ଲିଫ୍‌ଟ ଦେବା ନାଁରେ ୨୦ ହଜାର ଟଙ୍କା ଲୁଟ୍‌, ଯୁବକ ଗିରଫ

ଲିଫ୍‌ଟ ଦେବା ନାଁରେ ୨୦ ହଜାର ଟଙ୍କା ଲୁଟ୍‌, ଯୁବକ ଗିରଫ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଞ୍ଚଳରେ ଲିଫ୍‌ଟ ଦେଇ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲୁଟ କରିଛି ଜଣେ ୨୮ ବର୍ଷୀୟ ଯୁବକ। ଏନେଇ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ। ଗତ ୨୮ ତାରିଖରେ କଦଗୁଡା ଗ୍ରାମର ଅର୍ଜୁନ ଗୌଡ଼ ବୋରିଗୁମ୍ମା ଏସ୍‌.ବି.ଆଇକୁ ଆସି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସିଥିବା ୨୦ ହଜାର ଟଙ୍କା ଉଠାଇଥିଲେ। ସେହି ସମୟରେ ଘାଟବାଲଗୁଡା ଗ୍ରାମର ଲମ୍ବୋଦର ବିଶୋଇ ସବୁ ନିରୀକ୍ଷଣ କରୁଥିଲା। ସହରର ହାଟପଦା ଠାରେ ଅର୍ଜ୍ଜୁନ ଗୌଡ଼ ନିଜ ଗ୍ରାମକୁ ଯିବାକୁ ଗାଡିକୁ ଅପେକ୍ଷା କରିଥିବା ବେଳେ ଲମ୍ବୋଦର ବିଶୋଇ ନିଜ ବାଇକରେ ଆସି ଅର୍ଜ୍ଜୁନ ପାଖରେ ପହଞ୍ଚିଥିଲା। ତୁମେ କୁଆଡେ ଯିବ ବୋଲି ପଚାରିବା ସହ ମୁଁ ମଧ୍ୟ ସେହି ପାଖ ଗାଁ କୁ ଯିବି, ଆସ ମୋର ବାଇକରେ ବସ। ମୁଁ ତୁମକୁ କଦଗୁଡା ଗ୍ରାମରେ ଛାଡ଼ିଦେବି କହିଲା।

publive-image

ଅର୍ଜ୍ଜୁନ ଗୌଡ଼କୁ ବିଶ୍ୱାସ କରି ଲମ୍ବୋଦର ଗାଡିରେ ବସିଲେ। ଠିକ ପୁରୁଣା ବୋରିଗୁମ୍ମା ପରେ ପଟ୍ଟନାୟକ ଫାର୍ମ ହାଉସ ନିକଟରେ ପରିସ୍ରା ଯିବା ବାହାନାରେ ବାଇକରୁ ଓଲ୍ଲାଇ ଅର୍ଜ୍ଜୁନକୁ ମାଡ଼ ମାରି ୨୦ ହଜାର ଟଙ୍କା, ବ୍ୟାଙ୍କ ପାସ୍‌ ବୁକ, ଆଧାର କାର୍ଡ ନେଇ ଘଟଣାସ୍ଥଳରୁ ଛୁ ମାରିଥିଲା। ଅର୍ଜ୍ଜୁନ ଗୌଡ଼ କୌଣସି ଉପାୟ ନ ପାଇ ବୋରିଗୁମ୍ମା ଥାନାରେ ଏତଲା ଦେଇଥିଲେ। ପୁଲିସ ସହର ମଧ୍ୟରେ ଲାଗିଥିବା ସି.ସି.ଟି.ଭିକୁ ଦେଖି ଅଭିଯୁକ୍ତ ଲମ୍ବୋଦର ବିଶୋଇକୁ ଗିରଫ କରିଛି। ପୁଲିସ ଅଭିଯୁକ୍ତଙ୍କ ଠାରୁ ଲୁଟ ହୋଇଥିବା ୨୦ ହଜାର ଟଙ୍କା, ବ୍ୟାଙ୍କ ପାସ ବୁକ, ଆଧାରକାର୍ଡ ଉଦ୍ଧାର କରିବା ସହ ଅଭିଯୁକ୍ତର ବାଇକ୍‌କୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe