ମାଛ ଧରିବା ଲାଗି ପୋଖରୀକୁ ଯାଇଥିଲେ, ପେଟ ଭିତରକୁ ଜୀଅନ୍ତା ମାଛ ପଶିଯିବାରୁ ଯୁବକଙ୍କ ମୃତ୍ୟୁ

ମାଛ ଧରିବା ଲାଗି ପୋଖରୀକୁ ଯାଇଥିଲେ, ପେଟ ଭିତରକୁ ଜୀଅନ୍ତା ମାଛ ପଶିଯିବାରୁ ଯୁବକଙ୍କ ମୃତ୍ୟୁ

ଭାପୁର/ନୟାଗଡ଼: ଜଣେ ଯୁବକଙ୍କ ପେଟ ଭିତରକୁ ଜୀଅନ୍ତା ମାଛ ପଶିଯାଇଛି। ଫଳରେ ସଂପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି। ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକର ଚକ୍ରଧରପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଶବରପଲ୍ଲୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗଣେଶ ବେହେରା।

ସୂଚନା ଅନୁସାରେ ଗଣେଶ ବେହେରା ଆଜି ପୂର୍ବାହ୍ନ ପ୍ରାୟ ୧୦ଟାରେ ଘର ନିକଟରେ ଥିବା ଏକ ପୋଖରୀକୁ ମାଛ ଧରିବା ପାଇଁ ଯାଇଥିଲେ। ସେ ପୋଖରୀରୁ ପ୍ରଥମେ ଏକ କଉ ମାଛ ଧରିଥିଲେ। ତାପରେ ଆହୁରି ଅଧିକ ମାଛ ଧରିବାକୁ ଉଦ୍ୟମ କରୁଥିଲେ। କିନ୍ତୁ ସେ ପୂର୍ବରୁ ଧରିଥିବା କଉମାଛକୁ କୌଣସି ଏକ ଠିକ୍‌ ସ୍ଥାନରେ ନରଖି ଏହାକୁ ପାଟିରେ କାମୁଡ଼ି ଧରିଥିଲେ। ଉକ୍ତ ଜୀଅନ୍ତା ମାଛଟି ଛଟପଟ ହେବା ସହ ଗଣେଶଙ୍କ ପେଟ ଭିତରକୁ ପଶି ଯାଇଥିଲା। ଏହା ପରେ ଗଣେଶ ଅଣନିଃଶ୍ୱାସୀ ହୋଇଯାଇଥିଲେ। ସେ ବ୍ୟସ୍ତ ହୋଇ ଘରକୁ ଯାଇଥିଲେ। ପରେ ତାଙ୍କୁ ଭାପୁରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗଣେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଗଣେଶଙ୍କ ମୃତଦେହ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୋଷ୍ଟମର୍ଟମ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରୁଛି।

ସୂଚନାଯୋଗ୍ୟ, ଗଣେଶ ବେହେରାଙ୍କ ଜମିବାଡ଼ି ବହୁତ କମ। ସେଥିପାଇଁ ସେ ଦିନ ମଜୁରୀ କରି ପାରିବାର ପୋଷୁ ଥିଲେ। ଗଣେଶଙ୍କ ମୃତ୍ୟୁ ପରେ ୧୨ ବର୍ଷର ପୁଅ ଓ ୫ ବର୍ଷର ଝିଅ କେମିତି ବଢ଼ିବେ, ପୁଅ-ଝିଅଙ୍କୁ କ’ଣ ଖାଇବାକୁ ଦେବେ, ସେନେଇ ତାଙ୍କର ସ୍ତ୍ରୀ ଭାଙ୍ଗିପଡ଼ିଛନ୍ତି। ତେଣୁ ତାଙ୍କୁ ପ୍ରଶାସନର ସହାୟତାର ଆବଶ୍ୟକ ଅଛି ବୋଲି ସାହିବାସୀ ଚର୍ଚ୍ଚା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe