ମହାପ୍ରସାଦରେ ଉଷୁନା ଚାଉଳ! ଅର୍ପଣ ଚାଉଳକୁ ନେଇ ଉଠିଲା ପ୍ରଶ୍ନ

ଅଭିଯୋଗ ଆଣିଲା ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ

ମହାପ୍ରସାଦରେ ଉଷୁନା ଚାଉଳ! ଅର୍ପଣ ଚାଉଳକୁ ନେଇ ଉଠିଲା ପ୍ରଶ୍ନ

ଖୋର୍ଦ୍ଧା: ମହାପ୍ରଭୁଙ୍କ ମହାପ୍ରସାଦରେ ଉଷୁନା ଚାଉଳ। ଅର୍ପଣ ରଥରୁ ସଂଗୃହୀତ ବାର ମିଶା ଚାଉଳରେ ଏହା ତିଆରି ଚାଲିଛି। ମହାପ୍ରଭୁଙ୍କ ଲାଗି କରି ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଅପବିତ୍ର କରାଯାଉଛି। ଖୋର୍ଦ୍ଧା ଜିଲ୍ଲା ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ଏମିତି ସାଙ୍ଘାତିକ ଅଭିଯୋଗ ଆଣିଛି। ଏଭଳି ବିଭ୍ରାଟ କରିଥିବା ବ୍ୟକ୍ତି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାନଗଲେ, ଆଗକୁ ବଡ଼ ଧରଣର ଆନ୍ଦୋଳନ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ଚେତାବନୀ ଦେଇଛି।

ସ୍ଥାନୀୟ ଗୀତା ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନ ଦର୍ଶାଇଛି, ଅର୍ପଣ ରଥ ନାଁରେ ଜଗନ୍ନାଥଙ୍କୁ ଖୋଲା ଗାଡିରେ ଗାଁ ଗାଁ ବୁଲାଗଲା। ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ନାଁରେ ଗାଁ ଗାଁରୁ ଚାଉଳ ସଂଗ୍ରହ କରାଗଲା। ସେ ଚାଉଳରୁ ଉଷୁନା ଚାଉଳ ବାହାରିଛି ବୋଲି ସଂଗଠନ ଅଭିଯୋଗ ଆଣିଛି। ଶ୍ରୀମନ୍ଦିରକୁ ଉଷୁନା ଚାଉଳ ପ୍ରବେଶ ନିଷିଦ୍ଧ ଥିବା ବେଳେ ଏଭଳି ବାରମିଶା ଚାଉଳକୁ ମହାପ୍ରଭୁଙ୍କ ରୋଷଘରକୁ ପ୍ରବେଶ କରାଇ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ଅପମାନ କରାଯାଇଛି। ଏ ଚାଉଳରେ ଖେଚୁଡ଼ି କରି ମହାପ୍ରଭୁଙ୍କୁ ଲାଗି କରାଯାଉଛି। ଏ ମହାପ୍ରସାଦକୁ ଲୋକଙ୍କୁ ବଣ୍ଟାଯାଉଛି। ଯାହା ସଂସ୍କୃତିର ବିରୋଧୀ। ଏମିତି କରିବାକୁ କିଏ ଅନୁମତି ଦେଲା ବୋଲି ସଂଗଠନ ପ୍ରଶ୍ନ କରିଛି। କେବଳ ସେତିକି ନୁହେଁ, ମନ୍ଦିରର ତିନି ଦ୍ବାରକୁ ବନ୍ଦ କରି ଭକ୍ତଙ୍କୁ ଧାଡ଼ି ଯନ୍ତ୍ରଣା ଦେବା, ରତ୍ନ ଭଣ୍ଡାର ନ ଖୋଲିବାକୁ ନେଇ ମଧ୍ୟ ଅନୁଷ୍ଠାନ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ସରକାର ତୁରନ୍ତ ଏ ସମସ୍ୟାର ସମାଧାନ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ, ଆଗାମୀ ଦିନରେ ସାରା ଓଡ଼ିଶାରେ ବ୍ୟାପକ ଜନ ଆନ୍ଦୋଳନ କରିବାକୁ ଅନୁଷ୍ଠାନର ଅଧ୍ୟକ୍ଷ ସୁଦର୍ଶନ ନାୟକ, ମହେଶ ସାହୁ ଚେତାବନୀ ଦେଇଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଆବାହକ ପ୍ରଦୀପ ସ୍ବାଇଁ, ଶ୍ରୀ ଜଗନ୍ନାଥ ସଂସ୍କୃତିର ଗବେଷକ ଶକ୍ତିଶଙ୍କର ମିଶ୍ର, ନିରଞ୍ଜନ ସାହୁ, ଗୋପବନ୍ଧୁ ସାହୁ, ମିହିର ବିଧାର, ନିତ୍ୟଜିତ୍‌ ଚମ୍ପତ୍ତି, ଅଭିମନ୍ୟୁ ଘଟୁଆଲ, ବିନୋଜ ଗଜେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe