www.jagran.com
ସମ୍ବଲପୁର: ସହରରେ ବଢୁଥିବା ଅପରାଧରେ ଲଗାମ୍ ଲାଗୁନି। ପୁଣିଥରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ତାଙ୍କଠାରୁ ମୋବାଇଲ୍, ପର୍ସ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ହୀରାକୁଦ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସମୟରେ ତାଙ୍କୁ ଆକ୍ରମଣ କରିଥିବା ଗୋଷ୍ଠୀ ମଧ୍ୟ ପାଲଟା ଅଭିଯୋଗ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ବରେଇପାଲିର ପ୍ରକାଶ ଶ୍ରୀବାସ୍ତବ ୪ ଦିନ ତଳେ ହୀରାକୁଦର ଏକ ଢାବାକୁ ଖାଇବାକୁ ଯାଇଥିଲେ। ସେହି ସମୟରେ ଢାବାରେ ଆଉ କିଛି ଲୋକେ ବସି ଖିଆପିଆ କରୁଥିଲେ। ପ୍ରକାଶ ଖାଇସାରି ବାହାରକୁ ବାହାରିବା ବେଳକୁ ଭିତରେ ଥିବା ଲୋକେ ଆସି ବାହାରେ ଥିଲେ ଓ ସେମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ଚାଲିଥିଲା। ସେମାନଙ୍କ ମାର୍ପିଟ୍ ଆରମ୍ଭ ହେବା ପରେ ଭିତରୁ ଜଣେ ଆସି ଜୀବନ ବଞ୍ଚାଇବାକୁ ପ୍ରକାଶଙ୍କ ଗାଡ଼ିରେ ବସିପଡ଼ିଥିଲେ। ଏହି ଘଟଣାରେ ମାର୍ପିଟ୍ ହେଉଥିବା ଗୋଷ୍ଠୀ ପ୍ରକାଶଙ୍କୁ ମଧ୍ୟ ଅପରଗୋଷ୍ଠୀର ଲୋକ ଭାବି ବେଟେନ୍ରେ ମାଡ଼ ମାରି ହାତ ଓ ଗୋଡ଼ ଭାଙ୍ଗି ଦେବାସହ ତାଙ୍କର ମୋବାଇଲ୍, ପର୍ସ ଲୁଟ୍ କରି ଫେରାର୍ ହୋଇଯାଇଥିଲେ। ପ୍ରାୟ ଅଧଘଣ୍ଟା ପରେ ହୀରାକୁଦ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା।
Follow Us