ଜବତ ଡଙ୍ଗାକୁ ନେଇଗଲେ ମାଫିଆ

ଜବତ ଡଙ୍ଗାକୁ ନେଇଗଲେ ମାଫିଆ

ଆନନ୍ଦପୁର: ଆନନ୍ଦପୁର ତହସିଲର ଅମାରଙ୍ଗ ଘାଟରେ ବାଲି ମାଫିଆଙ୍କ ଦବଦବା ଜାରି ରହିଛି। ବେଆଇନ ବାଲି ଚାଲାଣ ରୋକିବାକୁ ତହସିଲ ପକ୍ଷରୁ ବାଲିଘାଟରେ ଚଢ଼ଉ କରାଯାଇଥିଲା। ସେଠାରୁ ବାଲି ଉତ୍ତୋଳନରେ ବ୍ୟବହାର କରାଯାଉଥିବା ଏକ ଡଙ୍ଗା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା। ତେବେ ରାତିରେ ମାଫିଆମାନେ ପ୍ରଶାସନକୁ ଚ୍ୟାଲେଞ୍ଜ କରି ତହସିଲ ପକ୍ଷରୁ ଜବତ କରାଯାଇଥିବା ଡଙ୍ଗାକୁ ନେଇଯାଇଛନ୍ତି। ଜବତ ଡଙ୍ଗାଟି ଆନନ୍ଦପୁର ପାର୍ଶ୍ବ ତନେଇପାଳ ନିକଟରେ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଘାଟରୁ ବାଲି ଚୋରା ଚାଲାଣ ରୋକିବାକୁ ତହସିଲ ପକ୍ଷରୁ ଟ୍ରେଞ୍ଚ ଖୋଳାଯାଇଛି।

ଧକୋଠା ପଞ୍ଚାୟତ ଅମରଙ୍ଗ ବାଲିଘାଟକୁ ତହସିଲ ପକ୍ଷରୁ ନିଲାମ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ଏହାକୁ ପରିବେଶ ମଞ୍ଜୁରୀ ମିଳିନାହିଁ। ତେ‌ବେ ଏହି ଘାଟରୁ ନିୟମିତ ବାଲି ଚୋରା ଚାଲାଣ ହେଉଛି। ପୁଲିସ ଓ ଖଣି ବିଭାଗର ଅବହେଳା ଯୋଗୁଁ ଏଠାରେ ମାଫିଆମାନେ ଆଡ଼ା ଜମାଇଛନ୍ତି। ରାତିରେ ସମ୍ପ ମେସିନ୍‌ ଲଗାଇ ଗଭୀର ଜଳରୁ ବାଲି ଉତ୍ତୋଳନ କରାଯାଇ ଡଙ୍ଗା ସାହାଯ୍ୟରେ କୂଳକୁ ଅଣାଯାଉଥିଲା। ଏନେଇ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଆନନ୍ଦପୁର ତହସିଲଦାର ସଂଗ୍ରାମ କେଶରୀ ଭଳ, ସୁପରଭାଇଜର ଜଗନ୍ନାଥ ପଟ୍ଟନାୟକ, ରାଜସ୍ୱ ନିରୀକ୍ଷକ ସନ୍ତୋଷ ନାୟକଙ୍କ ସମେତ ଘସିପୁରା ପୁଲିସ ଅମାରଙ୍ଗ ବାଲିଘାଟରେ ଚଢ଼ଉ କରିଥିଲେ। ଚଢ଼ଉ ସମ୍ପର୍କରେ ପୂର୍ବରୁ ସୂଚନା ପାଇ ମାଫିଆମାନେ ବାଲି ଉତ୍ତୋଳନରେ ବ୍ୟବହୃତ ଦୁଇଟି ଜେସିବି ମେସିନିକୁ ଉଠାଇ ନେଇ ଲୁଚାଇ ରଖିଥିଲେ। ବାଲିଘାଟରୁ କେବଳ ଗୋଟିଏ ଡଙ୍ଗା ଓ ବାଲି ଉତ୍ତୋଳନରେ ବ୍ୟବହୃତ ସରଞ୍ଜାମ ଜବତ କରାଯାଇଥିଲା।

ସେହିପରି ତହସିଲଦାର ସଂଗ୍ରାମ କେଶରୀ ଭଳଙ୍କ ସମେତ ରାଜସ୍ବ ବିଭାଗର କର୍ମଚାରୀମାନେ ପୁଣି ବାଲିଘାଟ ପରିଦର୍ଶନରେ ଯାଇଥିଲେ। ଜବତ ହୋଇଥିବା ଡଙ୍ଗାକୁ ମାଫିଆମାନେ ନେଇ ପଳାଇଥିବା ଦେଖିବାକୁ ପାଇଥିଲେ। ପୁଲିସ ସେଠାକୁ ନଯିବାରୁ ବାଲି ଚାଲାଣ ରୋକିବାକୁ ବାଲିଘାଟ ରାସ୍ତାରେ ତହସିଲ ପକ୍ଷରୁ ତିନିଟି ସ୍ଥାନରେ ଟ୍ରେଞ୍ଚ ‌ଖୋଳାଯାଇଛି। ସେଠାରେ ଗଚ୍ଛିତ ଥିବା ବାଲିକୁ ତହସିଲ ପକ୍ଷରୁ ନିଲାମ କରାଯିବ ବୋଲି ସ୍ଥିର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe