ମତ୍ସ୍ୟଜୀବୀଙ୍କୁ ରୋକିପାରୁନି ପ୍ରଶାସନିକ ବାରଣ, ଜୀବିକା ପାଇଁ ବିପଦରେ ଜୀବନ

Advertisment
ମତ୍ସ୍ୟଜୀବୀଙ୍କୁ ରୋକିପାରୁନି ପ୍ରଶାସନିକ ବାରଣ, ଜୀବିକା ପାଇଁ ବିପଦରେ ଜୀବନ

Sambad

ମହାକାଳପଡ଼ା: ଗୋଟିଏ ପଟରେ କୁମ୍ଭୀରକୁ ନେଇ ନଦୀ ମଧ୍ୟକୁ ମାଛ ଓ କଙ୍କଡା ଧରିବାକୁ ନ ଯିବା ପାଇଁ ପ୍ରଶାସନର ବାରଣ। ଅନ୍ୟପଟରେ ପରିବାର ପ୍ରତିପୋଷଣ ଓ ପେଟ ପାଟଣାର ଆହ୍ବାନ। ଏଭଳି ଜୀବନ ଓ ଜୀବିକା ଦୋଛକିରେ ମହାକାଳପଡା ବ୍ଳକ୍‌ ଉପକୂଳ ଅଂଚଳର ମତ୍ସ୍ୟଜୀବୀମାନେ ଶେଷରେ ଜୀବିକା ପାଇଁ ଜୀବନକୁ ବିପଦ ଭିତରକୁ ଠେଲି ଦେଉଥିବା ଦେଖିବାକୁ ମିଳିଛି। ବ୍ଲକ୍‌ର ଜମ୍ବୁ, ରାମନଗର, ଖରିନାସୀ, ବତିଘର, ପେଟଛେଲା ଆଦି ପଂଚାୟତର ହଜାର ହଜାର ପରିବାର ନଦୀରୁ ମାଛ ମାରି ପରିବାର ପ୍ରତିପୋଷଣ କରିଥାନ୍ତି। ସେମାନଙ୍କ ନିକଟରେ ଅନ୍ୟ କୌଣସି ପନ୍ଥା ମଧ୍ୟ ନାହିଁ। ଏହି ଅଂଚଳର ନଦୀ ନାଳରେ କୁମ୍ଭୀରମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେ କୁମ୍ଭୀରମାନଙ୍କ ଅଣ୍ତା ଦେବା ଋତୁ ହୋଇଥିବାରୁ ସେମାନେ ସାଧାରଣତଃ ହିଂସ୍ର ହୋଇଥାନ୍ତି। ନିକଟରେ ଖରିନାସୀ ଗଳିଆ ନଦୀରେ କୁମ୍ଭୀର ଆକ୍ରମଣରେ ଜଣେ ମହିଳା ମୃତ୍ୟୁବରଣ କରିଥିଲେ। ସେହିପରି ସ୍ଥାନୀୟ ମହାକାଳପଡା ପଂଚାୟତ କେୟାରବାଙ୍କ ଗ୍ରାମର ଜଣେ ବ୍ୟକ୍ତି ନିକଟସ୍ଥ ଗୋବରୀ ନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ କୁମ୍ଭୀର ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ପଟ୍ଟାମୁଣ୍ତାଇ ଅଂଚଳରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇ ମାରିଦେଇଛି।

ଏସବୁକୁ ଆଖି ଆଗରେ ରଖି ଜଙ୍ଗଲ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘନଘନ ପ୍ରଚାର କରାଯିବା ସହିତ ନଦୀନାଳ ଓ ଯୋରୀ ନଦୀକୁ ମାଛ ମାରିବାକୁ ନ ଯିବା ପାଇଁ ବାରଣ କରାଯାଉଛି। କିନ୍ତୁ ପ୍ରଶାସନର ଏହି ବାରଣ ସ୍ଥାନୀୟ ଅଂଚଳର ମତ୍ସ୍ୟଜୀବୀଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରି ନାହିଁ। ନିଜର ପରିବାର ପ୍ରତିପୋଷଣ ପାଇଁ ସେମାନେ ବାଧ୍ୟ ହୋଇ ନଦୀ ମଧ୍ୟରେ ଅଣ୍ଟାଏ ପାଣିରେ ପଶି ମାଛ ଧରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ରାମଚଣ୍ତୀ ସେତୁ ନିକଟ ଗୋବରୀ ନଦୀର ଶାଖା ନଦୀରେ କେତେକ ମତ୍ସ୍ୟଜୀବୀ ନଦୀ ମଧ୍ୟରେ ପଶି ମାଛ ଧରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଅପରପକ୍ଷେ ଜଙ୍ଗଲ ବିଭାଗ କେବଳ କୁମ୍ଭୀରକୁ ନେଇ ସଚେତନତା ପ୍ରଚାର କରି ନିଜର କର୍ତ୍ତବ୍ୟ ସାରି ଦେଉଥିବା ବେଳେ ଏହା ବାସ୍ତବ ପକ୍ଷେ କେତେ ଦୂର ଫଳପ୍ରଦ ହେଉଛି ତାହାର ତଦାରଖ କରୁଥିବା ଭଳି ମନେହେଉ ନାହିଁ। ସ୍ଥାନୀୟ ଅଂଚଳରେ ମାଛ ମାରି ପେଟ ପୋଷୁଥିବା ମତ୍ସ୍ୟଜୀବୀଙ୍କ ପାଇଁ ବିକଳ୍ପ ରାସ୍ତା ଯୋଗାଇ ଦେବା ସହିତ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯାଇ ପାରିଲେ ଧନ ଜୀବନ ସୁରକ୍ଷିତ ରହି ପାରନ୍ତା ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe