Sambad
ବାଲିଅନ୍ତା: ଭୁବନେଶ୍ବର ଅବକାରୀ ବିଭାଗ ଅଧୀନ ବାଲିଅନ୍ତା ସେକ୍ସନ ଓ ମୋବାଇଲ ଟିମ୍ ଆଜି ପୂର୍ବାହ୍ନରେ ବାଳକାଟି ଫାଣ୍ଡି ଓ ନୟାପଲ୍ଲୀ ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିଛନ୍ତି। ଜବତ ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ଦିପଟି ସାହିରେ ଚଢ଼ାଉ କରି ଟିମ୍ ମାନସ କୁମାର ସାହୁ ନାମକ ଜଣେ ଚୋରାମଦ ବ୍ୟବସାୟୀ(୩୦)କୁ ଗିରଫ କରିଛନ୍ତି। ମାନସ ନିକଟରୁ ୧୪୬ଟି ବୋତଲ ବିଦେଶୀ ମଦ ଜବତ କରାଯାଇଥିଲା। ସୂଚନା ମୁତାବକ ଦିପଟି ସାହିର ମାନସ ଦୀର୍ଘଦିନ ଧରି ଘରେ ଚୋରାମଦ କାରବାର ଚଳାଇଥିଲା। ସ୍ଥାନୀୟ ଲୋକ ଏସଂପର୍କରେ ବାଳକାଟି ଫାଣ୍ଡିରେ ଲିଖିତ ଭାବେ ଜଣାଇଥିଲେ। ହେଲେ ଫାଣ୍ଡି ପୁଲିସ ମାନସକୁ କାବୁ କରିବାରେ ସଫଳ ହୋଇନଥିଲେ।
ତେଣୁ ଏନେଇ ଅବକାରୀ କାର୍ଯ୍ୟାଳୟରେ ଜଣାଇଥିଲେ। ଅଭିଯୋଗ ପାଇ ବିଭାଗୀୟ ଅଧିକାରୀ ଆଜି ମାନସ ଘରେ ମିଳିତ ଚଢ଼ାଉ କରିଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କିଛି ନିଶା ବ୍ୟବସାୟୀ ଏବେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଚୋରାମଦ କାରବାର ଚଳାଇଥିବା ଅଭିଯୋଗ ହେଉଛି। ଏଥିସହିତ ଅବକାରୀ ବିଭାଗ ନୟାପଲ୍ଲୀ ଥାନା ସାଲିଆ ସାହିର ଅନ୍ୟ ୬ ଜଣ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ୧୫୦ ଲିଟର ଦେଶୀମଦ ଜବତ କରାଯାଇଛି। କୋର୍ଟରେ ସମସ୍ତଙ୍କ ଜାମିନ ଖାରଜ ହେବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଏସ୍ଆଇ ସୁଜିତ କୁମାର ମୁଦୁଲି। ଆଇଆଇସି ବିକାଶ ଚନ୍ଦ୍ର ନାୟକ ଓ ଏଏସ୍ଆଇ ଅଂଶୁମାନ ଜେନାଙ୍କ ତତ୍ବାବଧାନରେ ଚଢ଼ାଉ କରାଯାଇଥିଲା।
Follow Us