୩୯୦ କିଲୋଗ୍ରାମ୍ ଗଞ୍ଜେଇ ଜବତ, ୨ ଗିରଫ

୩୯୦ କିଲୋଗ୍ରାମ୍ ଗଞ୍ଜେଇ ଜବତ, ୨ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରି ଦୁଇଟି ପୃଥକ ଘଟଣାରେ ୩୯୦ କିଲୋ ଗଞ୍ଜେଇ ଜବତ କରିଛି। ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ମୁଦୁଲିଗୁଡା ଗ୍ରାମରେ ଗୋଟିଏ ଘରୁ ଗଞ୍ଜେଇ ଜବତ କରିଥିବା ବେଳେ ବାଇକରେ ଗଞ୍ଜେଇ ଚାଲାଣ ବେଳେ ବାଲିମେଳା ଛକରୁ ଜଣଙ୍କୁ ଗିରଫ କରିଛି। ଏନେଇ ଅବକାରୀ ପୁଲିସ ୨ଟି ପୃଥକ ମାମଲା ରୁଜୁ କରି ୨ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ, ଜିଲ୍ଲା ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ସକାଳୁ ଅବକାରୀ ବିଭାଗ ପକ୍ଷରୁ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ମୁଦୁଲିଗୁଡା ଗ୍ରାମରେ ଚଢ଼ଉ କରିଥିଲେ। ସେହି ଗ୍ରାମର ବେଣୁ ହନ୍ତାଳଙ୍କ ଘ‌ରେ ଗଞ୍ଜେଇ ଥିବାର ସୂଚନା ପାଇ ଯାଞ୍ଚ କରିଥିଲେ। ଘର ଭିତରୁ ୧୨ଟି ବସ୍ତାରୁ ଗଞ୍ଜେଇ ବାହାରିଥିଲା, ତାହାକୁ ଓଜନ କରିବାରୁ ସେଥିରେ ୩୬୦ କିଲୋ ଗଞ୍ଜେଇ ରହିଥିବାର ଜଣାପଡ଼ିଥିଲା। ସେଠାରୁ ‌ବେଣୁକୁ ଅବକାରୀ ପୁଲିସ ଗିରଫ କରି ମାଲକାନଗିରିକୁ ଆଣିଥିଲେ।

ଅନ୍ୟପକ୍ଷରେ ଓର୍କେଲ ଥାନା ଅନ୍ତର୍ଗତ ବାଲିମେଳା ଛକ ଠାରେ ଯାଞ୍ଚ ବେଳେ ଗୋଟିଏ ବାଇକର ପଛପଟେ ବସ୍ତା ଧରି ଯାଉଥିବାର ଦେଖିଥିଲେ। ବାଇକ ଚାଳକକୁ ଅଟାଇ ବସ୍ତା ଦେଖିବା ବେଳକୁ ସେଥିରୁ ୩୦ କିଲୋ ଗଞ୍ଜେଇ ବାହାରିଥିଲା। ସେଠାରୁ ଗଞ୍ଜେଇ ଓ ବାଇକ ଜବତ କରିବା ସହ ବାଇକ ଚାଳକ କାଲିମେଳା ଥାନା ଅନ୍ତର୍ଗତ ଏମ୍‌ଭି ୪୦ ଗ୍ରାମର ନିତାଇ ପରମାଣିକକୁ ଗିରଫ କରିଥିଲେ। ଦୁଇଟି ମାମଲାରେ ଅଭିଯୁକ୍ତ ବେଣୁ ଓ ନିତାଇକୁ କୋର୍ଟ ଚାଲାଣ କରିଥିବା ଅବକାରୀ ନିରୀକ୍ଷକ ଉଦୟଲାଲ ନାୟକ କହିଛନ୍ତି। ଏହି ଚଢ଼ଉରେ ଅବକାରୀ ଉପ ନିରୀକ୍ଷକ ଅଶେଷ କୁମାର ନାୟକ, ଗଦାଧର ମହାରଣା, ଜ୍ଞାନରଞ୍ଜନ ସାହୁ, ଅକ୍ଷୟ ଜେନା, ପାଣ୍ଡବ ତୁର୍କୁ, ଦିନେଶ କୁମାର, ଦୀପକ ସାମଲ, ରାମଚନ୍ଦ୍ର ହନ୍ତାଳ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe