ମେଘୁଆ ପାଗ ଓ ଝିପି ଝିପି ବର୍ଷାରେ ସୀମିତ ‘ଅସାନି’ ପ୍ରଭାବ, ମାଲକାନଗିରି ଜିଲ୍ଲାବାସୀ ଆଶ୍ବସ୍ତ

ମେଘୁଆ ପାଗ ଓ ଝିପି ଝିପି ବର୍ଷାରେ ସୀମିତ ‘ଅସାନି’ ପ୍ରଭାବ, ମାଲକାନଗିରି ଜିଲ୍ଲାବାସୀ ଆଶ୍ବସ୍ତ

ମାଲକାନଗିରି: ବାତ୍ୟା ‘ଅସାନି’ ମୁକାବିଲା ନେଇ ଜିଲ୍ଲା ପ୍ରଶାସନ ଗତକାଲିଠାରୁ ତତ୍ପରତା ଦେଖାଇଥିଲା। ଗତ ରାତିରେ ଦୁଇଟି ଓଡ୍ରାଫ ଟିମ ମାଲକାନଗିରିରେ ପହଞ୍ଚିଥିଲେ। ଗୋଟିଏକୁ ମାଲକାନଗରିରେ ଏବଂ ଅନ୍ୟଟିକୁ କାଲିମେଳାରେ ଅବସ୍ଥାପିତ କରାଯାଇଥିଲା। ସେହିପରି ୧୦ଟି ଅଗ୍ନିଶମ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଥିଲା। ମାଲକାନଗିରି ଜିଲ୍ଲାରେ ଯେଭଳି ପ୍ରଭାବ ଦେଖାଇବ ବୋଲି ପୂର୍ବନୁମାନ କରାଯାଇଥିଲା, ତାହା ହୋଇନଥିଲା। ‘ଅସାନି’ର ପ୍ରଭାବରେ କେବଳ ମେଘୁଆ ପାଗ କରିବା ସହ ଝିପି ଝିପି ବର୍ଷା ହୋଇଥିଲା।

ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବ୍ଲକରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲାର ସମସ୍ତ ବ୍ଲକକୁ ଜଣେ ଜଣେ ଜିଲ୍ଲା ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ବିଶେଷକରି କାକିନାଡା ଜିଲ୍ଲାର କିନାମପାପା,ମାୟାପଟମ,ଏନେମ ଭଳି ଅଂଚଳରେ ବହୁ ଘର ଭାଙ୍ଗିବା ସହ ଗଛଗୁଡିକ ଉପୁଡି ପଡିଥିବା ସୂଚନା ମିଳିଛି। ସାମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରିଦିଆଯାଇଥିଲା।

କୌଣସି ଅପ୍ରତିକର ପରିସ୍ଥିତିକୁ ଏଡାଇବା ପାଇଁ ମାଲକାନଗିରି ଜିଲ୍ଲାପାଳ ନିଜେ ନିୟମିତ ତଦାରଖ କରୁଥିଲେ। ଦିନ ଗୋଟାଏ ପର୍ଯ୍ୟନ୍ତ କୋହଲା ପାଗ କରିଥିବା ବେଳେ ଅପରାହ୍ନରେ ପୁଣି ଖରା ହୋଇଥିଲା। ତଳିଆ ଅଂଚଳର ଲୋକଙ୍କୁ ଅସ୍ଥାୟୀ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ବିଶେଷକରି ଗର୍ଭବତୀ ମହିଳା ଏବଂ ଅସହାୟ ଲୋକଙ୍କୁ ମଧ୍ୟ ଅସ୍ଥାୟୀ ଘରେ ସ୍ଥାନ ଦିଆଯାଇଥିଲା।ଜିଲ୍ଲାର ବିଭିନ୍ନ ବ୍ଲକର ବିଡିଓ ଓ ତହସିଲଦାରମାନେ ଗତକାଲିଠାରୁ ସଜାଗ ହୋଇ ରହିଥିଲେ। ସମସ୍ତ ପଞ୍ଚାୟତର ପିଇଓ ଏବଂ ଲୋକ ପ୍ରତିନିଧିମାନଙ୍କୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଥିଲା। ଯେଭଳି ପ୍ରଚାର ହୋଇଥିଲା,ସେଭଳି କିଛି ହୋଇନଥିବାରୁ ସମସ୍ତେ ଆଶ୍ବସ୍ତି ଲାଭ କରିଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe