୧୫ ଦିନିଆ ଲକ୍‌ଡ଼ାଉନ ଆରମ୍ଭ ଦିନ ୧୨ଟା ଯାଏଁ ପରିବା ହାଟ-ଦୋକାନରେ ଗହଳି

Advertisment
୧୫ ଦିନିଆ ଲକ୍‌ଡ଼ାଉନ ଆରମ୍ଭ ଦିନ ୧୨ଟା ଯାଏଁ ପରିବା ହାଟ-ଦୋକାନରେ ଗହଳି

Sambad

ଖୋର୍ଦ୍ଧା: କରୋନା ସଂକ୍ରମଣର ଦ୍ୱିତୀୟ ଲହର ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଠାରୁ ୧୫ ଦିନିଆ ଲକ୍‌ଡ଼ାଉନ ଆରମ୍ଭ ହୋଇଛି। ତେବେ ଶତ ସଚେତନତା ଓ ଜୋରିମାନା ଆଦି ପରେ ମଧ୍ୟ ଲୋକଙ୍କ ମଧ୍ୟ ଆବଶ୍ୟକ ସଚେତନତା ସୃଷ୍ଟି ହୋଇନାହିଁ। ଦିନ ୧୨ଟା ଯାଏଁ ଦୋକାନ, ପରିବା ହାଟରେ କରୋନା କଟକଣାକୁ ଫୁ କରି ଲୋକ ଭିଡ଼ ଜମାଇଥିବା ବେଳେ ଦିନ ୧୨ଟା ପରେ କିନ୍ତୁ ସହରବଜାର ଶୂନ୍ଶାନ ହୋଇଥିଲା। ଆଜି ଲକ୍‌ଡ଼ାଉନ ପ୍ରଥମ ଦିନ। ରାଜ୍ୟ ସରାକରଙ୍କ ନିର୍ଦେଶକ୍ରମେ ଲୋକଙ୍କ ସୁବିଧା ପାଇଁ ପରିବା, ଖାଦ୍ୟ, ତେଜରାତି ଦୋକାନ, ମାଛମାଂସ ଆଦି ଦୋକାନ ଦିନ ୧୨ଟା ଯାଏଁ ଖୋଲା ଯିବାର ନିୟମ ରହିଥିଲା। ତେବେ ଦିନ ଗୋଟାଏ ଯାଏଁ ଦୋକାନ ବଜାର ଗୁଡ଼ିକରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ରାସ୍ତାକଡ଼ରୁ ଭିଡ଼ କମାଇବା ପାଇଁ ପୌର ପ୍ରଶାସନ ପରିବା ଦୋକାନ ହାବେଳୀ ପଡ଼ିଆ ଓ ଟିଏଲ୍ସି ପଡ଼ିଆ ନିକଟକୁ ଉଠାଇ ଦେଇଥିଲେ। ଯଦିଓ ରାସ୍ତାକଡ଼ରେ ଲୋକଙ୍କ ଭିଡ଼ ନଥିଲା କିନ୍ତୁ ପରିବା ବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହାପରେ ପୁଲିସ ଓ ପୌର କର୍ମଚାରୀ ପହଂଚି ଗ୍ରାହକ ଓ ଦୋକାନୀମାନଙ୍କୁ ଚେତାବନୀ ଦେଇଥିଲେ।

ସେହିଭଳି ବୁଧବାର ହେତୁ ମାଛ-ମାଂସ ଦୋକାନରେ ମଧ୍ୟ ଲୋକଙ୍କ ଭିଡ଼ ଅସମ୍ଭବ ଥିଲା। ସାନିଟାଇଜ୍ ତ ଦୂରର କଥା ମୁହଁରେ ମାସ୍କ ଆଦି ମଧ୍ୟ ଅନେକଙ୍କ ନଥିବା ଦେଖିବାକୁ ମିଳିଥିଲା। ଏହାପରେ ସାଢ଼େ ୧୨ଟା ବେଳେ ପୁଲିସ ପାଟ୍ରୋଲିଂ ଗାଡ଼ି ସାଇରନ୍ ଲଗାଇ ସହର ପରିକ୍ରମା କରିବା ପରେ ଦୋକାନବଜାର ବନ୍ଦ କରିବା ଆରମ୍ଭ କରିଥିଲେ। ସେହିଭଳି ଆହର କେନ୍ଦ୍ରରେ ମଧ୍ୟ ସାମାଜିକ ଦୂରତ୍ୱ ରକ୍ଷା କରି ଖାଦ୍ୟ ପୁଡ଼ିଆ ନେବା ପାଇଁ କଟକଣାକୁ କୋହଳ କରାଯାଇଥିବା ବେଳେ ପ୍ରଥମ ଘଂଟାଏ ଲୋକମାନେ ଧାଡ଼ିରେ ଠିଆ ହୋଇଥିଲେ। କିନ୍ତୁ ପରବର୍ତୀ ସମୟରେ ଅନୁରୂପ ଭାବେ ଗହଳି ଜମାଇବା ଆରମ୍ଭ କରିଥିଲେ। ଏସ୍ଡିପିଓ ସୁଶୀଲ କୁମାର ମିଶ୍ର, ଟାଉନ୍ ଥାନା ଅଧିକାରୀ ଉମାଶଙ୍କର ସିଂହ, ତହସିଲଦାର ପଦ୍ମଚରଣ ସାହୁ ଓ ଅନ୍ୟ ପୁଲିସ କର୍ମଚାରୀଙ୍କ ସହ ସହରର ନୂଆବସ୍‌ ଷ୍ଟାଣ୍ତ ଛକ, ମୁକୁନ୍ଦପ୍ରସାଦ ଆଦି ଠାରେ ଅସ୍ଥାୟୀ ବ୍ୟାରିକେଡ୍ ଲଗାଇ ଗାଡ଼ିମୋଟର ଆଦିର ଯାଂଚ କରିଥିଲେ। ଖୋର୍ଦ୍ଧା ସହରକୁ ଆସୁଥିବା ଓ ଯାଉଥିବା ଗାଡ଼ି ମୋଟର ଆଦି ଚଳାଚଳ ବନ୍ଦ ରହିଥିଲା। ସହର ମଧ୍ୟରେ ଅଟୋ ଚଳାଚଳ ମଧ୍ୟ ବନ୍ଦ ରହିଥିଲା। ଅପରାହ୍ନ ଗୋଟାଏ ପରେ ସହର ଆପାତତଃ ଶୂନ୍‌ଶାନ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe