କାଳିଆପାଣି: ସୁକିନ୍ଦା ତହସିଲ କାଳିଆପାଣି ରାଜସ୍ବ ସର୍କଲ କଅଁସ ପଞ୍ଚାୟତ ସାରୁଆବିଲ ବାତ୍ରାହଟିଂରେ ଗତକାଲି ରାତି ବଜ୍ରପାତରୁ ୩ ପରିବାର ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି। ଆଦିବାସୀ ଦମ୍ପତି ଲକ୍ଷ୍ମୀ ଓ ଗୋବିନ୍ଦ କେରାଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଘର ଓ ପଡ଼ୋଶୀ ଜଗନ୍ନାଥ ପ୍ରଧାନଙ୍କ ଘର ପୋଡ଼ି ଯାଇଛି। ଗୋବିନ୍ଦଙ୍କ ଘରେ ଥିବା ଏକ ଛେଳିର ମୃତ୍ୟୁ ହୋଇଛି। ଗୋବିନ୍ଦ ଓ ନନ୍ଦଙ୍କ ଛଣଛପର ଘର ଜଳି ଯାଇଥିଲା। ସ୍ଥାନୀୟ ଲୋକେ ସାହସ କରି ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲେ। ଉଭୟଙ୍କ ଘରର ଅଧିକାଂଶ ଆସବାବପତ୍ର ଭାଙ୍ଗିରୁଜି ଯାଇଛି।
ନାନିକା ଓ ଅନାମ ମହାରଣାଙ୍କ ଟିଭି ବଡ଼ ଶବ୍ଦକରି ଫାଟି ୨ ଫାଳ ହୋଇଯାଇଥିଲା। ନନ୍ଦ ପ୍ରଧାନଙ୍କ ଘର ପାଖ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଫାଟି ଯାଇଛି। ପାଖରେ ଥିବା ଗୋଟିଏ ଶାଳଗଛ ଅଧା ଜଳିଯାଇଛି। ଗୋବିନ୍ଦ ପ୍ରଧାନଙ୍କ ଡାହାଣ କାନ ଫାଟି ଯାଇଛି। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ତାଙ୍କ ପତ୍ନୀ ଲକ୍ଷ୍ମୀ ବେହୋସ ହୋଇଯାଇଥିଲେ। ସାମାନ୍ୟ ସୁସ୍ଥ ହେବା ପରେ ତାଙ୍କୁ ଶୁଣା ଯାଉନଥିବା ଅଭିଯୋଗ ହୋଇଛି। ନନ୍ଦ ପ୍ରଧାନଙ୍କ ଛଣଛପର ପୋଡ଼ିଯିବା ସହ ପାଖକୁ ଲାଗିଥିବା ଆଜବେଷ୍ଟସ୍ ଛପର ଅଧାରୁ ଫାଟିଯାଇଛି। ଏହି ସମୟରେ ସେହି ରାସ୍ତାଦେଇ ଯାଉଥିବା ଯୁବକ ସଞ୍ଜୟ ପ୍ରଧାନ ପଡ଼ିଯାଇ ଆହତ ହୋଇଛନ୍ତି। ଆଜି ସରପଞ୍ଚ ରାଜାରାଣୀ ଦେହୁରୀ, ଆର୍ଆଇ ଦିଲୀପ ଚାତାର ଓ ପିଇଓ ପ୍ରଦୀପ ପରିଡ଼ା ବାତ୍ରାହଟିଂ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି। ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ପରିବାର ସମୂହକୁ ଯଥାଶୀଘ୍ର ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।
Follow Us