ଛତ୍ରପୁରରେ ବ୍ଲକସ୍ତରୀୟ ମେଗା ସମନ୍ବୟ ମେଳା; ୫୪୫ ଏସଏଚ୍‌ଜିଙ୍କୁ ୧୨.୭୫ କୋଟିର ଋଣ ସହାୟତା

Advertisment
ଛତ୍ରପୁରରେ ବ୍ଲକସ୍ତରୀୟ ମେଗା ସମନ୍ବୟ ମେଳା; ୫୪୫ ଏସଏଚ୍‌ଜିଙ୍କୁ ୧୨.୭୫ କୋଟିର ଋଣ ସହାୟତା

ଛତ୍ରପୁର: ଆସନ୍ତା ପଂଚାୟତ ନିର୍ବାଚନ ପୂର୍ବରୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ସରକାରଙ୍କ ତରଫରୁ ପ୍ରଥମ ଭେଟି ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ୫୪୫ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ୧୨ କୋଟି ୭୫ ଲକ୍ଷ ୮୦ ହଜାର ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଛି। ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ସ୍ବାବଲମ୍ବୀ ହେବା ସହ ଅତ୍ମନିର୍ଭରଶୀଳ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ମିସନ୍ ଶକ୍ତି ବିଭାଗ କାର୍ଯ୍ୟକ୍ଷମ କରିଛନ୍ତି। ଏହି ବିଭାଗ ଅଧୀନରେ ମିସନ୍ ଶକ୍ତି ଏବଂ ଓଡ଼ିଶା ଜୀବିକା ମିସନ୍ ଅଧୀନରେ ଥିବା ସମସ୍ତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ରୋଜଗାରକ୍ଷମକୁ ଲକ୍ଷ୍ୟ କରି ଋଣ ସହାୟତା ପ୍ରଦାନ କରାଯାଇଛି।

ଏହି ଅବସରରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଏବଂ ପ୍ରଶାସନ ମଧ୍ୟରେ ସମନ୍ବୟ ରକ୍ଷା କରିବା ନିମନ୍ତେ ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ମେଗା ସମନ୍ବୟ ମେଳା (୨୦୨୧–୨୨) ଅନୁଷ୍ଠିତ ହୋଇଥିଲା। ମିସନ୍ ଶକ୍ତି ଓ ଓଡିଶା ଜୀବିକା ମିସନ୍ ମିଳିତ ଆନୁକୂଲ୍ୟରେ ଆୟୋଜିତ ସମନ୍ବୟ ମେଳାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ ପ୍ରମୁଖ ଯୋଗଦେଇ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ (ଏସଏଚଜି)ଙ୍କୁ ବିଭିନ୍ନ ବ୍ୟାଙ୍କ ସହାୟତାରେ ୧୨ କୋଟି ୭୫ ଲକ୍ଷ ୮୦ ହଜାର ଟଙ୍କାର ଋଣ ସହାୟତା ପ୍ରଦାନ କରିଥିଲେ। ବ୍ଲକର ସବୁ ମହିଳା ସ୍ବଂୟ ସହାୟିକା ଗୋଷ୍ଠୀମାନେ ଭଳ କାର୍ଯ୍ୟ କରୁଛନ୍ତି ଏବଂ ଶତ ପ୍ରତିଶତ ଋଣ ପରିଶୋଧ କରୁଛନ୍ତି।

ଏହି ସମସ୍ତ କାର୍ଯ୍ୟ କରି ଛତ୍ରପୁର ବ୍ଲକ ଗଂଜାମ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ମେଗା ସମନ୍ବୟ ମେଳାରେ ୨୦ଟି ବ୍ୟାଙ୍କ ପକ୍ଷରୁ ସ୍ବଂୟ ସହାୟିକା ଗୋଷ୍ଠୀ ମାନଙ୍କୁ ଋଣ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମିସନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶାଶ୍ବତ କୁମାର ସାହୁ, ଓଡିଶା ଜିବୀକା ମିସନ୍ର ଛତ୍ରପୁର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା, ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ବ୍ୟାଙ୍କ ଅଫ୍ ବରୋଦା ଶାଖାର ସହ– ଶାଖା ପରିଚାଳିକା ସମାପ୍ତି ପଣ୍ତାଙ୍କ ସମେତ ୨୦ଟି ବ୍ୟାଙ୍କର ଶାଖା ପରିଚାଳକମାନେ ଉପସ୍ଥିତ ଥିଲେ।

ଛତ୍ରପୁର ବ୍ଲକ ଅନ୍ତର୍ଗତ ଏସଏଚଜି ମହିଳାମାନେ ଆଚାର, ପାମ୍ପଡ, ପୋଷାକ, ଘରେ ସଜାଇବା ନିମନ୍ତେ ନଡିଆ କତାରେ ପ୍ରସ୍ତୁତ କଣ୍ଢେଇ, ଜୈୖବିକ ପଦ୍ଧତି ମାଧ୍ୟମରେ ପନିପରିବା ଚାଷଭଳି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ଏବଂ ଛତୁ , ମାଛ, କୁକୁଡା ଓ ଫୁଲ ଚାଷ ଏବଂ ନର୍ସରି ସମେତ ବିଭିନ୍ନ ପ୍ରୋଜେକ୍ଟରେ କାର୍ଯ୍ୟ କରୁଛନ୍ତି । ଏହି ଋଣ ସହାୟତା ପାଇବା ପରେ ମହିଳାମାନେ ବିଭିନ୍ନ କାର୍ଯ୍ୟରେ ଲଗାଇ ଅଧିକ ଅର୍ଥ ଉପାର୍ଜନ କରିପାରିବେ ବୋଲି ସେମାନେ ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe