ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି; ଶବ ରଖି ରାସ୍ତା ଅବରୋଧ, ଥାନା ଘେରାଉ

ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି; ଶବ ରଖି ରାସ୍ତା ଅବରୋଧ, ଥାନା ଘେରାଉ

ରାୟଗଡ଼ା: ରାୟଗଡ଼ା ରେଲୱେ ଓଭରବ୍ରିଜରେ ଘଟିଥିବା ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦାନିଆଲା ମୁନାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହୋଇଛି। ୨ ଲକ୍ଷ କ୍ଷତିପୂରଣ ଦାବିରେ ଆମ୍ବେଦକାର ସାହି ବାସିନ୍ଦା ମୃତ ଦେହକୁ ରାସ୍ତା ଉପରେ ରଖି ରାଜପଥ ଅବରୋଧ କରିବା ସହ ଥାନା ଘେରାଉ କରିଥିଲେ। ପୁଲିସ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଟ୍ରାକ୍ଟର ମାଲିକ ସହ ଆଲୋଚନା କରି କ୍ଷତିପୂରଣ ପ୍ରଦାନ ପାଇଁ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା।

ଗୁରୁବାର ରାତିରେ ଦାନିଆଲା ମୁନା ଓ ଶୁଣ୍ଢି ହରେଶ ଏକ ସ୍କୁଟି ଯୋଗେ ବସଷ୍ଟାଣ୍ଡରୁ କପିଳାସ ଛକ ଅଭିମୁଖେ ଆସୁଥିଲେ। ଓଭରବ୍ରିଜ୍ ଚଢ଼ୁଥିବା ବେଳେ ରାସ୍ତାରେ ବିରାଟ ଗର୍ତ୍ତ ଦେଖି ଦାନିଆଲ ସ୍କୁଟିକୁ ସାଇଡ୍ କରୁଥିବା ବେଳେ ଭାରସାମ୍ୟ ହରାଇ ପଡି ଯାଇଥିଲେ। ଏହି ସମୟରେ ପଛରୁ ଆସୁଥିବା ଟ୍ରାକ୍ଟର ଭାରସାମ୍ୟ ହରାଇ ସ୍କୁଟିକୁ ଧକ୍କା ଦେବା ଯୋଗୁ ଉଭୟ ସ୍କୁଟି ଆରୋହୀ ରାସ୍ତା ଉପରେ ଛିଟିକି ପଡିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ମେଡ଼ିକାଲକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଦାନିଆଲ ମୁନାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।

ହରେଶ ମେଡ଼ିକାଲରେ ଚିକିତ୍ସାଧୀନ ଥିବା ବେଳେ ଆଜି ସକାଳେ ରାୟଗଡ଼ା ପୁଲିସ୍ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଘଟଣା ପରେ ପୁଲିସ୍ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ଅଟକ ରଖି ମାଲିକକୁ ଥାନାକୁ ଡକାଇଛି। ପୂର୍ବାହଣ୍ ୧୧ଟା ସୁଦ୍ଧା କ୍ଷତିପୂରଣ ପ୍ରଦାନ ନେଇ କୌଣସି ନିଷ୍ପତ୍ତି ହୋଇନଥିବାରୁ ମୃତକଙ୍କ ପରିବାର ଓ ସଂପର୍କୀୟ ଲୋକ ଶବକୁ ଥାନା ଆଗ ରାସ୍ତାରେ ରଖି କ୍ଷତିପୂରଣ ଦାବିରେ ଅଡ଼ି ବସିଥିଲେ। ଖବର ପାଇ ସାହି ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚିବା ପରେ ଆନ୍ଦୋଳନ ତୀବ୍ର ହୋଇଥିଲା। ଫଳରେ ଥାନା ରାସ୍ତା ଦେଇ ଯାଇଥିବା ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା। ଟ୍ରାକ୍ଟର ମାଲିକ କୌଣସି କାମରେ ବାହାରକୁ ଯାଇଥିବାରୁ କ୍ଷତିପୂରଣ ନେଇ କୌଣସି ନିଷ୍ପତ୍ତି ହୋଇନଥିବା ନେଇ ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ମୃତକଙ୍କ ପରିବାର ଲୋକଙ୍କୁ ବୁଝାଇଥିଲେ। କିନ୍ତୁ ପ୍ରତିଶୃତି ନ ମିଳିବା ପର୍ଯ୍ୟନ୍ତ ରାସ୍ତାରୋକ ହଟିବ ନାହିଁ ବୋଲି ଜିଦରେ ଅଟଳ ରହିଥିଲେ ସଂପର୍କୀୟ। ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଇନସ୍ୟୁରାନସ୍ ଥିବାରୁ କ୍ଷତିପୂରଣ ମିଳିବାରେ କିଛି ଅସୁବିଧା ହେବନି ବୋଲି ଥାନା ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe