ଲାଇଟ୍‌ ଲୋକାର୍ପଣକୁ ୧୫ମାସ ବତିଲା, ପୂର୍ତ୍ତ-ପୌର ଠେଲାଠେଲି, ରକ୍ଷାଣବେକ୍ଷଣ କାହାର?

ଲାଇଟ୍‌ ଲୋକାର୍ପଣକୁ ୧୫ମାସ ବତିଲା, ପୂର୍ତ୍ତ-ପୌର ଠେଲାଠେଲି, ରକ୍ଷାଣବେକ୍ଷଣ କାହାର?

Oddity Central

କେନ୍ଦ୍ରାପଡ଼ା: ଦୁହୁରିଆରୁ ଗରାପୁର ନିକଟ ଏସ୍‌ପି ଅଫିସ୍‌ ଯାଏ ଲାଗିଥିବା ଏଲଇଡି ଷ୍ଟ୍ରିଟ୍‌ ଲାଇଟ୍‌ ରକ୍ଷାଣବେକ୍ଷଣ ଦାୟିତ୍ବ କାହାର? ପୂର୍ତ୍ତ ବିଭାଗର ନା ପୌରପାଳିକାର? ଗଲା ୧୫ମାସ ହେବ ହେଇପାରୁନାହିଁ ନିଷ୍ପତ୍ତି। ପୂର୍ତ୍ତ ବିଭାଗ–୧ କହୁଛି ଯେ ରକ୍ଷାଣବେକ୍ଷଣ ଦାୟିତ୍ବ ହସ୍ତାନ୍ତର ପାଇଁ ମ୍ୟୁନିସିପାଲିଟିକୁ ଚିଠି ଲେଖିଥିଲୁ। ହେଲେ ସେମାନଙ୍କ ଏରିଆରେ ଯାଉନାହିଁ ଦର୍ଶାଇ ମ୍ୟୁନିସିପାଲିଟି ଦାୟିତ୍ବ ନେବାକୁ ମନା କରୁଛି। ରକ୍ଷାଣବେକ୍ଷଣକୁ ନେଇ ପୂର୍ତ୍ତ ଓ ପୌର ମଧୢରେ ଚାଲିଥିବା ଏଭଳି ଟଣାଓଟରା ଭିତରେ ସହରର ପ୍ରବେଶପଥ ଦୁହୁରିଆରୁ ଏସ୍‌ପି ଅଫିସ୍‌ ଯାଏ ରାଜ୍ୟ ରାଜପଥରେ ଲାଗିଥିବା ୩୯୬ଟି ଏଲ୍‌ଡିଟି ଲାଇଟ୍‌ର ସୁରକ୍ଷା ଦାୟିତ୍ବ କାହାର, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି। ଲୋକାର୍ପଣର ୧୫ମାସ ପରେ ବି ଯଦି ବହୁ ପ୍ରତୀକ୍ଷିତ ଏହି ଦେଢ଼ କୋଟିରୁ ଅଧିକ ଟଙ୍କାର ଆଲୋକୀକରଣ ପ୍ରକଳ୍ପର ରକ୍ଷାଣବେକ୍ଷଣ ଦାୟିତ୍ବ କେଉଁ ବିଭାଗ ନେବ, ତାର ଚୂଡ଼ାନ୍ତ ନିର୍ଣ୍ଣୟ ହୋଇପାରୁନାହିଁ; ତା'ହେଲେ ଧରିନେବାକୁ ପଡ଼ିବ ଯେ ଜିଲ୍ଲାର ବିକାଶ ଦାୟିତ୍ବ ନେଇଥିବା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ କିଭଳି ଚରମ ଦାୟିତ୍ବହୀନତା ତଥା ଖାମଖିଆଲ ମନୋଭାବ ପୋଷଣ କରି ବିବର୍ଣ୍ଣ କରିଦେଉଛନ୍ତି? ୨୦୨୦, ଜୁନ୍‌ ୨୩ତାରିଖରେ ବହୁ ପ୍ରତୀକ୍ଷିତ ଏହି ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍‌ ଲୋକାର୍ପିତ ହୋଇଥିଲା। ଏଥିପାଇଁ ମୋଟ୍‌ ୧ କୋଟି ୬୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସହରର ପ୍ରବେଶପଥ କୁହାଯାଉଥିବା ଦୁହୁରିଆରୁ ଏସ୍‌ପି ଅଫିସ୍‌ ଯାଏ ସମୁଦାୟ ୩୯୬ଟି ଲାଇଟ୍‌ ଲାଗିଛି। ହେଲେ ରକ୍ଷାଣବେକ୍ଷଣ ଅଭାବରୁ ଅଧିକାଂଶ ଲାଇଟ୍‌ ଅନେକ ସମୟରେ ଜଳୁନାହିଁ। ଗୋଟିଏ ଫାଳ ଜଳିଲେ ଅନ୍ୟ ଫାଳ ଅନ୍ଧାର ରହୁଛି। ଏମିତିକି ବିଭିନ୍ନ ସମୟରେ କୋଡ଼ିଏ ତିରିଶ ଖୁଣ୍ଟରେ ଲାଇଟ୍‌ ଜଳୁନଥିବାର ନଜିର‌୍‌ ରହିଛି। ଆଜି ଗରାପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠୁ ସ୍ବୟ˚ସିଦ୍ଧା ହୋଟେଲ୍‌ ଯାଏ ୪୩ଟି ଲାଇଟ୍‌ ଜଳୁନଥିବା ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ସମସ୍ୟା ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଥିଲେ ହେଁ, ରକ୍ଷାଣବେକ୍ଷଣ ଦାୟିତ୍ବ ଏଯାଏ କାହାକୁ ଦିଆନଯିବା କର୍ତୃପକ୍ଷଙ୍କ ଚରମ ଦାୟିତ୍ବହୀନତା ତଥା ଖାମଖିଆଲ ମନୋଭାବକୁ ସୂଚାଉଛି।

ପ୍ରଶ୍ନ ଉଠୁଛି ଯେ ଦାୟିତ୍ବ ହସ୍ତାନ୍ତର ପାଇଁ ଆଉ କେତେ ଦିନ ଲାଗିବ? ୧୫ମାସ ପରେ ବି ଯଦି ଏହି ସର୍ବନିମ୍ନ କାମଟି ହେଇପାରିଲା ନାହିଁ, ତା'ହେଲେ କ'ଣ ଏହି ଦେଢ଼ କୋଟିରୁ ଅଧିକ ଟଙ୍କାର ଆଲୋକୀକରଣ ପ୍ରକଳ୍ପ ରକ୍ଷାଣବେକ୍ଷଣ ଅଭାବରୁ ବରବାଦ୍‌ ହେଇଯିବ? କେହି ଏହାର ଉତ୍ତରଦାୟିତ୍ବ ନେବେନି? ଜିଲ୍ଲାପାଳ କାହିଁକି ଗୁରୁତ୍ବର ସହିତ ଏହି ସମସ୍ୟାକୁ ନେଇ କୌଣସି ବିଭାଗ ଉପରେ ଉତ୍ତରଦାୟିତ୍ବ ନ୍ୟସ୍ତ କରୁନାହାନ୍ତି? ଜିଇଡି ବିଭାଗର ଏସ୍‌ଡିଓ ହିତାଂଶୁ ଶତପଥୀ କହିଛନ୍ତି ଲାଇଟ୍‌ ଖରାପ ହୋଇନାହିଁ। ୫ବର୍ଷ ଵାରେଣ୍ଟି ଅଛି। ସମସ୍ୟା କେବଳ ରକ୍ଷାଣବେକ୍ଷଣ ଅଭାବରୁ ହେଉଛି। ନିଜ ଏରିଆରେ ଯାଉନାହିଁ ଦର୍ଶାଇ ମ୍ୟୁନିସିପାଲିଟି ଦାୟିତ୍ବ ନେଉନି। ମ୍ୟୁନିସିପାଲିଟି ସମେତ ଜମଧର, ଗୁଆଳସି˚, ଗୁଲନଗର, କପାଳେଶ୍ବର ପଞ୍ଚାୟତ ଅଧୀନରେ ଏହି ପ୍ରକଳ୍ପ ଯାଉଛି। ତେଣୁ ଯେତିକି ଅଂଚଳ ଯେଉଁ ପଞ୍ଚାୟତ ଅଧୀନରେ ଯାଉଛି, ସେହି ଅନୁଯାୟୀ ସ˚ପୃକ୍ତ ପଞ୍ଚାୟତକୁ ରକ୍ଷାଣବେକ୍ଷଣ ଦାୟିତ୍ବ ହସ୍ତାନ୍ତର କରାଯିବାକୁ ନିଷ୍ପତ୍ତି ହୋଇଛି। ହେଲେ ପ୍ରଶ୍ନ ଉଠୁଛି ମ୍ୟୁନିସିପାଲିଟି ପରି ପଞ୍ଚାୟତରେ ଲାଇଟ୍‌ ସଜାଡ଼ିବା କିମ୍ବା ରକ୍ଷାଣବେକ୍ଷଣ ପାଇଁ ଇଲେକ୍ଟ୍ରିସିଆନ୍‌ ଓ ଗାଡ଼ି ନାହିଁ। ତେଣୁ ପଞ୍ଚାୟତ ଦାୟିତ୍ବ ନେଲେ ସମସ୍ୟା କିଭଳି ସୁଧୁରିବ, ତାହା ବୁଝାପଡ଼ୁନାହିଁ। ଏଣୁ ଜିଲ୍ଲାପାଳ ଘଟଣାରେ ହସ୍ତକ୍ଷେପ କରି ଲାଇଟ୍‌ ସମସ୍ୟା ସମାଧାନ କରିବାର ବିଶେଷତା ଥିବା ବିଭାଗକୁ ଦାୟିତ୍ବ ଦେବା ପାଇଁ ସାଧାରଣରେ ଦାବି ହେଉଛି। ଅନ୍ୟଥା, ସମସ୍ୟା ସୁଧୁରିବା ପରିବର୍ତେ ଆଗକୁ ଆହୁରି ସ˚ଗିନ ହେବା ଥୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe