ମା'ଙ୍କ ମନ୍ଦିରରୁ ଲୁଟିନେଲେ ସାଢ଼େ ଦୁଇ ତୋଳା ସୁନା ଏବଂ ୩୦ ତୋଳା ରୂପା ଅଳଙ୍କାର

ମା'ଙ୍କ ମନ୍ଦିରରୁ ଲୁଟିନେଲେ ସାଢ଼େ ଦୁଇ ତୋଳା ସୁନା ଏବଂ ୩୦ ତୋଳା ରୂପା ଅଳଙ୍କାର

ଗୁଣପୁର: ସହରରେ ଦିନକୁ ଦିନ ଚୋରି ଡକାୟତି ରାହାଜାନୀ ବୃଦ୍ଧି ପାଇବାରେ ଲାଗିଛି। ଏଥିରୁ ମଠ ମନ୍ଦିର ବି ବାଦ ପଡୁନି। ଡକାୟତଙ୍କ ଟାର୍ଗେଟରେ ଏବେ ମଠ ମନ୍ଦିର ରହିଥିଵାଵବେଳେ ଗତକାଲି ବିଳମ୍ବିତ ରାତ୍ରରେ ସହରର ମଧ୍ୟ ଭାଗରେ ଥିବା ଗ୍ରାମଦେବୀ ମନ୍ଦିରରୁ ମା'ଙ୍କ ସୁନା ଅଳଙ୍କାର ଚୋରି ହୋଇଥିବା ଜଣାପଡିଛି। ସାଢ଼େ ୨ ତୋଳା ସୁନା ଅଳଙ୍କାର ସହ ୩୦ ତୋଳାର ରୁପା ଅଳଙ୍କାର ଲୁଟ ହୋଇଥିବା ଘଟଣା ସହରବାସୀଙ୍କୁ ଚକିତ କରିଛି। ଆଜି ସକାଳ ୬ଟାରେ ପୂଜକ ମାର୍ଥା କିଷନମ ପ୍ରତ୍ୟେକ ଦିନ ଭଳି ଆଜି ମନ୍ଦିର ନୀତିକାନ୍ତି ନିମନ୍ତେ ଯାଇଥିବାବେଳେ ପାର୍ଶ୍ଵରେ ଥିବା କାଠ ନିର୍ମିତ କବାଟ ତାଡି ମନ୍ଦିର ଭିତରେ ପଶି କେହି ଲୁଟେରା ଲୁଟପାଟ କରିଥିବା ଜାଣିବାକୁ ପାଇଥିଲେ।

ବିଜୁଳି ବେଗରେ ଘଟଣା ପ୍ରଘଟ ହେବାପରେ ଲୋକେ ରୁଣ୍ଡ ହୋଇଯାଇଥିଲେ। ଭକ୍ତଙ୍କ ଦ୍ୱାରା ପ୍ରଦତ୍ତ ହୋଇଥିବା ସୁନା ଗହଣା ଚୋରି ହୋଇଥିବା ଏହି ମନ୍ଦିରରେ ପ୍ରଥମ ଘଟଣା ବୋଲି ପୂଜକ କହିଛନ୍ତି | ପୂଜକଙ୍କ ଅଭିଯୋଗ କ୍ରମେ ତହସିଲଦାର ରମେଶ ଚନ୍ଦ୍ର ନାୟକ, ଥାନା ଅଧିକାରୀ ଯଶୋବନ୍ତ ହିଆଲ ମନ୍ଦିରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତୁରନ୍ତ ସାଇଣ୍ଟିଫିକ ଟିମ ଦ୍ୱାରା ତନାଘନା କରାଯିବ ବୋଲି ଶ୍ରୀ ହିଆଲ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୧ ତାରିଖରେ ଦିନ ଦ୍ଵିପ୍ରହରରେ ବାବୁଲି ନଗର ଲେନ ୫ରେ ଅବସରପ୍ରାପ୍ତ ଶିକ୍ଷକ ବିନୋଦ ମହାପାତ୍ରଙ୍କ ଘରୁ ବଡଧରଣର ଡକାୟତି ହୋଇଥିଲା। ଶ୍ରୀ ମହାପାତ୍ର ଏକାକୀ ଘରେ ଥିବାବେଳେ ଲୁଟେରା ଛୁରୀ ଦେଖାଇ ପ୍ରାୟ ୨୦ ତୋଳାରୁ ଉର୍ଦ୍ଧ୍ବ ସୁନାଗହଣା ସହ ଟଙ୍କା ଲୁଟିନେଇଥିଲେ | ଘଟଣାକୁ ଆଜିକୁ ସପ୍ତାହେ ବିତିଯାଇଥିଲେ ମଧ୍ୟ ପୁଲିସକୁ କୌଣସି ସୁରାକ ମିଳିପାରିନାହିଁ। ପୁଣି ଆଜି ଗ୍ରାମଦେବୀ ମନ୍ଦିରରେ ଚୋରି ଘଟଣାକୁ ନେଇ ପୁଲିସର ପାରିବାପଣିଆକୁ ପଦାରେ ପକାଇଦେଇଛି ବୋଲି ସହରରେ ଚର୍ଚ୍ଚା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe