ଦାଉସାଜିଛି କରୋନା କଟକଣା: ଲିମ୍ବକଢ଼ି ବିକିଲେ ଚଳୁଛି ପରିବାର

ଦାଉସାଜିଛି କରୋନା କଟକଣା: ଲିମ୍ବକଢ଼ି ବିକିଲେ ଚଳୁଛି ପରିବାର

ରାଉରକେଲା: ଦାଉ ସାଜିଛି କରୋନା କଟକଣା। ପିଲା ଛୁଆଙ୍କ ପେଟରେ ଭୋକ ମାରିବାରକୁ ପକେଟରେ ଟଙ୍କାଟିଏ ନାହିଁ। ଦିନ ମଜୁରିଆ କାମ କରି ଯାହା କିଛି ସାଇତି ରଖିଥିଲି, ସେତକ ବି ସରିଗଲାଣି। ପାଖରେ ଟଙ୍କାଟିଏ ନଥିବାରୁ ପ୍ରତିଦିନ ପତ୍ନୀଙ୍କ ସହ ରାସ୍ତାକଡରେ ବସି ନିମ୍ବକଢ଼ି ବିକୁଛି। ସେଥିରୁ ଯାହା କିଛି ମିଳୁଛି ପରିବାର ଚଳୁଛି। ନ ବିକ୍ରି ହେଲେ ଭୋକ ଉପାସରେ ଶୋଇ ପଡୁଛି। ଏମିତି ଦୁଃଖ ବଖାଣିଛନ୍ତି ଡିଏଭି ସ୍କୁଲ ସମ୍ମୁଖ ରିଂ ରୋଡ ରାସ୍ତାକଡରେ ଗ୍ରାହକଙ୍କୁ ଚାତକ ପରି ଚାହିଁ ବସିଥିବା ନିମ୍ବକଢ଼ି ବିକୁଥିବା ପତିପତ୍ନୀ। ସେମାନେ ହେଲେ ରାଉରକେଲା ଜେଲ୍‌ରୋଡ୍‌ ଲେବରଟେନାମେଣ୍ଟ ଦୁର୍ଗାପୁର ପାହାଡ ବସ୍ତିର ବିଜୟ ସିଂହ। ପତ୍ନୀ ଚନ୍ଦ୍ରିକା ସିଂହ ଓ ଦୁଇ ପୁଅଙ୍କୁ ନେଇ ତାଙ୍କ ପରିବାର।

ଦିନ ମଜୁରିଆ କାମ କରି ଯାହାର କିଛି ରୋଜଗାର କରୁଥିଲେ ସେଥିରେ ତାଙ୍କ ‌ତେଲଲୁଣର ସଂସାର ଚଳୁଥିଲା। ହଠାତ୍‌ ମହାମାରୀ କରୋନା କଟକଣା ଯୋଗୁଁ କୋଠାବାଡି କାମ ବନ୍ଦ ହୋଇଯିବାରୁ ପରିବାର ପ୍ରତିପୋଷଣ ଚିନ୍ତା ବଢ଼ି ଯାଇଥିଲା। କେମିତି ପରିବାର ଚଳିବ ଦୁହେଁ ପତିପତ୍ନୀ ଭାବିଥିଲେ। ପନି ପରିବା କିଣି ବିକିବାକୁ ସ୍ଥିର କରିଥିଲେ। କିନ୍ତୁ ବାଧକ ସାଜିଥିଲା ଅର୍ଥ। ଭାଙ୍ଗି ପଡିଥିଲେ ବିଜୟ। ଏମିତି ସମୟରେ ଧୈର୍ଯ୍ୟହରା ନ ହୋଇ ଭଗବାନଙ୍କ ଉପରେ ବିଶ୍ବାସ ରଖ ବୋଲି କହିଥିଲେ ପତ୍ନୀ ଚନ୍ଦ୍ରିକା। କହିଥିଲେ, ‘ଖରାଦିନେ ନିମ୍ବକଢ଼ି ଲୋକ ଖାଇବାକୁ ବେଶ୍‌ ପସନ୍ଦ କରନ୍ତି। ବିନା ଅର୍ଥରେ ଗଛରୁ ନିମ୍ବ କଢ଼ି ତୋଳି ଆଣ। ଆମେ ଦୁହେଁ ମାର୍କେଟରେ ବସି ବିକିବା। ଏଥିରୁ ଯାହା ମିଳିବ ପରିବାର ଦୁଃଖକଷ୍ଟେ ଚଳିଯିବ।’ ପତ୍ନୀଙ୍କ କଥା ଶୁଣି ସ୍ବାମୀ ବିଜୟ ସାମାନ୍ୟ ଆଶ୍ବସ୍ତି ହୋଇଥିଲେ।

publive-image

ଗତ ପ୍ରାୟ ୭ ଦିନ ହେବ ପତ୍ନୀ ଚନ୍ଦ୍ରିକା ଲାଠିକଟା ବ୍ଲକ ବଡଦଲକି ବାପଘର ଗାଁରେ ଥିବା ନିମ୍ବ ଗଛରୁ ନିମ୍ବକଢ଼ି ତୋଳି ରାଉରକେଲା ନେଇ ଆସିଛନ୍ତି। ପରେ ଦୁହେଁ ନିମ୍ବକଢ଼ିକୁ ଧରି ବିକିବାକୁ ବାହାରି ଆସନ୍ତି ଡିଏଭି ସ୍କୁଲ ସମ୍ମୁଖ ରିଂରୋଡ ରାସ୍ତାକଡକୁ। ପ୍ରତ୍ୟେକ ଦିନ ୧୦୦ରୁ ୧୨୦ ଟଙ୍କା ବିକ୍ରି କରି ଘରକୁ ଫେରନ୍ତି ବୋଲି କୁହନ୍ତି ବିଜୟ। ସେ କହିଛନ୍ତି, ମହାମାରୀ କରୋନା କଟକଣା ଆମପରି ଗରିବ ପରିବାର ଦୁଃଖ ବଢ଼ାଇ ଦେଇଛି। ଦୈନନ୍ଦିନ କାମ କଲେ ପରିବାର ଚଳେ। ଏବେ ସରକାର କୋଠାବାଡି ନିର୍ମାଣ କାମ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଥିବାରୁ ପରିବାର ପ୍ରତିପୋଷଣ ଚିନ୍ତା ବଢ଼ି ଯାଇଛି। ପୁଣି ଲକ୍‌ଡାଉନ୍‌ ସମୟ ସୀମା ମେ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ି ଯାଇଛି। ସବୁବେଳେ ତ ନିମ୍ବକଢ଼ି ମିଳିବ ନାହିଁ। କେମିତି ଚଳିବୁ ବୋଲି କହିଛନ୍ତି ସେ। ଉତ୍ତରପ୍ରଦେଶ ଦଉରିଆର ବିଜୟ ଗତ ୧୫ ବର୍ଷ ତଳେ କାମ କରିବାକୁ ଇସ୍ପାତ ସହରକୁ ଆସିଥିଲେ। କେବଳ ବିଜୟ ନୁହେଁ ସହରର ଏମିତି ଅନେକ ଦିନ ମଜୁରିଆ ଭୋକ ଉପାସରେ ସଢ଼ୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe