ମାଘସପ୍ତମୀ ପାଇଁ ଶୁଖୁଆ ଡ଼ାଲମା ବାସ୍ନାରେ ମହକୁଛି ଚନ୍ଦ୍ରଭାଗା: ମେଳାପଡ଼ିଆରେ ହଜାରହଜାର ଶ୍ରଦ୍ଧାଳୁଙ୍କ ସମାଗମ

Advertisment
ମାଘସପ୍ତମୀ ପାଇଁ ଶୁଖୁଆ ଡ଼ାଲମା ବାସ୍ନାରେ ମହକୁଛି ଚନ୍ଦ୍ରଭାଗା: ମେଳାପଡ଼ିଆରେ ହଜାରହଜାର ଶ୍ରଦ୍ଧାଳୁଙ୍କ ସମାଗମ

କୋଣାର୍କ : ସୂର୍ଯ୍ୟପୂଜାର ପବିତ୍ର ଭୂମି ଅର୍କକ୍ଷେତ୍ର କୋଣାର୍କ ଚନ୍ଦ୍ରଭାଗାରେ ପୁରାଣ ବର୍ଣ୍ଣିତ ମାଘସପ୍ତମୀ ବୁଡ଼ ପାଇଁ ସୋମବାର ଠାରୁ ଭିଡ଼ ଜମିବା ଆରମ୍ଭ ହୋଇଛି । ଆସନ୍ତାକାଲି (ମଙ୍ଗଳବାର ) ପ୍ରତ୍ୟୁଷରୁ ମାଘସପ୍ତମୀ ଅବସରରେ ପବିତ୍ର ଚନ୍ଦ୍ରଭାଗା ତୀର୍ଥରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭିଡ଼ ପକାଇବେ । ଏଥିପାଇଁ ଆଜିଠାରୁ ଅର୍ଥାତ ମାଘଷଷ୍ଠୀ ଠାରୁ କୋଣାର୍କ, ଚନ୍ଦ୍ରଭାଗା, ନବଗ୍ରହପୀଠ , ଚନ୍ଦ୍ରଭାଗାର ବାଲୁକା ଶଯ୍ୟା ସହିତ ମେଳାପଡ଼ିଆରେ ହଜାରହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

publive-image

ପୌରାଣିକ ପରମ୍ପରାକୁ ଆଧାର କରି ଷଷ୍ଠୀ ତିଥିରେ ମହିଳାମାନେ ମାଟିହାଣ୍ଡିରେ ଶୁଖୁଆ ଡ଼ାଲମା, ଭାତ କିମ୍ବା ଖେଚେଡ଼ି ରାନ୍ଧିବା ପରେ ଏହାର କିଛି ଅଂଶକୁ ଅର୍କାସୁରକୁ  ସମର୍ପଣ କରି ପରିବାରର ସୁଖଶାନ୍ତି ସମୃଦ୍ଧି କାମନା କରନ୍ତି। ପରେ ବଳାକା ଅଂଶକୁ ନିଜେ ଭୋଜନ କରନ୍ତି।

ମଙ୍ଗଳବାର ପ୍ରତ୍ୟୁଷରୁ ତୀର୍ଥ ସ୍ନାନପରେ ସୂର୍ଯ୍ୟପୂଜା କରିବା ପରେ ନବଗ୍ରହପୀଠରେ ରିଷ୍ଟକଷ୍ଟ ଖଣ୍ଡନ ପାଇଁ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରିବେ । ମାଟିହାଣ୍ଡିରେ ଶୁଖୁଆ ଡ଼ାଲମା ରୋଷେଇ ମଧ୍ୟ ଆରମ୍ଭ ହୋଇଛି । ଶୁଖୁଆ ଡ଼ାଲମା ବାସ୍ନାରେ ଚନ୍ଦ୍ରଭାଗା ମେଳା ପଡ଼ିଆ ମହକି ଉଠିଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।

publive-image

ଆଜି ରାତ୍ରି ୯ ଟାରୁ ମାଘମେଳାର ତିନି ଆରାଧ୍ୟଠାକୁର ମାଧିପୁରର ବାବା ତ୍ରିବେଣୀଶ୍ୱର ,ସନ୍ଥପୁରର ବାବା ଐଶାନେଶ୍ୱର ଓ କୁରୁଜଙ୍ଗ ଗ୍ରାମର ବାବା ଦକ୍ଷିଣେଶ୍ୱର ମହାଦେବଙ୍କ ଚଳନ୍ତି ପ୍ରତିମା ବିମାନ ବିଜେ ହୋଇ ଘଣ୍ଟମର୍ଦ୍ଦଳ ଶେଭାଯାତ୍ରାରେ ଯାଇ ମେଳାପଡ଼ିଆରେ ପହଞ୍ଚିବେ। ସେଠାରେ ତିନି ଠାକୁରଙ୍କ ମହୋଦଧି ସ୍ନାନ ଓ ତୀର୍ଥ ସ୍ନାନ ପରେ ଶ୍ରଦ୍ଧାଳୁମାନଙ୍କ ସ୍ନାନ ପାଇଁ ସୁଯୋଗ ଦିଆଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe