ରାଉରକେଲାକୁ ଆସୁଛି ଝାଡ଼ଖଣ୍ଡର ସ୍ପିରିଟ୍‌ ମିଶ୍ରିତ ଦେଶୀ ମଦ!

Advertisment

ଦେଶୀ ଓ ବିଦେଶୀ ମଦ ଜବତ, ୫ ଗିରଫ

ଦେଶୀ ଓ ବିଦେଶୀ ମଦ ଜବତ, ୫ ଗିରଫ

ରାଉରକେଲାକୁ ଆସୁଛି ଝାଡ଼ଖଣ୍ଡର ସ୍ପିରିଟ୍‌ ମିଶ୍ରିତ ଦେଶୀ ମଦ!

ରାଉରକେଲା: ଇସ୍ପାତ ସହରରର ଗଳି କନ୍ଦିରେ ଏବେ ଦେଶୀ ଓ ନକଲି ବିଦେଶୀ ମଦ ବେପାର ଅବାଧରେ ଚାଲିଛି। ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚଢ଼ଉ କରାଯାଉଛି, ତଥାପି ମଦ ମାଫିଆଙ୍କ କାରବାର ବନ୍ଦ ହେବାର ନାଁ ନେଉନି। ଟିକସ ଫାଙ୍କି ମଦ ବିକ୍ରି କରୁଥିବାବେଳେ ତିନିଟି ପୃଥକ୍‌ ପୃଥକ୍‌ ମାମଲାରେ ଆଜି ପୁଣି ୫ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏହାସହ ୨୩.୫୮୦ ଲିଟର ବିଦେଶୀ ମଦ ଓ ଶହେ ଲିଟର ଦେଶୀ ମଦ ଜବତ ହୋଇଛି। ମଦଚାଲାଣରେ ବ୍ୟବହୃତ ଗୋଟିଏ ସ୍କୁଟି ଓ ଗୋଟିଏ ବାଇକ୍‌ ଜବତ କରାଯାଇଛି।

ଆଜି ପୂର୍ବାହ୍ନରେ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ବିଶ୍ରା ରୋଡ୍‌ରେ ବିଦେଶୀ ମଦ ଚାଲାଣ କରୁଥିବାବେଳେ ନୂଆଗାଁ ବ୍ଲକ ଲିଣ୍ଡ୍ରାର ଡୁଗରୁ ଓରାମଙ୍କ କାବୁ କରିନେଇଥିଲା। ଡୁଗରୁଠାରୁ ୯.୮୮୫ ଲିଟର ବିଦେଶୀ ମଦ ଜବତ କରାଯାଇଛି। ସେହିଭଳି ଝୀରପାଣି ମାର୍କେଟ୍‌ ରୋଡ୍‌ ଅଞ୍ଚଳରେ ବିଦେଶୀ ମଦ ବିକ୍ରି କରୁଥିବାବେଳେ ବିକାଶ ଅଗ୍ରୱାଲଙ୍କୁ ଗିରଫ କରାଯାଇଥିଲା। ବିକାଶଙ୍କ ପାଖରୁ ୧୩.୬୯୫ ଲିଟର ବିଦେଶୀ ମଦ ଜବତ ହୋଇଛି। ଏତଦ୍‌ବ୍ୟତୀତ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଶହେ ଲିଟର ଦେଶୀ ମଦ ଜବତ ହୋଇଛି। ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ବୀରମିତ୍ରପୁର ଥାନା ଅନ୍ତର୍ଗତ ରିଉଁର ଆକାଶ ତନ୍ତୀ, ଝାଡ଼ଖଣ୍ଡର ସୁନୀଳ ସାହୁ ଓ ନିରଞ୍ଜନ ସାହୁଙ୍କୁ ଗିରଫ କରାଯାଇଛି।

ଉଲ୍ଲେଖଯୋଗ୍ୟ, କୁଆରମୁଣ୍ଡା, ବୀରମିତ୍ରପୁର, ବ୍ରାହ୍ମଣୀତରଙ୍ଗ ଆଦି ଅଞ୍ଚଳ ସମେତ ଝାଡ଼ଖଣ୍ଡରୁ ମଧ୍ୟ ନିୟମିତ ବ୍ୟବଧାନରେ ରାଉରକେଲାକୁ ମଦ ଆସୁଛି। ଝାଡ଼ଖଣ୍ଡରୁ ନକଲି ବିଦେଶୀ ଚୋରାଚାଲାଣ ଏବେ ବି ଜାରି ରହିଥିବାବେଳେ ଦେଶୀ ମଦ ଚାଲାଣ ଏବେ ଜୋର୍‌ ଧରିଛି। ଏହି ଝାଡ଼ଖଣ୍ଡର ଦେଶୀ ମଦ ସ୍ପିରିଟ୍‌ ମିଶ୍ରିତ ଥିବାରୁ ଏହାର ନିଶା ମାତ୍ରା ଅଧିକ ରହୁଥିବାରୁ ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି। ଏହାସହ ଏହାର ଦର ଅପେକ୍ଷାକୃତ କମ୍‌ ଥିବାରୁ ସହରର ବିଭିନ୍ନ ବସ୍ତି ଅଞ୍ଚଳରେ ଏହାର ଚାହିଦା ସର୍ବାଧିକ। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ସବଇନ୍ସପେକ୍ଟର ଶ୍ରୀଧର ମହାନ୍ତି, ମାନସ ରଞ୍ଜନ ମୁଣ୍ଡା, ରମାକାନ୍ତ ଚାନ୍ଦ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe