ମାଓ ଗୁଳିରେ ମହିଳା ଜିଆରଏସଙ୍କ ମୃତ୍ୟୁ ଘଟଣା: ୪ ଦିନ ପରେ ସଂଯୁକ୍ତାଙ୍କ ପରିବାରକୁ ଭେଟିଲା ପ୍ରଶାସନ

କ୍ଷତିପୂରଣ ରାଶି ସହ ସାନଭାଇର ପାଠପଢା ଖର୍ଚ୍ଚ ବହନ ପ୍ରତିଶ୍ରୁତି

ମାଓ ଗୁଳିରେ ମହିଳା ଜିଆରଏସଙ୍କ ମୃତ୍ୟୁ ଘଟଣା: ୪ ଦିନ ପରେ ସଂଯୁକ୍ତାଙ୍କ ପରିବାରକୁ ଭେଟିଲା ପ୍ରଶାସନ

ଫୁଲବାଣୀ: ନିର୍ବାଚନ କାର୍ଯ୍ୟରେ ଯାଇ ମାଓବାଦୀଙ୍କ ଗୁଳିମାଡରେ ମୃତ୍ୟୁ ବରଣ କରିଥିବା ପୁଲିଂ ଚେକିଂ ଟିମର ସୁପରଭାଇଜର ତଥା ମହିଳା ଜିଆରଏସ ସଂଯୁକ୍ତା ଦିଗାଲଙ୍କୁ ପରିବାରକୁ ୪ ଦିନ ପରେ ପ୍ରଶାସନ ଭେଟିଛି। କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି ଲଦାପଦର ଗାଁକୁ ଯାଇ ମୃତ ସଂଯୁକ୍ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ। ନିୟମ ଅନୁଯାୟୀ କ୍ଷତିପୂରଣ ରାଶି ମିଳିବଯ ଯୁକ୍ତ ୩ ପଢୁଥିବା ମୃତ ସଂଯୁକ୍ତାଙ୍କ ସାନଭାଇ ରଘୁନାଥର ପାଠପଢା ସବୁ ଖର୍ଚ୍ଚ ପ୍ରଶାସନ ପକ୍ଷରୁ ବହନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ମୃତ ସଂଯୁକ୍ତାଙ୍କ ସ୍ୱାମୀ ଜିମେନ୍ଦ୍ର ଦିଗାଲ କହିଛନ୍ତି।

ପାଠପଢା ଖର୍ଚ୍ଚ ବହନ ସହ ରଘୁନାଥକୁ ଏକ ସରକାରୀ ଚାକିରି ଦେବାକୁ ସେ କହିଥିଲେ। ଏ ନେଇ ଅନୁଧ୍ୟାନ ଓ ବିଚାର କରାଯିବ ବୋଲି ଜିଲ୍ଲାପାଳ କହିଥିବା ସେ କହିଛନ୍ତି। ଜିଲ୍ଲାପାଳଙ୍କ ସହ ଫିରିଙ୍ଗିଆ ବିଡିଓ ପ୍ରବୀଣ କୁମାର ବାଣୁଆ ଉପସ୍ଥିତ ଥିଲେ। ଗତ ୧୮ ତାରିଖରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ତା’ ପୂର୍ବଦିନ ଅର୍ଥାତ ୧୭ ତାରିଖରେ ମାଓବାଦୀ ବାଲନ୍ଦାପଡାଠାରୁ ୧୨ କିଲୋମିଟର ଦୂର ବାରାହାଲ ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ସହ ଗୁଳିମାଡ କରିଥିଲେ।

ଏହି ସମୟରେ ପୁଲିଂ ଚେକିଂ ଟିମ ସହ ଯାଉଥିବା ସଂଯୁକ୍ତାଙ୍କ ମୁଣ୍ଡରେ ଗୁଳି ବାଜି ଥିଲା। ଘଟଣା ସ୍ଥଳରେ ସଂଯୁକ୍ତା ଟଳି ପଡିଥିଲେ। ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣାର ୪ ଦିନ ପରେ ପରିବାର ଲୋକଙ୍କୁ ସାନ୍ତ୍ୱନା କିମ୍ବା ସମବେଦନା ଦେବାକୁ କେହି ପ୍ରଶାସନିକ ଅଧିକାରୀ ଯାଇ ନଥିଲେ। ଏହାକୁ ନେଇ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଥିଲେ।

ବିଳମ୍ବରେ ହେଉ ପଛେ ପ୍ରଶାସନ ପହଞ୍ଚି ଥିବାରୁ ପରିବାର ଲୋକ ଖୁସି ବ୍ୟକ୍ତ କରିଛନ୍ତି। ମୃତ ସଂଯୁକ୍ତାଙ୍କ ସାନଭାଇ ରଘୁନାଥର ପାଠପଢା ଖର୍ଚ୍ଚ ବହନ ସହ ଏକ ସରକାରୀ ଚାକିରି ଦେବାକୁ ଜିଆରଏସ ସଂଘ କନ୍ଧମାଳ ଶାଖା ପକ୍ଷରୁ ଦାବି କରାଯାଇଛି। ଗତ ୨୦୧୪ ନିର୍ବାଚନରେ ମହିଳା ଜିଆରଏସ ମମତା ନାୟକ ଘରୁ ଡ୍ୟୁଟିରେ ଯାଇ ଆଉ ଫେରି ନଥିଲେ। ଆଜି ସୁଦ୍ଧା ତାଙ୍କର କେଣସି ଖୋଜଖବର ନାହିଁ। ଏହାକୁ ନେଇ ପରିବାର ଲୋକ ପ୍ରଶାସନକୁ ଦାୟୀ କରିଥିବା ବେଳେ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe