୧୦ ଲକ୍ଷ ଟଙ୍କାର ଉଜ୍ଜ୍ବଳ ଆଲୋକୀକରଣ ଧୂଳିସାତ

Advertisment

୧୪ ମାସରେ ୧୮ଟି ଖୁଣ୍ଟ ଅନ୍ଧାର, ଉତ୍ତରଦାୟୀ କିଏ?

୧୪ ମାସରେ ୧୮ଟି ଖୁଣ୍ଟ ଅନ୍ଧାର, ଉତ୍ତରଦାୟୀ କିଏ?

୧୦ ଲକ୍ଷ ଟଙ୍କାର ଉଜ୍ଜ୍ବଳ ଆଲୋକୀକରଣ ଧୂଳିସାତ

Sambad

କୁଜଙ୍ଗ: ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରେ କୁଜଙ୍ଗ ବଜାରରେ ଦେଢ ବର୍ଷତଳେ ପ୍ରତିଷ୍ଠା କରାଯାଇଥିବା ସୌରଚାଳିକ କୁଜଙ୍ଗ ବଜାର ଉଜ୍ଜ୍ବଳ ଆଲୋକୀକରଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ୧୪ ମାସରେ ଧୂଳିସାତ୍‌ ହୋଇଛି। ୧୦ ଲକ୍ଷ ଟଙ୍କା ବରବାଦ୍‌ ହୋଇଛି। କୁଜଙ୍ଗ ବଜାରରେ ସମ୍ପୂର୍ଣ୍ଣ ଅନ୍ଧକାର ରାଜ୍‌ କରୁଛି। ୧୦ ଲକ୍ଷ ଟଙ୍କା ବ୍ୟୟରେ ୧୮ଟି ବିଦ୍ୟୁତ ଖୁଣ୍ଟରେ ସୌରଚାଳିତ ବିଦ୍ୟୁତ୍‌ ଖୁଣ୍ଟ ପ୍ରତିଷ୍ଠା କରାଯାଇଥିଲା। ଦେଢ ବର୍ଷ ପରେ ବର୍ତମାନ ଗୋଟିଏ ବି ଖୁଣ୍ଟର ଲାଇଟ୍‌ ଜଳୁନାହିଁ। ତେବେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମ୍ପୃକ୍ତ ଠିକାଦାର ଏହି ପ୍ରକଳ୍ପର ମରାମତି କାର୍ଯ୍ୟ କରୁନାହିଁ। ପ୍ରଶାସନ ମଧ୍ୟ କାହାକୁ ଏଥିପାଇଁ ଉତ୍ତରଦାୟୀ କରୁନାହିଁ। ଠିକା ସଂସ୍ଥା ବେପରୁଆ। ଅଗତ୍ୟା ଜନସାଧାରଣ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି କାମ ନେଇଥିବା ଠିକାଦାର ଉପଯୁକ୍ତ ରକ୍ଷଣାବେକ୍ଷଣ କରି ନଥିବାରୁ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। କୁଜଙ୍ଗ ଜିଲ୍ଲାର ଏକ ପ୍ରମୁଖ ବ୍ୟାବସ‌ାୟିକ ପ୍ରାଣକେନ୍ଦ୍ର ଓ ପାରାଦୀପ ବନ୍ଦରର ପ୍ରମୁଖ ପ୍ରବେଶ ପଥ। ଏହି ବଜାର ମଧ୍ୟଦେଇ କଟକ-ପାରାଦୀପ ରାଜ୍ୟ ରାଜପଥ ଅତିକ୍ରମ କରିଛି। ସେଦୃଷ୍ଟିରୁ କୁଜଙ୍ଗକୁ ସରସସୁନ୍ଦର ସହରରେ ପରିଣତ ଓ ଏନଏସିରେ ରୂପାନ୍ତରିତ କରିବା ସ୍ବପ୍ନ ନେଇ ପୂର୍ବତନ ବିଧାୟକ ଡାକ୍ତର ଦାମୋଦର ରାଉତ କାର୍ଯ୍ୟ ଆରମ୍ଭ କରିଥିଲେ।

ଯାହାକୁ ପରବର୍ତୀ ସମୟରେ ତାଙ୍କର ପୁତ୍ର ତଥା ପାରାଦୀପ ବିଧାୟକ ଆଗକୁ ବଢାଇଥିଲେ। ସେହି ଆଧାରରେ ନିଜର ଆଂଚଳିକ ଉନ୍ନୟନ ପାଣ୍ଠିରୁ ୨୦୨୧ ବର୍ଷରେ ୧୦ ଲକ୍ଷ ଟଙ୍କା ବ୍ୟୟରେ କୁଜଙ୍ଗ ବଜାରର ସିନେମା ହଲ ଠାରୁ କିୟୁ ବଜାର ପର୍ଯ୍ୟନ୍ତ ସୌର ଚାଳିତ କୁଜଙ୍ଗ ବଜାର ଉଜ୍ଜ୍ବଳ ଆଲୋକୀକରଣ ଯୋଜନା କରାଯାଇଥିଲା। ଭୁବନେଶ୍ବରର ଜଣେ ଠିକାଦାରଙ୍କ ଦ୍ବାରା ଏହି କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ସ୍ଥାନୀୟ ବିଧାୟକ ସମ୍ବିତ ରାଉତରାୟ, ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ତତ୍‌କାଳୀନ ସରପଞ୍ଚ ଭାରତଭୂଷଣ ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ବୃତିରଞ୍ଜନ ବେହେରା ପ୍ରମୁଖଙ୍କ ଦ୍ବାରା ୨୦୨୧ ଅଗଷ୍ଟ ୨୮ ତାରିଖରେ ଲୋକାର୍ପଣ କରାଯାଇଥିଲା। ଏବେ ମାତ୍ର ଦେଢବର୍ଷ ପରେ କୌଣସି ଗୋଟିଏ ବି ଖୁଂଟରେ ଏହି ଆଲୋକ ଜଳୁନାହିଁ। ଏସମ୍ପର୍କରେ ବାରମ୍ବାର ବିଧାୟକଙ୍କୁ ଅଭିଯୋଗ କରାଯାଇଛି। ବିଧାୟକ ସମ୍ପୃକ୍ତ ଠିକାଦାରଙ୍କୁ ମରାମତି କରିବାକୁ ତାଦିଦ କରନ୍ତି। ମାତ୍ର ସମ୍ପୃକ୍ତ ଠିକାଦାର ଏହି କଥାକୁ ଗୁରୁତ୍ବ ଦେଉନଥିବା ଅଭିଯୋଗ ହେଉଛି। କୌଣସି ଠିକାଦାର ଠିକାକାର୍ଯ୍ୟ ସମ୍ପନ୍ନ କରିଥିଲେ ତାର ରକ୍ଷଣା ବେକ୍ଷଣ ଦାୟିତ୍ବ ମଧ୍ୟ ରହିଥାଏ। ମାତ୍ର ସମ୍ପୃକ୍ତ ଠିକାଦାର କଣ ପାଇଁ ଏହି ପ୍ରକଳ୍ପର ମରାମତି କରୁ ନାହାନ୍ତି ତାହା ଏବେ ବଜାର ବାସୀଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। କୁଜଙ୍ଗ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ କହିଛନ୍ତି ଏହି ପ୍ରକଳ୍ପ ଉଦ୍‌ଘାଟନ ହେବା ସମୟରେ ସେ ଏଠାରେ ନଥିଲେ। ତେବେ ଅଭିଯୋଗ ସମ୍ପର୍କରେ ସେ ତଦନ୍ତ କରିବାପରେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe