ଫୁଲବାଣୀ ସହରରେ ପୁଣି ମାତିଲେ ଲୁଟେରା: ଧକ୍କା ଦେଇ ବ୍ୟାଗରୁ ଟଙ୍କା ନେଇ ମାରିଲେ ଚମ୍ପଟ

ଫୁଲବାଣୀ ସହରରେ ପୁଣି ମାତିଲେ ଲୁଟେରା: ଧକ୍କା ଦେଇ ବ୍ୟାଗରୁ ଟଙ୍କା ନେଇ ମାରିଲେ ଚମ୍ପଟ

Grand News

ଫୁଲବାଣୀ: ଫୁଲବାଣୀ ସହରରେ ପୁଣି ଲୁଟେରା ମାତିଲେ। ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇ ତାଙ୍କ ଠାରୁ ୨୫ ହଜାର ଟଙ୍କା ଭର୍ତ୍ତି ବ୍ୟାଗ ନେଇ ୨ ଲୁଟେରା ଚମ୍ପଟ ମାରଥିବା ଅଭିଯୋଗ ହୋଇଛି।

ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ଏ ନେଇ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ହେଲେ ଲୁଟେରାଙ୍କ ଟେର ପାଇବାରେ ସଫଳ ହୋଇ ପାରି ନାହିଁ ପୁଲିସ।

ମିଳିଥିବା ସୂଚନା ଅନୁଯାୟୀ ଟିକାବାଲି ମାଷ୍ଟରପଡାର କନିଷ୍କ ବେହେରା ନାମକ ଜଣେ ବ୍ୟକ୍ତି ଆଜି ଆଲ୍ଲାବାଦ ବ୍ୟାଙ୍କରୁ ୨୫ ହଜାର ପେନସନ ଟଙ୍କା ଉଠାଇଥିଲେ। ତା’ପରେ ସେ ଟଙ୍କାକୁ ବ୍ୟାଗରେ ଧରି ଗାଁକୁ ଯିବା ପାଇଁ ଜିରିଙ୍ଗପଡା ରାସ୍ତା ଆଡକୁ ଯାଉଥିଲେ। ଦିନ ଗୋଟାଏ ହେବ। କନିଷ୍କ ଟଙ୍କା ବ୍ୟାଗ ଧରି ଚାଲିଚାଲି ଯାଉଥିବା ବେଳେ ୨ ଜଣ ଲୁଟେରା ବାଇକରେ ଆସି ତାଙ୍କୁ ଠେଲି ଦେଇଥିଲେ। କନିଷ୍କ ତଳେ ପଡି ଯାଇଥିବା ବେଳେ ୨ ଲୁଟେରା ବ୍ୟାଗରୁ ୨୫ ହଜାର ଟଙ୍କା ବଣ୍ଡଲଟି ନେଇ ପଳାଇ ଯାଇଥିଲେ।

ସ୍ଥାନୀୟ ଲୋକ ଏହା ଦେଖି ଲୁଟେରାଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। ହେଲେ ବାଇକରେ ସେମାନେ ଦ୍ରୁତ ଗତିରେ ପଳାଇ ଯିବାରୁ ଧରିବା ସମ୍ଭବ ହୋଇ ନଥିଲା। ଏ ନେଇ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ପୂର୍ବରୁ ବିଭିନ୍ନ ସ୍ଥାନରେ ଚୋରି ହୋଇଛି। ଏମିତି କି ଜଣେ ରୂପା ବ୍ୟବସାୟୀଙ୍କୁ ୫ ଲକ୍ଷ ମୂଲ୍ୟର ରୂପା ଗହଣା ବ୍ୟାଗକୁ କୋର୍ଟ ଛକରୁ ୨ ଲୁଟେରା ନେଇ ପଳାଇ ଯାଇଛନ୍ତି। ଏସବୁ ଘଟଣାରେ ପୁଲିସ କାହାରିକୁ ଧରିବା ପରେ ସଫଳ ହୋଇ ପାରି ନଥିବା ବେଳେ ଆଜି ପୁଣି ଲୁଟେରା ମାତି ଜଣଙ୍କଠାରୁ ୨୫ହଜାର ଟଙ୍କା ନେଇ ଚମ୍ପଟ ମାରିବା ଘଟଣା ମୁଖ୍ୟ ଆଲୋଚନାର ବିଷୟ ହୋଇଛି। ଲୁଟେରାଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି ବୋଲି ଆଇଆଇସି ସୁଶାନ୍ତ କୁମାର ସେଠୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe