ପାଟନାଳୀରୁ ବିଧବାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ଘଟଣା; ପୁଅ ଆଣିଲେ ହତ୍ୟା ଅଭିଯୋଗ, ପୁଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ

Advertisment

ସବୁ ଜଳଜଳ... ତଥାପି ଅପମୃତ୍ୟୁ?

ସବୁ ଜଳଜଳ... ତଥାପି ଅପମୃତ୍ୟୁ?

ପାଟନାଳୀରୁ ବିଧବାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ଘଟଣା; ପୁଅ ଆଣିଲେ ହତ୍ୟା ଅଭିଯୋଗ, ପୁଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ

Newslaundry

ମାହାଙ୍ଗା: ମାହାଙ୍ଗା ଥାନା ତଥା ଜୟପୁର ଫାଣ୍ଡି ଅଧୀନ ଭେଡ଼ା ପଞ୍ଚାୟତର ଏକ ପାଟନାଳୀର କାଦୁଅରୁ ଗତକାଲି ଭେଡ଼ାସାଲେପୁର ଗ୍ରାମର ଜଣେ ବିଧବାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ଆଜି ମୃତ ମହିଳା ଅନ୍ନପୂର୍ଣ୍ଣା ମହାପାତ୍ରଙ୍କ ପୁଅ ମନୋଜ ମହାପାତ୍ର ଥାନାରେ ପହଞ୍ଚି ତାଙ୍କ ମା’ଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ଅନ୍ୟପଟେ, ପୁଲିସର ତଦନ୍ତକୁ ନେଇ ମନୋଜ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟ ପୁଲିସ ନୟାଗଡ଼ ପରୀ ହତ୍ୟାକାଣ୍ଡ, ଭୁବନେଶ୍ବର କଟାମୁଣ୍ଡ ଭଳି ସଂଗିନ ମାମଲାର ତଦନ୍ତ କରି ହତ୍ୟାକାରୀଙ୍କୁ ଧରିଛି। କିନ୍ତୁ ତାଙ୍କ ମା’ଙ୍କୁ ହତ୍ୟା କରି ନାଳରେ ଫିଙ୍ଗି ଦିଆଯାଇଥିଲେ ମଧ୍ୟ ପୁଲିସ କେବଳ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍‌ ହୋଇ ବସିଥିବା ମନୋଜ ଅଭିଯୋଗ କରିଛନ୍ତି।

ପ୍ରକାଶଥାଉ କି, ଭେଡ଼ା ପଞ୍ଚାୟତର ଭେଡ଼ା ସାଲେପୁର ଗ୍ରାମର ପାଣି ନ ଥିବା ଏକ ପାଟନାଳୀ କାଦୁଅରେ ଅନ୍ନପୂର୍ଣ୍ଣା ମହାପାତ୍ର(୪୫)ଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ପିଙ୍ଗି ଦିଆଯାଇଥିବା ନେଇ ଅନ୍ନପୂର୍ଣ୍ଣାଙ୍କ ବାପା ଭରତ ପ୍ରସାଦ ଜେନା  ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଥିଲେ। ତେବେ ଅନ୍ନପୂର୍ଣ୍ଣାଙ୍କ ଦିଅର କିଶୋର ଚନ୍ଦ୍ର ମହାପାତ୍ରଙ୍କ ଲିଖିତ ଅଭିଯୋଗ ଆଧାରରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲେ। ଆଜି ମଧ୍ୟାହ୍ନରେ ବାଙ୍ଗାଲୋରରେ ରହୁଥିବା ଅନ୍ନପୂର୍ଣ୍ଣାଙ୍କ ପୁଅ ମନୋଜ ମହାପାତ୍ର ଭେଡ଼ାସାଲେପୁର ଗ୍ରାମରେ ପହଞ୍ଚିଥିଲେ। ମା’ଙ୍କ ମୃତ୍ୟୁ ସଂପର୍କରେ ସେ ଗ୍ରାମବାସୀଙ୍କଠାରୁ ପଚାରି ବୁଝିବା ସହିତ ମୃତଦେହ ପଡ଼ିଥିବା ସ୍ଥାନ ଏବଂ ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିଥିଲେ। ଏହାପରେ ସେ ମା’ଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସାଲେପୁର ଏସ୍‌ଡିପିଓ ରଂଜିତ ପୃଷ୍ଟି ଭେଡ଼ାସାଲେପୁର ଗ୍ରାମରେ ପହଞ୍ଚି ମୃତକଙ୍କ ପରିବାର ସହ ଆଲୋଚନା କରିବା ସହିତ ଘଟଣାର ଅନୁସନ୍ଧାନ କରିଛନ୍ତି। ତେବେ ଏସ୍‌ଡିପିଓ ଶ୍ରୀ ପୃଷ୍ଟି ଗଣମାଧ୍ୟମକୁ ଏ ନେଇ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ଅପରପକ୍ଷରେ ଉକ୍ତ ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବା ପୁଅ ମନୋଜ ସନ୍ଦେହ ପ୍ରକାଶ କରିବା ସହ ପୁଲିସ ଠିକ୍‌ ଭାବେ ତଦନ୍ତ କରୁ ନ ଥିବା ଅଭିଯୋଗ କରିଛନ୍ତି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ ମୃତ ଅନ୍ନପୂର୍ଣ୍ଣାଙ୍କ ବାମ ଗୋଡ଼, ବାମ ହାତ, କଚଟି, ଡାହାଣ କାନମୁଣ୍ଡାରେ କ୍ଷତଚିହ୍ନ ରହିଥିବା ଏବଂ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଥିଲା। ତାଙ୍କ ବାସଗୃହରେ ପିନ୍ଧା ବସ୍ତ୍ର ପଡ଼ି ରହିଥିଲା। ସେହିପରି ଘର ପଛପଟେ କିଛି ଛିଣ୍ଡା ଚୁଟି ଓ ପାଣି ବାଲ୍‌ଟି ପଡ଼ିଥିବା ଦେଖାଯାଇଥିଲା। ଫଳରେ ତାଙ୍କୁ ଜୋରଜବରଦସ୍ତ ଉଠାଇ ନେଇ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସେହିପରି ସାଇଣ୍ଟିଫିକ୍‌ ଟିମ୍‌ ଦ୍ବାରା ପୁଲିସ ଘଟଣାର ତଦନ୍ତ କରିଥିଲା ବେଳେ ସନ୍ଧାନୀ କୁକୁର ଅଣା ନ ଯିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଲିସ ମହାନିର୍ଦ୍ଦେଶକ ଏହି ସଂଗିନ ଘଟଣା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ଉଚ୍ଚସ୍ତରୀୟ ତଦନ୍ତ କଲେ ସତ୍ୟାସତ୍ୟ ଉନ୍ମୋଚନ ହୋଇପାରିବ ବୋଲି ଅଞ୍ଚଳରେ ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe