ପ୍ରକାଶ ପାଇଲା ତ୍ରିସ୍ତରୀୟ ପଂଚାୟତ ତାଲିକା

Advertisment
ପ୍ରକାଶ ପାଇଲା ତ୍ରିସ୍ତରୀୟ ପଂଚାୟତ ତାଲିକା

Sambad

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତାବିତ ଆରକ୍ଷଣ ତାଲିକା ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଜିଲ୍ଲାସ୍ତରରେ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତାବିତ ସଂରକ୍ଷଣ ଆସନ ଓ ପଦବୀର ତାଲିକା ପ୍ରକାଶ ପାଇଛି। ଏନେଇ ଆଜି ସକାଳୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ପଂଚାୟତ ଅଧିକାରୀଙ୍କ କାର୍ଯ୍ୟାଳୟରେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ଦିଗନ୍ତ ରାଉତରାୟ ଓ ଏପିଡି ତଥା ଦାୟିତ୍ୱରେ ପଂଚାୟତ ଅଧିକାରୀ ଶକ୍ତକାନ୍ତ ରାୟଙ୍କ ତତ୍ୱାବଧାନରେ ତାଲିକା ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ ହୋଇଥିଲା। ଅପରାହ୍ନ ୫ଟା ବେଳକୁ ତାଲିକା ପ୍ରାୟତଃ ପ୍ରସ୍ତୁତ ହୋଇଯାଇଥିଲେ ମଧ୍ୟ ପ୍ରଥମେ ମହିଳା ସଂରକ୍ଷଣକୁ ନେଇ ଓ ପରବର୍ତ୍ତୀ ସମୟରେ ବାଲିଅନ୍ତା, ବାଲିପାଟଣା ଓ ଭୁବନେଶ୍ୱର ବ୍ଲକର ସଂରକ୍ଷଣ ଆସନକୁ ନେଇ କେତେକ ସମସ୍ୟା ସୃଷ୍ଟି ହୋଇଥିଲା। ଶେଷରେ ଏହାର ସୁଧାର ପରେ ରାତି ପ୍ରାୟ ୮ଟାରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ଏହା ଉପରେ ସ୍ୱାକ୍ଷର ଦେଇଥିଲେ।

ଜିଲ୍ଲା ପରିଷଦର ୧୦ଟି ଆସନ ମଧ୍ୟରୁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାରେ ଅନୁସୂଚିତ ଜାତି ପୁରୁଷ ଓ ମହିଳାଙ୍କ ପାଇଁ ଗୋଟିଏ ଲେଖାଏଁ, ଅନୁସୂଚିତ ଜନଜାତିଙ୍କ ମହିଳାଙ୍କ ପାଇଁ ଗୋଟିଏ ଆସନ, ପଛୁଆ ବର୍ଗ ପୁରୁଷ ଓ ମହିଳାଙ୍କ ପାଇଁ ଗୋଟିଏ ଲେଖାଏଁ ଆସନ, ଅଣସଂରକ୍ଷିତ ପୁରୁଷଙ୍କ ପାଇଁ ୩ଟି ଓ ମହିଳାଙ୍କ ପାଇଁ ୨ଟି ଆସ ସଂରକ୍ଷିତ ରଖିବାକୁ ପ୍ରସ୍ତାବ ହୋଇଛି। ଏହା ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ପରିଷଦ ଆସନ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିର ରଖିବାକୁ ପ୍ରସ୍ତାବ ରହିଥିବା ବେଳେ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ଚିଲିକା, ଅଣସଂରକ୍ଷିତ ଆସନ ଜଟଣୀ, ବାଣପୁର ଓ ଭୁବନେଶ୍ୱର, ମହିଳାଙ୍କ ପାଇଁ ଟାଙ୍ଗୀ ଓ ବାଲିଅନ୍ତା, ଅନୁସୂଚିତ ଜାତିଙ୍କ ପାଇଁ ବାଲିପାଟଣା, ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ବେଗୁନିଆ, ପଛୁଆବର୍ଗ ମହିଳାଙ୍କ ପାଇଁ ବୋଲଗଡ଼ ଆସନ ସଂରକ୍ଷିତ ରଖିବାକୁ ପ୍ରସ୍ତାବ ରହିଛି।

ମୋଟ ୩୦ଟି ପଂଚାୟତ ସମିତି ଅଧ୍ୟକ୍ଷା ଓ ଅଧ୍ୟକ୍ଷ ପଦ ମଧ୍ୟରୁ ଅନୁସୂଚିତ ଜାତିଙ୍କ ପାଇଁ ୫ଟି, ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୩ଟି, ଅନୁସୂଚିତ ଜନଜାତି ପାଇଁ ୨ଟି, ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ଗୋଟିଏ, ପଛୁଆବର୍ଗଙ୍କ ପାଇଁ ୮ଟି, ପଛୁଆବର୍ଗ ମହିଳାଙ୍କ ପାଇଁ ୪ଟି, ସାଧାରଣ ବର୍ଗ ପାଇଁ ୧୫ ଓ ସାଧାରଣ ବର୍ଗ ମହିଳାଙ୍କ ପାଇଁ ୭ଟି ଆସନ ସଂରକ୍ଷିତ ରଖିବାକୁ ପ୍ରସ୍ତାବ ରହିଛି। ଏନେଇ ସୂଚନା ଦେଇ ଜିଲ୍ଲାପାଳ ସନତ କୁମାର ମହାନ୍ତି କହିଛନ୍ତି ଯେ ଜିଲ୍ଲା ପରିଷଦ ସଭ୍ୟ-ସଭ୍ୟା ଓ ପଂଚାୟତ ସମିତି ଅଧ୍ୟକ୍ଷ-ଅଧ୍ୟକ୍ଷା ପଦ ନିମନ୍ତେ ପ୍ରସ୍ତାବିତ ସଂରକ୍ଷଣ ତାଲିକା ଆଜି ଜିଲ୍ଲା ପଂଚାୟତ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି। ଏହି ତାଲିକା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପଜିଲ୍ଲାପାଳ ଓ ବ୍ଲକ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଟଙ୍ଗାଯିବ। ଏନେଇ ଆପତ୍ତି ଓ ପ୍ରସ୍ତାବ ଖୋର୍ଦ୍ଧା ପଂଚାୟତ ଅଧିକାରୀଙ୍କ ନିକଟକୁ ଡାକ କିମ୍ବା ଡିପିଓଖୋର୍ଦ୍ଧା ଆଟ୍ ଜିମେଲ୍ ଡଟ୍ କମ୍ ଯୋଗେ ଚଳିତ ମାସ ୧୬ ତାରିଖ ସୁଦ୍ଧା ପଠାଇବେ। ଏହାପରେ ଏନେଇ କୌଣସି ଆପତ୍ତି ଅଭିଯୋଗ ବିଚାରକୁ ନିଆଯିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe