଏକ ଅର୍ଥକାରୀ ଫସଲ। ଏଥିରୁ ବାହାରୁ ଥିବା ତେଲ ଔଷଧ ତିଆରିରେ ବ୍ୟବହାର ହେଉଥିବାରୁ ବର୍ଷତମାମ ଏହାର ଚାହିଦା ରହିଥାଏ। ଲେମନଗ୍ରାସ୍ ତେଲ ଦର ମଧ୍ୟ ଅନ୍ୟ ତେଲଠାରୁ ଢେର ଅଧିକ। ଏହାକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସ୍ବାବଲମ୍ବୀ କରିବା ଉଦେଶ୍ୟରେ ଝାରବେଡ଼ା ଗ୍ରାମର ଲକ୍ଷ୍ମଣ ନାଏକ, ଲକ୍ଷ୍ମୀଧର ନାଏକ, ଗଣନାଥ ନାଏକ, ଗୌରାଙ୍ଗ ନାଏକ, ବିଶ୍ବନାଥ ନାଏକ, ଦୟାନିଧି ନାଏକ, ରମେଶ ନାଏକ, ଗୁଣନିଧି ନାଏକ, ଗଙ୍ଗାଧର ନାଏକ ଓ ଅପରାଜିତା ନାଏକଙ୍କ ୧୦ ଏକର ଜମିରେ ଲେମନଗ୍ରାସ ଚାଷ କରାଯାଇଥିଲା। ଏଥିପାଇଁ ମନରେଗା ଯୋଜନାରେ ୫ ଲକ୍ଷ ୯୦ ହଜାର ୨୩୫ ଟଙ୍କା ଖର୍ଚ୍ଚ କରାଯାଇଥିଲା।
garden.lovetoknow.comଚାଷ ମଧ୍ୟ ଭଲ ହୋଇଥିଲା। ଘାସ ଗୁଡ଼ିକ ୫ରୁ ୬ ଫୁଟ ହୋଇଥିଲା। ହେଲେ ଏହାକୁ କିପରି କଟାଯିବ କିପରି ଏଥିରୁ ତେଲ ବାହାର କରାଯିବ ସେ ସମ୍ପର୍କରେ ଜାଣିପାରି ନଥିଲେ। ଏପରିକି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର କର୍ତ୍ତୃପକ୍ଷଙ୍କ ମଧ୍ୟ ଦେଖାଦର୍ଶନ ମିଳି ନଥିଲା। ଦୀର୍ଘଦିନ ଅମଳ ନ ହୋଇ ରହିବା ପରେ ଘାସ ସବୁ ଶୁଖି ଯାଇଥିଲା। ବର୍ତ୍ତମାନ ବର୍ଷାପାଣି ପାଇ ପୁଣି ଘାସ କଅଁଳିଲାଣି। ହେଲେ ତାହାକୁ କଟାଯାଇପାରୁନି। ବର୍ତ୍ତମାନ ବାର୍ହା ରହୁଥିବାରୁ ଚାଷୀମାନେ ଜମିକୁ ଯାଉ ନାହାନ୍ତି। ଉକ୍ତ ଜମିରେ ଆମ୍ବ କିମ୍ବା କାଜୁ ଗଛ ଲଗାଇଥିଲେ ସେମାନେ ଲାଭବାନ ହୋଇଥାନ୍ତେ। ଲେମନଗ୍ରାସ୍ ଚାଷ କରି କିଛି ସୁଫଳ ମିଳିଲା ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏନେଇ ଆଇଟିଡିଏର ମନରେଗା ଯୋଜନା ଦାୟିତ୍ବରେ ଥିବା ସସ୍ମିତା ରାଉଳଙ୍କୁ ପଚାରିବାରୁ ଉକ୍ତ ଯୋଜନାଟି ଦୁଇବର୍ଷ ତଳର। ସେତେବେଳକୁ ସେ ଏଠାରେ କାର୍ଯ୍ୟରତ ନଥିଲେ। ସେ ନୂଆ ଆସିଥିବା କହିଛନ୍ତି। ସେହିପରି କନିଷ୍ଠ ଯନ୍ତ୍ରୀ ଅମୂଲ୍ୟ ରାଉତଙ୍କୁ ପଚାରିବାରୁ, ସେ ଏ ବିଷୟରେ ଜାଣି ନଥିବା କହିଛନ୍ତି।
Follow Us