ଗଛ ପଡ଼ି ରାସ୍ତା ଅବରୋଧ, ଯାନବାହନ ଚଳାଚଳ ଠପ୍‌

Advertisment
ଗଛ ପଡ଼ି ରାସ୍ତା ଅବରୋଧ, ଯାନବାହନ ଚଳାଚଳ ଠପ୍‌

ଜୁନାଗଡ଼: ଜୁନାଗଡ଼ ବ୍ଲକ୍‌ ଚିଲିଗୁଡ଼ା ଫାଣ୍ଡିରେ ଏକ ବିରାଟ କୃଷ୍ଣଚୂଡ଼ା ଗଛ ଶୁକ୍ରବାର ରାତି ୧ଟାରେ ହଠାତ୍‌ ରାସ୍ତା ଉପରେ ପଡ଼ିଯାଇଥିଲା। ରାତିରେ ଏହି ଗଛଟି ପଡ଼ିଥିବାରୁ ବଡ଼ ବିପତ୍ତିରୁ ଲୋକଙ୍କୁ ରକ୍ଷା ମିଳିଥିଲା। ତେବେ ଫାଣ୍ଡିର ବାଡ଼ ଏବଂ ଚିଲିଗୁଡ଼ା ଗ୍ରାମର ମହେନ୍ଦ୍ର ଗହୀରଙ୍କ ବାଡ଼ ଭାଙ୍ଗିଯାଇଛି। ଅପରପକ୍ଷରେ ଏହି ରାସ୍ତାଟି ଚିଲିଗୁଡ଼ାରୁ ଖସିଗୁଡ଼ା ଗ୍ରାମକୁ ସଂଯୋଗ କରୁଥିବାରୁ ଯାନବାହନ ଚଳାଚଳ ୫ ଘଣ୍ଟା ଧରି ଠପ୍‌ ରହିଥିଲା। ସ୍ଥାନୀୟ ସରପଞ୍ଚ ତାରା ଶଙ୍କର ରାୟଗୁରୁଙ୍କଠାରୁ ଖବର ପାଇବା ପରେ ଜୁନାଗଡ଼ ଅଗ୍ନିଶମ କର୍ମଚାରୀ ଶନିବାର ସକାଳେ ପହଞ୍ଚି ରାସ୍ତା ଗଛକୁ କାଟି ସଫା କରିଥିଲେ। ଏହା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା।

କୋକସରା: ଶନିବାର ମଧ୍ୟାହ୍ନରେ ହୋଇଥିବା ଅଦିନିଆ ଝଡ଼ ବର୍ଷା ଯୋଗୁଁ କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକ ତଳେ ପଡ଼ିଯାଇଛି। ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ପବନ ଯୋଗୁଁ କାଉଡୋଲା ଗ୍ରାମର ଗଣେଶ ସତନାମୀଙ୍କ ଘର ଉପରେ ଗଛ ପଡ଼ିଯାଇଛି। ସେହିପରି ବ୍ଲକ୍‌ ସଦର ମହକୁମା ବଜାର ପଡ଼ିଆରେ ମଧ୍ୟ ଗଛଗୁଡ଼ିକ ଭାଙ୍ଗି ରାସ୍ତା ଓ ଲୋକଙ୍କ ଘରେ ପଡ଼ିଥିବା ଦେଖିବାକୁ ମିଳୁଛି। ନିକଟରେ ଥିବା ବିଦ୍ୟୁତ୍ ଖୁଣ୍ଟ ଓ ତାର ମଧ୍ୟ ତଳେ ପଡ଼ିଯାଇଛି। ଏହା ବ୍ୟତୀତ ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଗଛଗୁଡ଼ିକ ଭାଙ୍ଗିଥିବା ବେଳେ ଅନେକ ସମୟ ଧରି ବିଦ୍ୟୁତ୍ ସେବା ବ୍ୟାହତ ହୋଇଛି। କୋକସରା ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ ବାଗଙ୍କ ନେତୃତ୍ବରେ ଅଗ୍ନିଶମ କର୍ମଚାରୀମାନେ ଗଛକାଟି ରାସ୍ତା ସଫା କରିବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି।

publive-image

କେସିଙ୍ଗା ବ୍ଲକ୍‌ ଉତ୍କେଲା ଅଞ୍ଚଳରେ ଶନିବାର ଦିନ ୩ଟାରୁ ୫ଟା ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଅନେକ ଜାଗାରେ ଗଛ ପଡ଼ି ରାସ୍ତା ଅବରୋଧ ହେବା ସହ ଅନେକ ଲୋକଙ୍କ ଘରର ଆଜବେଷ୍ଟସ ଛାତ ଉଡ଼ିଯାଇଛି। ଫଳରେ ଅନେକ ପରିବାର ଓ ଦୋକାନୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଥୁଆମୂଳ ରାମପୁର: ଥୁଆମୂଳ ରାମପୁର ବ୍ଲକ୍‌ ଗୁଣପୁର ପଞ୍ଚାୟତ ହାଡଖୁର୍ସି ଏବଂ ପାଡ଼େପଦର ପଞ୍ଚାୟତର ପାଡ଼େପଦର ଗ୍ରାମରେ କାଳବୈଶାଖୀର ବେଶ ପ୍ରଭାବ ଦେଖିବାକୁ ମିଳିଛି। ଶନିବାର ଅପରାହ୍‌ଣରେ ହଠାତ୍ ଝଡ଼ ତୋଫାନ ସହିତ ବର୍ଷା ଓ କରା ମାଡ଼ ଯୋଗୁଁ ହାଡଖୁର୍ସି ଗ୍ରାମର ସୀମାଞ୍ଚଳ ନାଏକଙ୍କ ଘରର ଆଜବେଷ୍ଟସ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ସେହିପରି ପାଡ଼େପଦର ଗ୍ରାମର ପରିବା ସାହୁଙ୍କ ଘର ଉପରେ ଏକ ଗଛ ଭାଙ୍ଗି ପଡିଯିବା ଫଳରେ ଘରର ଆଜବେଷ୍ଟ ଛାଉଣି ଭାଙ୍ଗି ନଷ୍ଟ ହୋଇଯାଇଛି। ପରିବାର ଲୋକେ ଅଳ୍ପକେ ଏହି ବିପଦରୁ ବର୍ତ୍ତି ଯାଇଥିବା ବେଳେ ଘରେ ବର୍ଷା ପାଣି ଭରି ହୋଇଥିବା ଯୋଗୁଁ ଧାନ, ଚାଉଳ, ଓ ମାଣ୍ଡିଆ ଭଳି ଅନେକ ଖାଉଟି ସାମଗ୍ରୀ ସମେତ ବିଭିନ୍ନ ଆସବାବପତ୍ର ନଷ୍ଟ ହୋଇ ଯାଇଥିବା ଜଣାପଡ଼ିଛି। ହାଡ଼ଖୁର୍ସି ଗ୍ରାମର ହିମାଚଳଙ୍କ ପରିବାର ବର୍ତ୍ତମାନ ନିରୁପାୟ ହୋଇ ଗାଁର ବସୁଧା ପାଣି ପମ୍ପ ହାଉସ୍‌ରେ ଆଶ୍ରୟ ନେଇଛନ୍ତି। ପାଡେପଦର ଗ୍ରାମର ପରିବା ସାହୁଙ୍କ ପରିବାର ଅସହାୟ ଅବସ୍ଥାରେ ରହିଥିବା ସୂଚନା ମିଳିଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe