କର୍ତ୍ତବ୍ୟ ପାଇଁ ବାତିଲ୍ କଲେ ବିବାହ ଉତ୍ସବ, ଯୁବ ଅଫିସରଙ୍କ ଉଦ୍ୟମ ପୁଲିସ୍ ବିଭାଗ ପାଇଁ ଉଦାହରଣ: ଏସପି

Advertisment
କର୍ତ୍ତବ୍ୟ ପାଇଁ ବାତିଲ୍ କଲେ ବିବାହ ଉତ୍ସବ, ଯୁବ ଅଫିସରଙ୍କ ଉଦ୍ୟମ ପୁଲିସ୍ ବିଭାଗ ପାଇଁ ଉଦାହରଣ: ଏସପି

ରାୟଗଡ଼ା: ରାତି ପାହିଲେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ। ସାହାନାଇ ବାଜିଥାନ୍ତା। ଭୋଜିଭାତ ରୋଷଣିରେ ପରିବାର ଉତ୍ସବମୁଖର ହୋଇଥାନ୍ତା। ଧୁମଧାମରେ ଆୟୋଜନ ପାଇଁ ପ୍ରସ୍ତୁତି ସରିଥିଲା। କିନ୍ତୁ ଜାତୀୟ ବିପତ୍ତି ସମୟରେ ନିଜ କର୍ତ୍ତବ୍ୟକୁ ଉଚିତ୍ ମନେ କରି ବିବାହ ଉତ୍ସବକୁ ବାତିଲ୍ କରିଛନ୍ତି ଦୁଇ ଯୁବ ପୁଲିସ୍ ଅଫିସର୍। ରାୟଗଡ଼ା ଟାଉନ୍ ଥାନାର ଦୁଇ ଏସଆଇ ଜୟସ୍ମିତା ବେହେରା ଓ ମାନସ କୁମାର ସାହୁଙ୍କ ଏପରି ନିଷ୍ପତ୍ତିକୁ ପୁଲିସ୍ ବିଭାଗ ପ୍ରଶଂସା କରିବା ସହ ଉଭୟ ପୁଲିସ୍ ଅଫିସରଙ୍କ କର୍ତ୍ତବ୍ୟ ପରାୟଣତାକୁ ସାଧୁବାଦ ଜଣାଇଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍।

ରାୟଗଡ଼ା ଟାଉନ୍ ଥାନାରେ କାର୍ଯ୍ୟରତ ଯୁବ ସବ୍ ଇନସପେକ୍ଟର୍ ମାନସ କୁମାର ସାହୁ। ବର୍ଷକ ତଳେ ଟାଉନ୍ ଥାନାରେ ଯୋଗ ଦେଇଥିବା ମାନସଙ୍କ ପ୍ରଭାବଶାଳୀ କାର୍ଯ୍ୟଶୈଳୀ ବରିଷ୍ଠ ଅଫିସରଙ୍କୁ ପ୍ରଭାବିତ କରିଛି। କରୋନା ମୁକାବିଲା ଲାଗି ମାନସ ୨୪ ଘଣ୍ଟିଆ ଡ୍ୟୁଟିରେ ମୁତୟନ ହୋଇଛନ୍ତି। ସକାଳ ୭ରୁ ରାତି ୧୦ଟା ପର୍ଯ୍ୟନ୍ତ ଆଇନ ଶୃଂଖଳା ପରିସ୍ଥିତିଠୁ ଆରମ୍ଭ କରି ପେଟ୍ରୋଲିଂ, ସାମାଜିକ ଦୂରତା ରକ୍ଷା କରିବା ଲାଗି ଲୋକଙ୍କୁ ସଚେତନ, ବାହାର ଜିଲ୍ଲାରୁ ଆସୁଥିବା ଶ୍ରମିକଙ୍କୁ ଠାବ, ସ୍ବାସ୍ଥ୍ୟ ପରୀକ୍ଷା ଦିଗରେ କାମ କରୁଛନ୍ତି ମାନସ।

ଯାଜପୁର ଜିଲ୍ଲା କାଇମାଟିଆ ବାସିନ୍ଦା ମାନସଙ୍କ ଚଳିତ ଏପ୍ରିଲ୍ ୧୮ ତାରିଖରେ ନିର୍ବନ୍ଧ ହୋଇ ୨୬ ତାରିଖରେ ବାହାଘର ପାଇଁ ଚୂଡ଼ାନ୍ତ ହୋଇଥିଲା। ଯାଜପୁର ଜିଲ୍ଲା ମଲ୍ଲିକାପୁର ଗାଁର ଶ୍ରୀୟାସ୍ମିତା ପାଣିଙ୍କ ସହ ବିବାହ ସ୍ଥିର ହୋଇଥିଲା। ଶ୍ରୀୟା ଶିକ୍ଷା ବିଭାଗରେ କନିଷ୍ଠ ସହାୟିକା ଭାବେ କାର୍ଯ୍ୟରତ ଅଛନ୍ତି। ନିର୍ବନ୍ଧ, ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ସହ ସାମଗ୍ରୀ କିଣାକିଣି ସରିଥିଲା। ବନ୍ଧୁ, ବାନ୍ଧବଙ୍କୁ ଖବର ମଧ୍ୟ ଦିଆ ସରିଥିଲା। କିନ୍ତୁ କରୋନା ପାଇଁ ସାରା ଭାରତରେ ଲକଡାଉନ୍ ଚାଲିଥିବାରୁ ନିଜ ଆଡ଼ୁ ବିବାହ ବାତିଲ୍ କରିବାକୁ ନିଷ୍ପତ୍ତି ନେଇଥିଲେ ମାନସ। ମଣିଷ ସମାଜ ଏହି ବିପତ୍ତିରୁ ବର୍ତ୍ତିଲେ ବିବାହ  ପାଇଁ ଅନେକ ସୁଯୋଗ ମିଳିବ ବୋଲି କହିଛନ୍ତି ମାନସ।

publive-image

‌ସେହିପରି କରୋନା ଯୁଦ୍ଧର ଅନ୍ୟତମ ଯୋଦ୍ଧା ହେଉଛନ୍ତି ଯୁବ ମହିଳା ସବ ଇନସପେକ୍ଟର୍ ଜୟସ୍ମିତା ବେହେରା। ଟାଉନ୍ ଥାନାରେ ମହିଳା ଓ ଶିଶୁ ଡେସ୍କ୍ ଦାୟିତ୍ବରେ ଥିବା ଜୟସ୍ମିତା ମହିଳା ଓ ଶିଶୁ ନିର୍ଯ୍ୟାତନା ସଂପର୍କିତ ମାମଲା ସହିତ କରୋନା ମୁକାବିଲା ପାଇଁ ଡ୍ୟୁଟିରେ ମୁତୟନ ହୋଇଛନ୍ତି। କମ୍ ସଂଖ୍ୟକ ମହିଳା କର୍ମଚାରୀଙ୍କୁ ନେଇ ପୁଲିସ୍ ବିଭାଗ କାମ କରୁଥିବାରୁ ଜୟସ୍ମିତାଙ୍କ ଉପରେ ରହିଛି ଅଧିକ ଦାୟିତ୍ବ। ଜୟସ୍ମିତାଙ୍କ ଘର ପୁରୀ ଜିଲ୍ଲା ବାଁ ବରଡା ଗ୍ରାମରେ। ୩ ବର୍ଷ ତଳୁ ଜୀବନସାଥୀ ଭାବେ ବାଛିଥିଲେ ପୁରୀ ଜିଲ୍ଲା ହରେକୃଷ୍ଣପୁର ଗ୍ରାମର ରାଜେଶ କୁମାର ପ୍ରଧାନଙ୍କୁ।

ରାଜେଶ ଏଲ୍ ଆଣ୍ଡ ଟି କଂପାନିରେ କାମ କରୁଛନ୍ତି। ଉଭୟଙ୍କ ମଧ୍ୟରେ ପ୍ରଥମେ ପ୍ରେମ ସଂପର୍କ ଗଢ଼ି ଉଠିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହାକୁ ସମ୍ମତ୍ତି ଜଣାଇଥିଲେ ଉଭୟଙ୍କ ପରିବାର ଲୋକ। ସମ୍ମତି ପରେ ନିର୍ବନ୍ଧ ସାରି ବିବାହ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା ଚଳିତ ମାସ ୨୭ ତାରିଖକୁ। ହେଲେ କରୋନା ଯୁଦ୍ଧର ଏହି ବଳିଷ୍ଠ ଯୋଦ୍ଧା ନିଜ କର୍ତବ୍ୟ ଆଗରେ ବାତିଲ୍ କରିଛନ୍ତି ବିବାହ ତାରିଖକୁ। କରୋନା ପରେ ପରିସ୍ଥିତିରେ ସୁଧାର ଆସିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ଜୟସ୍ମିତା। ସମାଜପ୍ରତି ଥିବା ଦାୟିତ୍ବବୋଧକୁ ହୃଦୟଙ୍ଗମ କରି ଦୁଇ ଯୁବ ପୁଲିସ୍ ଅଫିସର ବିବାହ ଉତ୍ସବକୁ ବାତିଲ୍ କରିବା ପ୍ରୟାସ ପୁଲିସ୍ ବିଭାଗ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି କହିଛନ୍ତି ଏସପି ଡା. ଶର୍ବଣା ବିବେକ ଏମ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe