ନବରଂଗପୁର: ମଦ ପାଇଁ ୯ ମାସର ଶିଶୁପୁତ୍ରକୁ ବିକିଦେଲା ବାପା, ଥାନାରେ ଅଭିଯୋଗ

Advertisment
ନବରଂଗପୁର: ମଦ ପାଇଁ ୯ ମାସର ଶିଶୁପୁତ୍ରକୁ ବିକିଦେଲା ବାପା, ଥାନାରେ ଅଭିଯୋଗ

ନବରଂଗପୁର: ମଦ ପିଇବା ପାଇଁ ଆର୍ଥିକ ସମସ୍ୟା ହେବାରୁ ଜଣେ ବାପା ନିଜର ୯ ମାସର ପୁଅକୁ ବିକ୍ରି କରିଦେଇଛି। ସବୁଠାରୁ ଦୁର୍ଭାଗ୍ୟର କଥା ଯେ, ମଦୁଆ ବ୍ୟକ୍ତି ମା’ର କୋଳରୁ ଛଡ଼ାଇ ଆଣି ପୁଅକୁ ବିକ୍ରି କରିଛି। ଏଭଳି ଏକ ଅଭିଯୋଗ ମଙ୍ଗଳବାର ନବରଂଗପୁର ଜିଲ୍ଲାର ଉମରକୋଟ ଥାନାରେ ଅଭିଯୋଗ ହୋଇଛି। ଜଣେ ମହିଳାଙ୍କର ଅଭିଯୋଗ ଅନୁସାରେ ମଦୁଆ ବାପା ମାତ୍ର ୧୦ ହଜାର ଟଙ୍କା ପାଇଁ ନିଜ ରକ୍ତରୁ ଜନ୍ମିତ ୯ ମାସର କଅଁଳ ଶିଶୁକୁ ଅନ୍ୟ ଜଣଙ୍କ ହାତରେ ଟେକିଦେଇଛି।

ବୁର୍ଜା ପଞ୍ଚାୟତ ପୂଜାରୀଗୁଡା ଗାଁର ସଗାରାମ ଲୋହାର ତାଙ୍କ ୯ ମାସର ପୁଅକୁ ଟଙ୍କା ପାଇଁ ଜଣଙ୍କୁ ବିକି ଦେଇଥିବା ବାପା ସଗାରାମଙ୍କ ସ୍ତ୍ରୀ ସନମତି ଏହି ଅଭିଯୋଗ ଆଣିଛନ୍ତି। ସଗାରାମ ନିଜ ସ୍ତ୍ରୀ ଓ ୯ ମାସର ପୁଅକୁ ନେଇ ଉମରକୋଟ ପେଣ୍ଡରାଣୀ ମନ୍ଦିରକୁ ବୁଲିବା ପାଇଁ ଆସିଥିଲେ। ଆଉ ସେହି ସମୟରେ ସଗାରାମ ନିଜ ସ୍ତ୍ରୀଙ୍କୁ ପ୍ରବଳ ମାଡ ମାରି ତାଙ୍କ ଠାରୁ ପୁଅକୁ ଛଡାଇ ନେଇଥିଲେ। ଆଉ ଯୋଜନା ମୁତାବକ ମନ୍ଦିରରେ ଉପସ୍ଥିତ ଥିବା ୨ ଜଣ ବ୍ୟକ୍ତିଙ୍କୁ ବିକି ଦେଇଥିଲେ।

ପୁଅକୁ ବିକିବା ପରେ ସନମତି ଓ ସଗାରାମ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ, ହେଲେ ସେଠାରେ ପୁଅ କୁଆଡେ ଗଲା ବୋଲି ଶ୍ୱଶୁର ଘର ଲୋକେ ପଚାରିବାରୁ ସଗାରାମ କହିଥିଲେ, ପୁଅ ମରିଯାଇଛି। ସଗାରାମଙ୍କ ଏହି କଥା ଶୁଣିବା ପରେ ଶ୍ୱଶୁର ଘର ଲୋକଙ୍କର ସନ୍ଦେହ ହୋଇଥିଲା। ଆଉ ସେମାନେ ସନମତିଙ୍କୁ ପଚରାଉଚରା କରିବା ପରେ ସବୁ ଘଟଣା ସାମ୍ନାକୁ ଆସିଥିଲା।

ସତକଥା ଶୁଣିବା ପରେ ମଦୁଆ ଜ୍ୱାଇଁଙ୍କୁ ଖୁଣ୍ଟରେ ବାନ୍ଧି ଶ୍ୱଶୁର ଘର ଲୋକ ନିସ୍ତୁକ ମାଡ଼ମାରିଥିଲେ। ପରେ ସନମତି ଉମରକୋଟ ଥାନାରେ ସଗାରାମଙ୍କ ନାଁରେ ଅଭିଯୋଗ କରିଛନ୍ତି। ତେବେ କଣ ପାଇଁ ବାପା ନିଜ ରକ୍ତକୁ ମାତ୍ର ୧୦ ହଜାର ଟଙ୍କାରେ ବିକି ଦେବାକୁ ବାଧ୍ୟ ହେଲା ତାର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe