ବ୍ରହ୍ମପୁର: ଗଞ୍ଜାମ ଖଲିକୋଟ ଥାନା ହରିଡ଼ାମୂଳ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ବଡ଼ ଧରଣର ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଆଜି ଅପରାହ୍ନରେ ଆସି ଫାଙ୍କା ଗୁଳିଚାଳନା କରି ଟୋଲ ପ୍ଲାଜା କର୍ମଚାରୀଙ୍କଠାରୁ ୨୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ତେବେ ଏହି ଲୁଟ ଥାନାରୁ ମାତ୍ର ଦୁଇ କିଲୋମିଟର ଦୂରରେ ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଆଜି ଗୋରପାଲି ଚେକ ଗେଟରେ ୩ଜଣ ଟୋଲ ପ୍ଲାଜା କର୍ମଚାରୀ ୨୫ ଲକ୍ଷ ୩୦ହଜାର ଟଙ୍କା ଜମା କରିବା ପାଇଁ ଏକ ସ୍କର୍ପିଓରେ ଏକ୍ସିସ ବ୍ୟାଙ୍କ ଯାଉଥିଲେ। ଏହି ସମୟରେ ହରିଡାମୂଳ ଛକ ନିକଟରେ ୫ ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ଟୋଲ ପ୍ଲାଜା କର୍ମଚାରୀ ବସିଥିବା ଗାଡ଼ିକୁ ଅଟକାଇବା ସହିତ ଗାଡ଼ି ଉପରକୁ ଫାଙ୍କା ଗୁଳି ଚାଳନା କରିଥିଲେ। ଫଳରେ ଚାଳକ ଗାଡ଼ି ଅଟକାଇ ଦେଇଥିଲେ। ପରେ ଦୁର୍ବୃତ୍ତମାନେ ସେମାନଙ୍କଠାରୁ ୨୫ଲକ୍ଷଟଙ୍କା ଧରି ଚମ୍ପଟ ମାରିଥିଲେ।
ଏହି ଲୁଟ ଘଟଣା ନେଇ ଅଭିଯୋଗ ହେବା ପରେ ପୁଲିସର ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଖୁବ୍ ଶୀଘ୍ର ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ମୁଖ୍ୟ ରାସ୍ତାକୁ ସିଲ୍ କରି ପୁଲିସ ଅନୁସନ୍ଧାନ ଜାରି ରଖିଛି।
Follow Us