ଜଳଛତ୍ର କେନ୍ଦ୍ର ମାଠିଆ ପାଣିରେ ବିଷ ମିଶାଇଲେ ଦୁର୍ବୃତ୍ତ: ପାଣି ପିଇ ୩ ଗୁରୁତର

Advertisment
ଜଳଛତ୍ର କେନ୍ଦ୍ର ମାଠିଆ ପାଣିରେ ବିଷ ମିଶାଇଲେ ଦୁର୍ବୃତ୍ତ: ପାଣି ପିଇ ୩ ଗୁରୁତର

ମାଲକାନଗିରି: ମାଲାକାନଗିରି ଜିଲ୍ଲା ଏମଭି ୭୯ ଥାନା ଅନ୍ତର୍ଗତ ଶିମିଳିବାଞ୍ଛା ପଞ୍ଚାୟତର ଏମପିଭି ୪୯ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ସେଠାରେ ଏକ ଜଳଛତ୍ର କେନ୍ଦ୍ରର ମାଠିଆ ପାଣି ଭିତରେ କେହି ଦୁର୍ବୃତ୍ତ ବିଷ ମିଶାଇ ଦେବା ଯୋଗୁ ସେହି ପାଣି ପିଇ ଜଣେ ନାବାଳିକାଙ୍କ ସମେତ ୩ ଜଣ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ଦେଖିବାକୁ ମିଳିଛିl ଗୁରୁତରମାନଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା କରାଯାଉଥିଲା। ବିଷ ପାଣି ପିଇଥିବା ବ୍ୟକ୍ତିମାନଙ୍କର ବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା। ଦୁର୍ବଳ ଲଗିଲା ଓ ଦେହ ଥରିବା ଭଳି ଲକ୍ଷଣ ଦେଖାଯାଇଥିଲା। ଗୁରୁତର ହେବାରୁ ସେମାନଙ୍କୁ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଛି।

publive-image

ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଅସୁସ୍ଥମାନେ ହେଉଛନ୍ତି ଏମପିଭି ୪୯ ଗ୍ରାମର ବିଶାଖା ଗୋଲଦର (୧୩), ଦେବବ୍ରତ କୋଏଲ (୨୪) ଏବଂ ଏମଭି ୧୧୬ ଗ୍ରାମର ତୁସାର ମଣ୍ଡଳ (୨୨) ବୋଲି ଜଣା ପଡ଼ିଛି। ସୂଚନା ନେବାରୁ ଜଣା ପଡ଼ିଛି ଯେ ଗ୍ରାମବାସୀ ଓ ପଞ୍ଚାୟତବାସୀଙ୍କ ଉଦ୍ୟମରେ ଏମପିଭି ୪୯ ଗ୍ରାମ ମୁଖ୍ୟ ଛକଠାରେ ଏକ ସପ୍ତାହ ତଳେ ଗୋଟିଏ ଜଳଛତ୍ର କେନ୍ଦ୍ର ଖୋଲାଯାଇଥିଲା। ଏହି ଜଳଛତ୍ର କେନ୍ଦ୍ରର ରକ୍ଷଣାବେକ୍ଷଣ ଓ ପ୍ରତିଦିନ ପାଣି ଭର୍ତ୍ତି କରିବା ପାଇଁ ଗ୍ରାମର ସନ୍ଧ୍ୟାରାଣୀ ମଣ୍ଡଳ ନାମକ ଜଣେ ମହିଳାଙ୍କୁ ଗ୍ରାମବାସୀ ମାନେ ଚୟନ କରି ନିୟୋଜିତ କରିଥିଲେ। ପଞ୍ଚାୟତ ତରଫରୁ ମହିଳାମାନଙ୍କୁ ପାରିଶ୍ରମିକ ଦେବା ପାଇଁ ସ୍ଥିର କରାଯାଇଥିଲା।

publive-image

ତେବେ ମହିଳା ଜଣଙ୍କ ପ୍ରତିଦିନ ଭଳି ମାଟି ହାଣ୍ଡିରେ ପାଣି ରଖି ସେଠାରେ ରହିଥିବା ବେଳେ ଦିନ ୩ଟା ସମୟରେ କୌଣସି କାମରେ ନିଜ ଘରକୁ ଚାଲି ଯାଇଥିଲେ। ଏହି ସମୟରେ ସେଠାରେ ଲୋକମାନେ ପହଞ୍ଚି ଜଳଛତ୍ର କେନ୍ଦ୍ରରୁ ପାଣି ପିଇଥିଲେ। ପାଣି ପିଇ ବାର କିଛି ସମୟ ପରେ ଜଣଙ୍କ ପରେ ଜଣେ ଅସୁସ୍ଥ ହେବା ପରେ ଗାଁଲୋକ ସେଠାରେ ପହଞ୍ଚି ମାଠିଆ ପାଣି ଯାଞ୍ଚ କରିବା ପରେ ସେଥିରେ ବିଷ ମିଶିଥିବା ଜାଣିବାକୁ ପାଇଥିଲେ। ଚାଷରେ ବ୍ୟବହୃତ ହେଉଥିବା କୀଟନାଶକ ଔଷଧ ମିଶା ଯାଇଥିବା ଜଣାପଡିଛି। ତେବେ ଏଭଳି ଜଘନ୍ୟ କାମ କିଏ କରିଛି ସେ ନେଇ ଗ୍ରାମବାସୀ ମାନେ କିଛି ଜାଣି ନ ଥିବା ପ୍ରକାଶ କରିଛନ୍ତି। ପୁଲିସ ପାଖରେ ଏନେଇ କୌଣସି ଖବର ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe